Unknown

 

 

 

 

 

 

 

 

 

କୁଞ୍ଜବିହାରୀ ତ୍ରିପାଠୀ

ଡକ୍ଟର କୃଷ୍ଣଚରଣ ବେହେରା

 

ଆଦ୍ୟକଥନ

 

ଜଣେ ପ୍ରବୀଣ ପ୍ରଫେସର, ବିଶିଷ୍ଟ ଭାଷାତତ୍ତ୍ୱବିତ୍‍, ନିଷ୍ଠାପର ଗବେଷକ ଓ ଯଶସ୍ୱୀ କବି ଭାବରେ ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ ଓଡ଼ିଶାର ବିବୁଧ ମଣ୍ଡଳୀରେ ସୁପରିଚିତ । ଓଡ଼ିଆ ଭାଷାତ୍ତ୍ୱ ଆଲୋଚନା କ୍ଷେତ୍ରରେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ପରେ ଡକ୍ଟର ତ୍ରିପାଠୀଙ୍କ ନାମ ସ୍ୱତଃ ଆଲୋଚନା ପରିସରକୁ ଆସେ । ‘ଓଡ଼ିଆ ଭାଷା ଓ ଲିପିର କ୍ରମବିକାଶ’ ଶୀର୍ଷକ ନିବନ୍ଧ ରଚନା କରି ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଉପାଧି ପ୍ରାପ୍ତ ହୋଇଥିଲେ । ଓଡ଼ିଆ ଭାଷା ଓ ଲିପିର ବିଜ୍ଞାନ ସମ୍ମତ ଆଲୋଚନା ମାଧ୍ୟମରେ ସେ ଓଡ଼ିଆ ଭାଷାର ଭୂୟଃ କଲ୍ୟାଣ ସାଧନ କରିଯାଇଛନ୍ତି । ଓଡ଼ିଶା ବାହାରେ ଓଡ଼ିଆ ଭାଷାର ମହତ୍ତ୍ୱ ପ୍ରତିପାଦନ କରିବାରେ ସେ ହେଉଛନ୍ତି ଅଗ୍ରଗଣ୍ୟ ଗବେଷକ ।

 

ସଂସ୍କୃତ ଭାଷା ଓ ସାହିତ୍ୟରେ ମଧ୍ୟ ଡକ୍ଟର ତ୍ରିପାଠୀଙ୍କର ଥିଲା ଅଗାଧ ପାଣ୍ଡିତ୍ୟ । ଦୁଇଖଣ୍ଡରେ ପ୍ରକାଶିତ ତାଙ୍କ ‘ସଂସ୍କୃତ ସାହିତ୍ୟ’ ଗ୍ରନ୍ଥଟି ଆମ ସାହିତ୍ୟରେ ଏକ ଅମୂଲ୍ୟ ସମ୍ପଦ । ସେହିପରି ‘ପ୍ରାଚୀନ ଓଡ଼ିଆ ଅଭିଲେଖ’ ତାଙ୍କ ଗଭୀର ଅଧ୍ୟୟନର ଅନ୍ୟ ଏକ ଫଳଶ୍ରୁତି । ଅନୁବାଦ କ୍ଷେତ୍ରରେ ମଧ୍ୟ ତାଙ୍କ ଦକ୍ଷତା ପ୍ରଣୀଧାନ ଯୋଗ୍ୟ । ‘ଧର୍ମପଦ’ର ଓଡ଼ିଆ ରୂପାନ୍ତର ତାଙ୍କ ଅନୁବାଦ-ଉତ୍କର୍ଷର ନିଦର୍ଷନ । ଅଧ୍ୟାପନୀ ଓ ଅଧ୍ୟୟନରେ ନିମଜ୍ଜନ ସତ୍ତ୍ୱେ କବିତା ଲେଖାରୁ ନିଜକୁ ଦୂରେଇ ରଖିନଥିଲେ ଡକ୍ଟର ତ୍ରିପାଠୀ । ‘ପୁଷ୍ପାଞ୍ଜଳୀ’ ଶିରେନାମାରେ ପ୍ରକାଶିତ ଏକ କବିତାଗ୍ରନ୍ଥ ତାଙ୍କ କବିତ୍ୱର ସ୍ୱାକ୍ଷର ବହନ କରେ ।

 

ଏପରି ଜଣେ ପ୍ରବୀଣ ପ୍ରଫେସରଙ୍କ ବୃତ୍ତି, ବ୍ରଚ, କୃତି ଓ କୃତିତ୍ୱକୁ ଭିତ୍ତିକରି ଏହି ପୁସ୍ତକଟି ରଚନା କରିଛନ୍ତି ଅନ୍ୟ ଜଣେ ପ୍ରବୀଣ ପ୍ରଫେସର ଡକ୍ଟର କୃଷ୍ଣଚରଣ ବେହେରା । ପୁସ୍ତକଟି ଉଭୟ ପାଠକ ଓ ଗବେଷଣାମାନଙ୍କ ଦ୍ୱାରା ଗ୍ରହଣୀୟ ହେବ ବୋଲି ଆଶା ଓ ବିଶ୍ୱାସ ।

 

ଭୁବନେଶ୍ୱର

୧୫.୧୨.୨୦୧୨

ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

ଲେଖକୀୟ ଯତ୍‍କିଞ୍ଚିତ

 

ଗତ ବିଂଶ ଶତାବ୍ଦୀର ପଞ୍ଚମ ଦଶକ ଜାତୀୟ ଇତିହାସର ଏକ ସନ୍ଧିକ୍ଷଣ । ଦ୍ୱିତୀୟ ବିଶ୍ୱଯୁଦ୍ଧର କରାଳ ଗ୍ରାସରୁ ଉଦ୍ଧାର ପାଇ ଓଡ଼ିଶା ସମେତ ସାରା ଦେଶରେ ସ୍ୱାଧିନତା ଆନ୍ଦେଳନ, ପରେ ପରେ ବୈଦେଶିକ ଶକ୍ତି କବଳରୁ ମୁକ୍ତି ଲାଭ ଦେଶବାସୀଙ୍କ ପ୍ରାଣୀରେ ବିପୁଳ ଉତ୍ତେଜନା ଓ ଉନ୍ମାଦନା ସୃଷ୍ଟି କରିଥାଏ । ଯୁବ ସମାଜ ମଧ୍ୟରେ କେତେ ଆଶା ଓ ବିଶ୍ୱାସ । ରାଜନୀତି, ସମାଜସେବାରେ ଯେପରି, ଶିକ୍ଷା-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ ସେହିପରି ଆପଣାର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଲେ ପ୍ରାଚୀନ ଗୌରବକୁ ଦେଖି ଦେଖାଇବେ ଏବଂ ଭବିଷ୍ୟତ ଅଗ୍ରଗତିର ପଥ ପରିଷ୍କାର କରିବେ । ସେହି ଯୁବସମାଜର ଅନ୍ୟତମ ପ୍ରତିଭୂ ହେଲେ କୁଞ୍ଜବିହାରୀ ତ୍ରିପାଠୀ । ଛାତ୍ରଛାତ୍ରୀମାନଙ୍କୁ ଭାଷା-ସାହିତ୍ୟ ବିଷୟରେ ଶିକ୍ଷାଦାନ ବିଷୟରେ ଶିକ୍ଷାଦାନ ତଥା ଓଡ଼ିଆ ଭାଷା ଓ ଲିପିର ପ୍ରତ୍ନତାତ୍ତ୍ୱିକ ମୂଲ୍ୟ ପ୍ରତିପାଦନରେ ସେ ବ୍ରତୀ ହେଲେ । ବୋଲିବା ବାହୁଲ୍ୟ ଯେ ତାଙ୍କର ବ୍ରତ ବହୁ ପରିମାଣରେ ସାଫଲ୍ୟ ମଣ୍ଡିତ ହୋଇଛି ।

 

କୁଞ୍ଜବିହାରୀଙ୍କ କୃତି ଓ କୃତିତ୍ୱର ଉପଯୁକ୍ତ ମୂଲ୍ୟାୟନ ଏପର୍ଯ୍ୟନ୍ତ ହୋଇପାରିନଥିଲା । ଏହି କ୍ଷୁଦ୍ର ପୁସ୍ତକଟି ସେ ଦିଗରେ ନ୍ୟୁନପକ୍ଷରେ ଏକ ନମ୍ର ନିବେଦନ ମାତ୍ର । ପୁସ୍ତକଟିର ପ୍ରକାଶ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତଦୀୟ ବର୍ତ୍ତମାନ ସଚିବ ସାହିତ୍ୟିକ ଶ୍ରୀ ବିଜୟ କୁମାର ନାୟକ ପ୍ରୟାସୀ ହୋଇଥିବା ପ୍ରଶଂସାର କଥା । ଏଥିପାଇଁ ସେ ବିଶେଷ ସାଧୁବାଦର ପାତ୍ର ।

 

 

 

 

ପୁସ୍ତକଟି ରଚନା ପାଇଁ କୁଞ୍ଜବିହାରୀଙ୍କ ଅନ୍ୟତମ ସୁକନ୍ୟା ଶ୍ରଦ୍ଧେୟା ନଳିନୀ ମୋତେ ଉତ୍ସାହିତ କରିଛନ୍ତି । ମୋର ପ୍ରିୟତମ ଛାତ୍ର ସାହିତ୍ୟିକ ଶ୍ରୀ ସୁଧୀରଚନ୍ଦ୍ର ବେହୁରା ଯୋଗାଇ ଦେଇଛନ୍ତି କିଛି ତଥ୍ୟ-ଉପାଦାନ । ଉଭୟଙ୍କୁ ଧର୍ମ ଧନ୍ୟବାଦ ।

 

କଲ୍ୟାଣୀ ନଗର

କଟକ - ୧୩

କୃଷ୍ଣଚରଣ ବେହେରା

୧୪.୧୨.୨୦୧୧

Image

 

ସୂଚୀପତ୍ର

 

୧.

ଉପକ୍ରମଣିକା

୨.

ବାଲ୍ୟଜୀବନ ଓ ଶିକ୍ଷାଦୀକ୍ଷା

୩.

କୃତି ଓ କୃତିତ୍ଵ

୪.

ବ୍ୟକ୍ତି-ଜୀବନ ଓ ଚାରିତ୍ରିକ ବୈଶିଷ୍ଟ୍ୟ

୫.

ଉପସଂହାର

୬.

ପରିଶିଷ୍ଟ

 

(କ)

ଏକ ପଲକରେ ସଂକ୍ଷିପ୍ତ ଜୀବନ-ପଞ୍ଜୀ

 

(ଖ)

ଡକ୍ଟର କୁଞ୍ଜବିହାରୀ ତ୍ରୀପାଠୀଙ୍କ ରଚନାବଳୀର ତାଲିକା

 

(ଗ)

ଚିଠି ପତ୍ର : ହସ୍ତଲିପିର ନମୂନା

 

(ଘ)

ଓଡ଼ିଆ ଓ ଇଂରାଜୀ ରଚନାର କେତୋଟି ଦୃଷ୍ଟାନ୍ତ

 

(ଙ)

ସହାୟକ ରଚନାବଳୀ

Image

 

ଉପକ୍ରମଣିକା

 

ଗତ ବିଂଶ ଶତାବ୍ଦୀର ପ୍ରଥମ ଭାଗ ଭାରତ ବର୍ଷ ପକ୍ଷରେ ଯେପରି ଗୁରୁତ୍ଵପୂର୍ଣ୍ଣ କାଳ, ଓଡ଼ିଶା ପକ୍ଷରେ ସେହପରି ଏକ ସଂକ୍ରାନ୍ତିର ସମୟ । ବିଦେଶୀ ଶାସନ ଅର୍ଗଳରୁ ମୁକ୍ତି ପାଇବା ପାଇଁ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଭାରତୀୟମାନଙ୍କର ସ୍ଵାଧୀନତା ଆନ୍ଦୋଳନ ଘୋରତର ହୋଇଥିଲା ବେଳେ ଆଧୁନିକ ଶିକ୍ଷାଦୀକ୍ଷାର ପ୍ରସାର ଫଳରେ ସେମାନଙ୍କର ବୌଦ୍ଧିକ ବିକାଶ ଉଚ୍ଚକୋଟୀରେ ପହଞ୍ଚିବା ପାଇଁ ଅଗ୍ରସର ହେଉଥିଲା । ରାଜନୈତିକ, ଧର୍ମୀୟ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଏହା ସ୍ପଷ୍ଟ ପରିଲକ୍ଷିତ ହେଲା । ଓଡ଼ିଶାରେ ସେହିପରି ବିଭିନ୍ନ କ୍ଷେତ୍ରରେ ପ୍ରଗତିର ଧାରା ବହିବାରେ ଲାଗିଲା, ତାହା ନିମ୍ନୋକ୍ତ ଘଟଣାବଳୀରୁ ଲକ୍ଷ୍ୟ କରିହେବ ।
 

୧୯୦୩ ମସିହାରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଜାତୀୟ ଆନ୍ଦୋଳନର ପରିପ୍ରକାଶ-ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ।

୧୯୦୫ରେ ସମ୍ବଲପୁର ତଥା ସନ୍ନିହିତ ଗଡ଼ଜାତ ଓଡ଼ିଶାରେ ଅନ୍ତର୍ଭୁକ୍ତ ।

୧୯୧୧ରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ଵାରା ପୁରୀ ଜିଲ୍ଲା ସତ୍ୟବାଦୀଠାରେ ବନ ବିଦ୍ୟାଳୟ ପ୍ରତିଷ୍ଠା ।

୧୯୧୫ରେ କଟକଠାରେ ମହିଳା କଲେଜ ସ୍ଥାପନ ।

୧୯୨୬ରେ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ଵାରା ପ୍ରାଚୀ ସମିତି ପ୍ରତିଷ୍ଠା ।

୧୯୩୬ରେ ବିହାରଠାରୁ ବିଛିନ୍ନ ହୋଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ।

୧୯୪୩ରେ ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ।

୧୯୪୮ରେ ଓଡ଼ିଶା ହାଇକୋର୍ଟ ସ୍ଥାପନ । ସମସ୍ତ ଗଡ଼ଜାତ ରାଜ୍ୟର ଓଡ଼ିଶା ସହ ମିଶ୍ରଣ ।

 

ଏହି ପୃଷ୍ଠଭୂମିରେ ରାଜ୍ୟର ଭାଷା-ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କେତେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା । ୧୯୦୭ ମସିହାରେ ପଣ୍ଡିତ ହରପ୍ରସାଦ ଶାସ୍ତ୍ରୀଙ୍କ ଦ୍ଵାରା ନେପାଳରୁ ଆବିଷ୍କୃତ ‘ଚର୍ଯ୍ୟାପଦ', ଯହିଁରୁ ପ୍ରତ୍ନ ଓଡ଼ିଆ ସାହିତ୍ୟର ନମୁନା ମିଳିଥାଏ, ପ୍ରମାଣ କରେ ଯେ ଖ୍ରୀଷ୍ଟୀୟ ୮ମ/୯ମ ଶତାବ୍ଦୀରୁ ଆମ ସାହିତ୍ୟର ଜୟୟାତ୍ରା ଆରମ୍ଭ ହୁଏ । ସାହିତ୍ୟ ସୃଷ୍ଟିରେ ଏହି ଦୀର୍ଘ ପରମ୍ପରା ବିଷୟରେ ଆମେ ସଚେତନ ହେଉ । ଷ୍ଟାର୍ଲିଂ, ବିମସ୍‌ ପ୍ରମୁଖ ତତ୍‌କାଳୀନ ବିଦେଶୀ ସାହିତ୍ୟିକମାନେ ଇଂରାଜୀରେ ପ୍ରବନ୍ଧମାନ ଲେଖି ଏହି ମର୍ଯ୍ୟାଦାବନ୍ତ ପରମ୍ପରା ସୂଚାଇ ଦେଲେ । ପରେ ପରେ ତାରିଣୀଚରଣ ରଥ (ଉତ୍କଳ ସାହିତ୍ୟର ଇତିହାସ, ୧୯୧୬), ଅପର୍ଣ୍ଣା ପଣ୍ଡା (ଦୁଇ ଖଣ୍ଡରେ ଉତ୍କଳ ସାହିତ୍ୟର ଇତିହାସ, ୧୯୨୫), ପଣ୍ଡିତ ବିନାୟକ ମିଶ୍ର (ଓଡ଼ିଆ ସାହିତ୍ୟର ଇତିହାସ, ୧୯୨୮), ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ (ଦୁଇଖଣ୍ଡରେ ଓଡ଼ିଆ ସାହିତ୍ୟ ପରିଚୟ, ୧୯୪୦/୪୮) ପ୍ରମୁଖ ଲେଖକ ଏ ଦିଗରେ ଅଧିକ ଅଗ୍ରସର ହେଲେ ।

 

ଭାଷା-ସାହିତ୍ୟର ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଘଟିଲା । କଟକ ରେଭେନ୍‍ସା କଲେଜରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେବା ବର୍ଷ (୧୯୩୬) ଏକ ଇଛାଧୀନ ବିଷୟ ଭାବରେ ଓଡ଼ିଆର ପଠନ-ପାଠନ ଆରମ୍ଭ ହେଲା; ୧୯୪୨ରେ ଓଡ଼ିଆରେ ଅନର୍ସ ଏବଂ ୧୯୪୬ରେ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରବର୍ତ୍ତିତ ହେଲା । ତତ୍‍ପୂର୍ବରୁ ୧୯୧୯ ମସିହାରୁ କଲିକତା ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ଶ୍ରେଣୀରେ ଭାଷା-ସାହିତ୍ୟର ଅଧ୍ୟୟନ ଚାଲିଥିଲା । ପ୍ରସଙ୍ଗ କ୍ରମେ ଏଠାରେ ସୂଚନାଯୋଗ୍ୟ ଯେ ସେତେବେଳକୁ ରାଜ୍ୟରେ ସଂସ୍କୃତ ଭାଷା-ସାହିତ୍ୟର ପଠନ-ପାଠନ ପ୍ରଚଳିତ ହୋଇସାରିଥିଲା । ସଂସ୍କୃତ ସହ ଓଡ଼ିଆକୁ ଗୋଟିଏ ବିଭାଗରେ ରଖାଯାଇଥିଲା । ୧୯୬୮ ମସିହାରେ ଏ ଦୁଇଟିକୁ ଅଲଗା କରି ଦିଆଗଲା ।

 

ଶିକ୍ଷାୟତନଗୁଡ଼ିକରେ ଭାଷା-ସାହିତ୍ୟର ଶିକ୍ଷା ସଙ୍ଗେ ସଙ୍ଗେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାହିତ୍ୟ ପତ୍ରିକାମାନ ପ୍ରକାଶ ପାଇବାରେ ଲାଗିଲା । 'ମୁକୁର' (୧୯୦୫), ସହକାର (୧୯୧୯), 'ନବଭାରତ' (୧୯୩୪), 'ଯୁଗବୀଣା' (୧୯୩୩), 'ଆଧୁନିକ’ (୧୯୩୬), 'ଶଙ୍ଖ’ (୧୯୪୫), 'ଚତୁରଙ୍ଗ’ (୧୯୪୬) ପ୍ରଭୃତିରେ କବିତା ଗଳ୍ପାଦି ସର୍ଜନାତ୍ମକ ସାହିତ୍ୟ ସହିତ ଉଚ୍ଚକୋଟୀର ଆଲୋଚନା ପ୍ରବନ୍ଧମାନ ପ୍ରକାଶ ପାଇଲା । ଏହି ପ୍ରସଂଗରେ ‘ସତ୍ୟବାଦୀ’ (୧୯୧୫) ପତ୍ରିକାର ଏକ ସଂପାଦକୀୟ ମନ୍ତବ୍ୟ ଏଠାରେ ଉଲ୍ଲେଖଯୋଗ୍ୟ- ‘‘ସମାଲୋଚନା, ସାହିତ୍ୟର ଏକ ବିଶିଷ୍ଟ ଓ ମୁଖ୍ୟ ଅଙ୍ଗ । ସେ ଅଙ୍ଗ ଉତ୍କଳ ସାହିତ୍ୟରେ ବିକାଶ ପାଉନାହିଁ । ସମାଲୋଚନା ବିକାଶ ପାଇନାହିଁ, ଏହା ଯେବେ ସତ୍ୟ, ତେବେ ତାହା ଯେ ହଠାତ୍‌ ବିକାଶ ପାଇବ ତାହା ଆଶା କରି ଦାବୀ କରିବା ଉଚିତ ନୁହେଁ । ଗୁଣବଳରେ ଯେ ଆଦୃତ ନୁହେଁ, ତାହାର ଦାବୀ ଅବୈଧ ଓ ହାସ୍ୟାସ୍ପଦ । ମାତ୍ର ଗୁଣର ଆଦର କରିବା ପାଇଁ ମନକୁ ପ୍ରସ୍ତୁତ କରିବା ଆବଶ୍ୟକ । ସମାଲୋଚନାର ଆଦର କରିବାକୁ ହେବ । ସାହିତ୍ୟ ସାଧନାରେ ଏହା ପ୍ରଥମ ସୋପାନ । ଆମ୍ଭେମାନେ ସାହିତ୍ୟରେ ଏହି ବିଭାଗ ଜାଗ୍ରତ କରିବା ଉଦ୍ଦେଶ୍ୟରେ ପ୍ରଥମେ 'ସତ୍ୟବାଦୀ ଆରମ୍ଭ କରିଥିଲୁ ।'' (୬ଷ୍ଠ ଖଣ୍ଡ ୧ମ ସଂଖ୍ୟା-୧୯୨୧)

 

ସମାଲୋଚନା ସାହିତ୍ୟ ପ୍ରତି ‘ସତ୍ୟବାଦୀ’ ପତ୍ରିକାର ଏହି ଆଭିମୁଖ୍ୟ ସମକାଳୀନ ତଥା ପରବର୍ତ୍ତୀକାଳର ଅନ୍ୟାନ୍ୟ ସାହିତ୍ୟ-ପତ୍ରିକା ତଥା ସମାଲୋଚକମାନଙ୍କୁ ଉଦ୍‌ବୁଦ୍ଧ କରିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟର ଆଲୋଚନା ଚର୍ଚ୍ଚା ବିଧିବଦ୍ଧ ରୂପ ଗ୍ରହଣ କଲା । ପଣ୍ଡିତ ବିନାୟକ ମିଶ୍ରଙ୍କ ‘ଓଡ଼ିଆ ଭାଷାର ଇତିହାସ’ (୧୯୨୭), ଅଧ୍ୟାପକ ଗିରିଜାଶଙ୍କର ରାୟଙ୍କର 'ସରଳ ଭାଷାତତ୍ତ୍ୱ' (୧୯୪୨), ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କର ‘ଓଡ଼ିଆ ଭାଷାତତ୍ତ୍ୱ' (୧୯୨୭), ବଳଭଦ୍ର ବହିଦାରଙ୍କ 'ଯତିପାତ୍‌' (୧୯୩୭), ଅଧ୍ୟାପକ ଗିରିଜାଶଙ୍କର ରାୟଙ୍କର ‘ଓଡ଼ିଆ ନାଟ୍ୟକଳା' (୧୯୪୩), ବୀର ବିକ୍ରମ ଦେବଙ୍କର ‘ନାଟକ ରଚନା-ପ୍ରଣାଳୀ' (୧୯୦୩) ଓ ‘ଅଭିନୟ ପ୍ରକାଶିକା' (୧୯୧୧), ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କର ‘ଶ୍ରୀଭାରତ ଦର୍ପଣ' (୧୯୧୨-୧୩) ପ୍ରଭୃତି ମୂଲ୍ୟବାନ ପୁସ୍ତକ ସେତିକିବେଳେ ପ୍ରକାଶ ପାଇଥିଲା ।

 

ଏଠାରେ ଏହା ଉଲ୍ଲେଖନୀୟ ଯେ ମୁଦ୍ରଣ ଶିଳ୍ପ ସହାୟତାରେ ଆଧୁନିକ ସାହିତ୍ୟ ଏକ ସ୍ଥାୟୀ ଓ ନିର୍ଦ୍ଧିଷ୍ଟ ରୂପ ଲାଭ କରୁଥିବାରୁ ତାହାର ଆଲୋଚନା-ଚର୍ଚ୍ଚା ଟିକିଏ ପରେ କରାଗଲେ ଚଳିବ । କିନ୍ତୁ ପ୍ରାଚୀନ ସାହିତ୍ୟର ପୋଥିପତ୍ର ଦ୍ରୁତ ଧ୍ୱଂସମୁଖୀ ଓ ଅବଲୁପ୍ତ ହୋଇଯାଉଥିବାରୁ ତାହାର ସଂଗ୍ରହ-ସଂପାଦନା ପୂର୍ବକ ମୁଦ୍ରିତାକାରରେ ପ୍ରକାଶ ତଥା ଆଲୋଚନା-ଚର୍ଚ୍ଚା ପାଇଁ କାଳକ୍ଷେପଣ କଲେ, ଚଳିବ ନାହିଁ । ତେଣୁ ବୋଧହୁଏ ସେତେବେଳେ ପ୍ରାଚୀନ ସାହିତ୍ୟର ଆଲୋଚନା ତୁଳନାରେ ଆଧୁନିକ ସାହିତ୍ୟର ସମାଲୋଚନା ଉଣା ଥିଲା । ସେଇଥିପାଇଁ ବୋଧହୁଏ ‘ପ୍ରାଚୀ ସମିତି’ (୧୯୨୬) ପ୍ରାଚୀନ ସାହିତ୍ୟର ପୁସ୍ତକ ପ୍ରକାଶ ତଥା ତାହାର ଆଲୋଚନା-ଚର୍ଚ୍ଚାର ଆଭିମୁଖ୍ୟ ଗ୍ରହଣ କରିଥିଲା । ‘ପ୍ରାଚୀ ସମିତି’ ବ୍ୟତୀତ ଉତ୍କଳ ସାହିତ୍ୟ ସମାଜ (୧୯୦୩), ସବୁଜ ସାହିତ୍ୟ ସମିତି (୧୯୨୫), କଳିଙ୍ଗ ଭାରତୀ (୧୯୪୪), କୋଶଳ କଳା ମଣ୍ତଳ (୧୯୪୬) ପ୍ରଭୃତି ପ୍ରତିଷ୍ଠାନ ନିଜ ନିଜ ବାଟରେ ସାହିତ୍ୟ-ସଂସ୍କୃତିର ବିଚାର-ବିମର୍ଷ କରିଥିଲେ ।

 

ଲିପି ଶିଳ୍ପ ଓ କୁଟୀରଶିଳ୍ପର ବିନ୍ଧାଣୀ ଭିକାରୀଚରଣ ପଟ୍ଟନାୟକ (୧୮୭୭-୧୯୬୨) ଆଧୁନିକ ନାଟ୍ୟକାର ଭାବରେ ସୁପରିଚିତ । ମାତ୍ର ସେ ଯେ ଜଣେ କବି ଥିଲେ ଏବଂ ରଙ୍ଗରସ ପୂର୍ଣ୍ଣ କବିତା ଲେଖୁଥିଲେ, ତାହା ଅନେକେ ଜାଣନ୍ତି ନାହିଁ । ନିଜର ‘ଆଜି ଆମ ଦେଶ’ ଶୀର୍ଷକ ଏକ ଦୀର୍ଘ କବିତାରେ ୧୯୪୦ ମସିହାରେ ଓଡ଼ିଆ ସାହିତ୍ୟର ସ୍ଥିତି ସମ୍ପର୍କରେ ସ୍ଵାଦ୍ୟ ଚିତ୍ରଟିଏ ଆଙ୍କିଛନ୍ତି ସେ, ଯାହା ପ୍ରସଙ୍ଗକ୍ରମେ ସ୍ମରଣଯୋଗ୍ୟ ।

 

‘ସାହିତ୍ୟ କ୍ଷେତ୍ରରେ ଏ ଦେଶ ବହୁ କାଳରୁ ଜଣା

ଛନ୍ଦ ଅଳଙ୍କାର ପ୍ରାଚୁର୍ଯ୍ୟେ ଲୋକେ ହୁଅନ୍ତି ବଣା ।

କାବ୍ୟ କବିତାରେ ରହିଛି ପୂରି ଯେତେ ଯମକ

ଅଜଣା ଲୋକଙ୍କ ହୃଦରେ ଶୁଣି ଉଠେ ଚମକ ।

କିନ୍ତୁ ସାହିତ୍ୟରେ ନାହିଁ ତ ଆଉ ପୂରୁବ ଛଟା

କାଳ ସଙ୍ଗେ ସଙ୍ଗେ ବଦଳି ହୋଇଅଛି ଓଲଟା ।

 

ଭାଷା ହୋଇଲାଣି ଅଭାଷା ଭାବ ହେଲା ଅଭାବ

ମାଡ଼ି ବସିଲାଣି ଭାଷାକୁ ଅନ୍ୟ ଭାଷା ପ୍ରଭାବ ।

ଭାଷାର ମହତ ଗଲାଣି କେଉଁକାଳରୁ ପୋଡ଼ି

କଥା ନ ବାହାରେ ମୁହଁରୁ ଅନ୍ୟ ଭାଷା ନ ଯୋଡ଼ି ।

ସାହିତ୍ୟ-ସମ୍ପଦ ଯା’ ଅଛି ତାକୁ ଜଗିବା ପାଇଁ

ସାହିତ୍ୟ-ସିପାହୀ ଗୋଟିଏ କାହିଁ ଦିଶଇ ନାହିଁ ।

 

ଆରତ ପଣ୍ଡିତ ଆରେକ ତାଳପତର ପୋଥି

ଖୋଜି ଖୋଜି ତାର ମୁହଁଟି ହୋଇଗଲାଣି ପୋଥି ।

ଏହାଙ୍କ ପଛକୁ ଆଉ ତ କେହି ଦିଶଇ ନାହିଁ

ପୁରୁଣା ସାହିତ୍ୟ-କୁସୁମ ରସ ଚାଖିବା ପାଇଁ ।’’

 

ଏହି ପରିପ୍ରେକ୍ଷୀରେ କୁଞ୍ଜବିହାରୀ ତ୍ରିପାଠୀଙ୍କର ମେଧା ଓ ମନୀଷା ଲାଳିତ ପାଳିତ ତଥା ବିକଶିତ ହୋଇଥିଲା ।

Image

 

ବାଲ୍ୟଜୀବନ ଓ ଶିକ୍ଷାଦୀକ୍ଷା

 

ମହାନଦୀ-ସେବିତ ଦେବୀ ଚର୍ଚ୍ଚିକା-ଆଶୀର୍ବାଦ ଧନ୍ୟ କଟକ ଜିଲ୍ଲାର ବାଙ୍କୀ ସବ୍‌ଡ଼ିଭିଜନ୍‌ସ୍ଥ ପଥୁରିପଡ଼ା ଗ୍ରାମରେ ଶହେ ବର୍ଷ ତଳେ କୁଞ୍ଜବିହାରୀ ତ୍ରିପାଠୀଙ୍କର ଜନ୍ମ । ତାଙ୍କର ଜନ୍ମକାଳ ୧୯୧୦ ମସିହା (୧୩୧୭ସାଲ ଆଷାଢ଼ ମାସ ୧୩ ଦିନ); କିନ୍ତୁ ସାର୍ଟିଫିକେଟ୍‌ ଅନୁଯାୟୀ ୧୯୧୧ ମସିହା ସେପ୍ଟେମ୍ବର ୪ ତାରିଖ । ତାଙ୍କର ମାତା ସୀତା ଦେବୀ ଏବଂ ପିତା ମହାଦେବ ତ୍ରିପାଠୀ । ମହାଦେବ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଥିଲେ । ସେ ଭଲ ଗୀତ ଗାଇ ପାରୁଥିଲେ ଏବଂ ବାଦ୍ୟଯନ୍ତ୍ର, ମୃଦଙ୍ଗ ବଜାଉଥିଲେ । ତାଙ୍କର କଣ୍ଠସ୍ଵର ଥିଲା ମଧୁର ଏବଂ ସେ ଧୀରସ୍ଥିର ଭାବରେ କଥାବାର୍ତ୍ତା କରୁଥିଲେ । ସେହି ଅଞ୍ଚଳର ରାସଯାତ୍ରାରେ ଗୀତଗାଇ ଓ ମୃଦଙ୍ଗ ବଜାଇ ସେ ଲୋକମାନଙ୍କୁ ମୁଗ୍ଧ କରିପାରୁଥିଲେ । ତାଙ୍କ ଘରେ ଥିଲା କିଛି ତାଳପତ୍ର ପୋଥି ଓ ପ୍ରାଚୀନ ଓଡ଼ିଆ କାବ୍ୟକବିତା । ଏହି ପାରିବାରିକ ସାଂସ୍କୃତିକ ପରିବେଶ ମଧ୍ୟରେ କୁଞ୍ଜବିହାରୀ ପରିବର୍ଦ୍ଧିତ ହୋଇଥିଲେ ।

 

ପିତାମାତାଙ୍କର ଦୁଇଟି କନ୍ୟା ଓ ତିନୋଟି ପୁତ୍ର । ପୁତ୍ରମାନଙ୍କ ମଧ୍ୟରେ କୁଞ୍ଜବିହାରୀ ଥିଲେ ମଧ୍ୟମ ସନ୍ତାନ । ତାଙ୍କର ବାଲ୍ୟଶିକ୍ଷା ଗ୍ରାମାଞ୍ଚଳରୁ ହିଁ ଆରମ୍ଭ ହୋଇଥିଲା । ବରପୁଟ ନିମ୍ନ ପ୍ରାଥମିକ ସ୍କୁଲ ଓ ବାଙ୍କି ମାଇନର୍‌ ସ୍କୁଲରେ ପଢ଼ା ଶେଷ କରି ସେ ବାଙ୍କି ଡମପଡ଼ା ହାଇସ୍କୁଲରେ ଆସି ନାମ ଲେଖାଇଲେ । ସେଠାରୁ ୧୯୨୮ ମସିହାରେ ମେଟ୍ରୁକୁଲେସନ୍‌ ପାଶ୍‌ କରି ସେହି ବର୍ଷ କଟକ ଆସି ରେଭେନ୍‍ସା କଲେଜରେ ଅଧ୍ୟୟନ କଲେ । ସେଠାରେ ଚାରି ବର୍ଷ ଶିକ୍ଷା ଲାଭ କରି ୧୯୩୨ ମସିହାରେ ସଂସ୍କୃତରେ ଅନର୍ସ ସହ ବି.ଏ. ପାଶ୍‌ କଲେ । ମେଧାବୀ ଛାତ୍ର ଭାବରେ ସେ ଅନର୍ସରେ ପ୍ରଥମ ଶ୍ରେଣୀ ପ୍ରଥମ ସ୍ଥାନ ଲାଭ ପୂର୍ବକ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ।

 

ରେଭେନ୍‍ସା କଲେଜ ଇଷ୍ଟ ହଷ୍ଟେଲ୍‌ର ସେ ଥିଲେ ଅନ୍ତେବାସୀ । ଏକ ସାକ୍ଷାତକାରରେ କୁଞ୍ଜବିହାରୀ ଆପଣା ହଷ୍ଟେଲ୍‌ ଜୀବନ ସମ୍ପର୍କରେ କହନ୍ତି–‘‘ବିଖ୍ୟାତ ସାହିତ୍ୟ ସାଧକ ଆର୍ତ୍ତବଲ୍ଲଭ ମହାନ୍ତି ହଷ୍ଟେଲର ସୁପରିନ୍‌ଟେଣ୍ଡେଣ୍ଟ ଥିଲେ । ସେତେବେଳର ଛାତ୍ରାବାସ ଶୁଙ୍ଖଳିତ ଥିଲା । ଅଧ୍ୟାପକମାନେ ଛାତ୍ରମାନଙ୍କୁ ନିଜର ଆତ୍ମୀୟ ବୋଲି ଭାବୁଥିଲେ । ପିଲାମାନଙ୍କର ପଢ଼ାପଢ଼ି ପ୍ରତି ସେମାନେ ଗଭୀର ଦୃଷ୍ଟି ରଖୁଥିଲେ । ମାସିକ ଦଶ ଟଙ୍କାରେ ଦୁଇ ଓଳି ଭଲ ମିଲ୍‌ ମିଳୁଥିଲା, ଯାହା ଆଜି ବିଶ୍ଵାସଯୋଗ୍ୟ ନୁହେଁ ।’’ (କୋଣାର୍କ–୧୧୪, ୧୯୯୯, ପୃଷ୍ଠା ୧୩୧)

 

ସ୍ନାତକୋତ୍ତର ଶିକ୍ଷା ଲାଭ ପାଇଁ କୁଞ୍ଜବିହାରୀ ବିହାରର ପାଟନା କଲେଜକୁ ଯାଇଥିଲେ-। ସେଠାରେ ସଂସ୍କୃତ ଭାଷା-ସାହିତ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ୧୯୩୪ ମସିହାରେ ଏମ୍‌.ଏ. ପାଶ୍‌ କଲେ । ପାଟନା କଲେଜରେ ନିଜର ସର୍ବାଙ୍ଗୀନ କୃତିତ୍ଵ ପାଇଁ ସେ ଯେପରି ପ୍ରଶଂସିତ ହୋଇଥିଲେ, ତାହା ନିମ୍ନ ପ୍ରଶଂସା ପତ୍ର ଯୋଡ଼ିକରୁ ଜଣାପଡ଼େ ।

Image

 

Office of the Principal

Patna College, Bankipore, the 9th August, 1934

 

This is to Certify that Kunjabehari Tripathy has been a student of this college in the M.A. classes in Sanskrit for two years (1932-34). He was granted a post-graduate scholarship at this college for having stood first in the first class in Sanskrit Honours at the B.A. examination. His work is very favourably reported on by his professors, who seem to have formed a good opinion regarding his work and character. He is a good debater and a keen sportsman, and has been a member of the first hockey and football eleven in his hostel. He is one of the best students in the college. His conduct has always been satisfactory and to the best of my knowledge he bears an excellent character.

 

Sd./R.P.Khosla, I.E.S.

Principal, Patna College.

 

‘‘T.N.J. College

Bhagalpur

The 29th February, 1936.

 

This is to certify that Kunjabihari Tripathy read with me Comparative philology and Poetics in the V and VI classes at Patna College during the sessions 1932-33 and 1933-34. He is intelligent, industrious and excludingly well-mannered. He was always regular in his studies and had respect for law and order. As a boarder of the post graduate Hostel of which । was warden he behaved admirably well. He played hockey and football regularly and took prominent part in the hostel activities-intellectual as well as social. His conduct in the class room and also in the hostel was very good, and he bears an excellent moral character. In my opinion he is eminently fit for a post of Professor of Sanskrit in a first grade college.

 

Sd./H.Thand I.E.S.

Principal"

 

(୧୯୯୩ ମସିହାରେ କୁଞ୍ଜ ବିହାରୀ ତ୍ରିପାଠୀ ସମ୍ବର୍ଦ୍ଧନା ସମିତି ଦ୍ଵାରା ପ୍ରକାଶିତ ପ୍ରଫେସର କୁଞ୍ଜବିହାରୀ ତ୍ରିପାଠୀ ଅଭିନନ୍ଦନ ଗ୍ରନ୍ଥରୁ ଏହି ପ୍ରଶଂସାପତ୍ର ଯୋଡ଼ିକ ଗୃହୀତ)

 

କୁଞ୍ଜବିହାରୀ ସଂସ୍କୃତଭାଷା-ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ ପରେ ସେହି ପାଟନାରେ ଆଇନ୍‌ ବିଦ୍ୟା ଅଧ୍ୟୟନ କରିଥିଲେ । ୧୯୩୭ ମସିହାରେ ଉତ୍ତାର୍ଣ୍ଣ ହୋଇଥିଲେ ବି.ଏଲ୍. ପରୀକ୍ଷାରେ । ତାହାପରେ ଅଧ୍ୟାପନା ବୃତ୍ତିରେ ଥିଲାବେଳେ ଲଣ୍ଡନ ବଶ୍ଵବିଦ୍ୟାଳୟର ସ୍କୁଲ ଅବ୍‌ ଓରିଏଣ୍ଟାଲ୍‌ ଏଣ୍ଡ୍‌ ଆଫ୍ରିକାନ୍‌ ଷ୍ଟଡ଼ିଜ୍‌ ବିଭାଗରେ ଅଧ୍ୟୟନ ଓ ଗବେଷଣା କରି ସେ ଡକ୍ଟରେଟ୍‌ ଡିଗ୍ରୀ ଲାଭ କରିଥିଲେ ୧୯୫୩ ମସିହାରେ ।

 

ସେ ଥିଲେ ଜଣେ ବହୁପାଠୀ ଓ ଅଧ୍ୟବସାୟୀ ବ୍ୟକ୍ତି । ଆନୁଷ୍ଠାନିକ ଶିକ୍ଷା ଲାଭ ପରେ ସେ ସାଧ୍ୟମତେ ବରାବର ଅଧ୍ୟୟନ ଚଳାଇଥିଲେ । ତାଙ୍କର ଅଧ୍ୟୟନର ବିଷୟ ଥିଲା, ମୁଖ୍ୟତଃ ସଂସ୍କୃତ, ପାଲି ପ୍ରାକୃତ, ପ୍ରାଚୀନ ଓଡ଼ିଆ ସାହିତ୍ୟ ଏବଂ ବିଶେଷତଃ ଭାଷା-ସମ୍ପର୍କିତ ବିଭିନ୍ନ ପ୍ରବନ୍ଧ-

 

କର୍ମଜୀବନ

 

ଓକିଲାତିରୁ କୁଞ୍ଜବିହାରୀଙ୍କ କର୍ମଜୀବନ ଆରମ୍ଭ । ଅଧ୍ୟାପନା କାର୍ଯ୍ୟ ପାଇବା ପୂର୍ବରୁ ସେ ଏମ୍‌.ଏ.ବି.ଏଲ୍‌. ପାଶ୍‌ କରି ସାରିଥିଲେ । ନିଜର ସେହି ରୁଚିକର ଓ ପସନ୍ଦଯୋଗ୍ୟ କର୍ମଟି ପାଇବା ପୂର୍ବରୁ ବସିବାଠାରୁ କାଶିବା ନ୍ୟାୟରେ ସେ ଓକିଲାତିକୁ ଓହ୍ଲାଇଥିଲେ । ୧୯୩୭-୩୮ ମସିହାରେ ପ୍ରାୟ ବର୍ଷେକାଳ ସେହି ବୃତ୍ତିରେ ଥାଇ ଆତ୍ମସନ୍ତୋଷ ପାଇ ନଥିଲେ । ଯାହାହେଉ, ୧୯୩୮ ମସିହା ଜୁଲାଇ ମାସଠାରୁ ତାଙ୍କର ଅଧ୍ୟାପନା ବୃତ୍ତି ଆରମ୍ଭ ହେଲା ।

 

ତାଙ୍କର ପ୍ରଥମ ସରକାରୀ ନିଯୁକ୍ତି କଟକ ରେଭେନ୍‍ସା କଲେଜରେ । ସଂସ୍କୃତ-ଓଡ଼ିଆ ବିଭାଗର ଅଧ୍ୟାପକ ଭାବରେ ଆପଣା ମନ ମୁତାବକ କର୍ମ । ସେହି ବିଭାଗରେ ସେତେବେଳେ ଆର୍ତ୍ତବଲ୍ଲଭ ମହାନ୍ତି, କାଶୀନାଥ ଦାସ ପ୍ରମୁଖ ଅଧ୍ୟାପନା କରୁଥିଲେ । ପରେ ଆସି ଯୋଗଦେଲେ ଡକ୍ଟର କରୁଣାକର କର । ଆପଣା ଶିକ୍ଷକମାନଙ୍କ ସହକର୍ମୀ ଭାବରେ କାର୍ଯ୍ୟ କରିବାରେ ସେ ନିଜକୁ ଗୌରବାନ୍ଵିତ ମନେ କରିଥିଲେ । ଅଧ୍ୟାପକ ଭାବରେ ଏହା ତାଙ୍କର ଶିକ୍ଷାନବିସ୍‌ ରୂପେ କାର୍ଯ୍ୟକାଳ ବୋଲାଯାଇପାରେ । ସେହିଠାରେ ବର୍ଷକ ପରେ ସେ ନିଯୁକ୍ତିରେ ସ୍ଥାୟୀ ହେଲେ ଏବଂ ପ୍ରାୟ ସାତବର୍ଷ ପରେ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦକୁ ଉନ୍ନୀତ ହେଲେ (୧୯୪୫) ।

 

ସେହି ପଦରେ ପ୍ରାୟ ଚାରିବର୍ଷ କାର୍ଯ୍ୟ କଲାପରେ କୁଞ୍ଜବିହାରୀ ଉଚ୍ଚତର ଗବେଷଣା ପାଇଁ ମନ ବଳାଇଲେ । ସେତେବେଳେ ରମାନାଥ ମହାନ୍ତି, ବଂଶୀଧର ସାମନ୍ତରାୟ, ସଦାଶିବ ମିଶ୍ର ପ୍ରମୁଖ ତାଙ୍କର କେତେକ ସହକର୍ମୀ ନିଜ ନିଜ ବିଷୟରେ ଗବେଷଣା-କାର୍ଯ୍ୟ ପାଇଁ ଉଦ୍‌ଯୋଗୀ ହୋଇଥିଲେ । କୁଞ୍ଜବିହାରୀ ଦେଶାନ୍ତର ଯାଇ କୌଣସି ଏକ ନାମଜ୍ୟାଦା ବିଶ୍ଵବିଦ୍ୟାଳୟ ବା ଗବେଷଣା କେନ୍ଦ୍ରରେ ଭାଷା ବିଷୟରେ ଗବେଷଣା କରିବାକୁ ଆଗ୍ରହୀ ହୋଇପଡ଼ିଲେ । ଏ ସମ୍ପର୍କରେ ସେ ଏକ ସାକ୍ଷାତକାରରେ କହିଛନ୍ତି–‘ଡକ୍ଟର କରୁଣାକର କର ମୋର ଜଣେ ପରମ ଶୁଭାକାଙ୍କ୍ଷୀ ଥିଲେ । ସେ ମୋତେ ଥରେ କହିଲେ–ସୁନୀତିବାବୁ (ଚାଟାର୍ଜି) ପ୍ରଭୃତି ଯେପରି ପିଏଚ୍‌:ଡି: ଲଣ୍ଡନରୁ କରି ଆସିଛନ୍ତି, ତୁମେ ସେହିପରି ଲଣ୍ଡନ ଯାଅ । ଉଚ୍ଚତର ଗବେଷଣା କର । ମୁଁ ଏହି କଥାରେ ପ୍ରୋତ୍ସାହିତ ହୋଇ ୧୯୪୯ ମସିହାରେ ଲଣ୍ଡନ ବିଶ୍ଵବିଦ୍ୟାଳୟକୁ ଯାଇ ପିଏଚ୍‌:ଡି: କାର୍ଯ୍ୟ ଆରମ୍ଭ କଲି ।’ (କୋଣାର୍କ-୧୧୪, ଶାରଦୀୟ ସଂଖ୍ୟା, ଅଗଷ୍ଟ-ଅକ୍ଟୋବର, ୧୯୯୯, ପୃଷ୍ଠା ୧୩୧) ।

 

ବିଲାତର ଲଣ୍ଡନ ବିଶ୍ଵବିଦ୍ୟାଳୟରେ ଆଫ୍ରିକୀୟ ଓ ପ୍ରାଚ୍ୟ ବିଦ୍ୟା କେନ୍ଦ୍ର (School of African and Oriental Studies) ସେତେବେଳେ ଭାଷା-ସାହିତ୍ୟର ଗବେଷଣା ପାଇଁ ବିଖ୍ୟାତ ଥିଲା । କୁଞ୍ଜବିହାରୀ ସେଠାରେ ପ୍ରଥମେ ଭାଷାତତ୍ତ୍ୱ ଶିକ୍ଷା କରନ୍ତି । ତା’ପରେ ଆରମ୍ଭ ହୁଏ ତାଙ୍କର ଗବେଷଣା କାର୍ଯ୍ୟ । ପ୍ରଫେସର ଏ:ମାଷ୍ଟର୍‌ ଏବଂ ଡକ୍ଟର ଜେ:ବ୍ରାଉଘ୍‌ଙ୍କର ତତ୍ତ୍ଵାବଧାନରେ ସେ ପ୍ରାୟ ପାଞ୍ଚ ବର୍ଷ କାଳ କାର୍ଯ୍ୟକରି ପ୍ରାଚୀନ ଓଡ଼ିଆ ଅଭିଲେଖର ଅଧ୍ୟୟନ (A study of Early Oriya Inscriptions) ସମ୍ପର୍କରେ ଗବେଷଣା ପ୍ରବନ୍ଧ ପ୍ରସ୍ତୁତ କରନ୍ତି । ତାହାରି ଭିତ୍ତିରେ ୧୯୫୩ ମସିହାରେ ପାଆନ୍ତି ଡକ୍ଟରେଟ୍‌ ଡିଗ୍ରୀ । ପରେ ଗବେଷଣା ପ୍ରବନ୍ଧଟି The Evolution of Oriya Language and Script ଶିରୋନାମାରେ ଉତ୍କଳ ବିଶ୍ଵବିଦ୍ୟାଳୟ ପକ୍ଷରୁ ଗ୍ରନ୍ଥାକାରରେ ପ୍ରକାଶ ପାଏ ୧୯୬୨ ମସିହାରେ ।

 

ପ୍ରସଙ୍ଗ କ୍ରମେ ଏଠାରେ ମୋର ଏକ ବ୍ୟକ୍ତିଗତ ସ୍ମୃତି ଉଲ୍ଲେଖ କରିବି । ୧୯୯୫ ମସିହା ମଧ୍ୟ ଭାଗରେ ମୁଁ ବିଲାତର ଅକ୍ସଫୋର୍ଡ଼ ବିଶ୍ଵବିଦ୍ୟାଳୟ ପରିସରରେ ଥିଲାବେଳେ ସେଠାରୁ ବାରମ୍ବାର ଲଣ୍ଡନ ଯାଉଥିଲି । ଥରେ ଲଣ୍ଡନ ବିଶ୍ଵବିଦ୍ୟାଳୟର ଆଫ୍ରିକୀୟ ଓ ପ୍ରାଚ୍ୟ ବିଦ୍ୟା କେନ୍ଦ୍ରକୁ ଯାଇ ବୁଲି ଦେଖିଲି । ପୂର୍ବରୁ ଡକ୍ଟର ତ୍ରିପାଠୀଙ୍କଠାରୁ ଶୁଣିଥିଲି, ସେଠାରେ ୪/୫ଟି ଥାକରେ ଓଡ଼ିଆ ବହିମାନ ଥିଲା । ସେ ବହିଗୁଡ଼ିକ ଗଲା କୁଆଡ଼େ ? ମାତ୍ର ଗୋଟିଏ ଥାକରେ ପାଞ୍ଚ ଛଅଖଣ୍ଡି ଓଡ଼ିଆ ବହି ଅଯତ୍ନରେ ପଡ଼ି ରହିଥିବାର ଦେଖିଲି । କର୍ତ୍ତୃପକ୍ଷଙ୍କଠାରୁ ଉତ୍ତର ମିଳିଲା-ଓଡ଼ିଆ ବହିଗୁଡ଼ିକ ଆଉ ବ୍ୟବହୃତ ହେଉ ନଥିବାରୁ ତାହା ସବୁ ପାତାଳି (Underground) କରି ଦିଆଯାଇଛି । ସେତେବେଳକୁ ସେଠାରେ କେହି ଓଡ଼ିଆ ବିଭାଗ କଥା ବୁଝିବାକୁ ନ ଥିଲେ । ଡକ୍ଟର ବୋଲଟନ୍‌ ଅବସର ଗ୍ରହଣ କରି ସାରିଥିଲେ ।

 

କୁଞ୍ଜବିହାରୀ ବିଲାତରୁ ବାହୁଡ଼ି ପୁଣି ରେଭେନ୍‍ସା କଲେଜରେ ଯୋଗ ଦେଲେ । ପରେ ପରେ ସେ ଓଡ଼ିଆ-ସଂସ୍କୃତ ବିଭାଗର ରିଡ଼ର୍‌ ପାହ୍ୟାକୁ ଉନ୍ନୀତ ହେଲେ । ୧୯୫୪ ମସିହାରେ ସେ ବଦଳି ହୋଇଗଲେ ବଲାଙ୍ଗିରସ୍ଥ ରାଜେନ୍ଦ୍ର କଲେଜକୁ । ସେଠାରେ ସେ ପ୍ରାୟ ବର୍ଷେ କାଳ କଲେଜର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ରେଭେନ୍‍ସା କଲେଜରେ ଡକ୍ଟର କରୁଣାକର କର ଓଡ଼ିଆ-ସଂସ୍କୃତ ବିଭାଗରୁ ଅବସର ଗ୍ରହଣ କଲାପରେ ସେହି ସ୍ଥାନରେ ୧୯୫୫ ମସିହାରେ ସେ ଯୋଗ ଦେଲେ ପ୍ରଫେସର ଓ ମୁଖ୍ୟ ଅଧ୍ୟାପକ ଭାବରେ । ବଲାଙ୍ଗୀର କଲେଜ ଅଧ୍ୟକ୍ଷ ଭାବରେ ସେ ଯେଉଁ ଶିକ୍ଷାବିଭାଗୀୟ ପ୍ରଶାସନିକ ଅଭିଜ୍ଞତା ଲାଭ କରିଥିଲେ, ପରେ ତାହା ତାଙ୍କର କାର୍ଯ୍ୟରେ ଲାଗିଲା । ୧୯୬୭ ମସିହାରେ ସେ ସମ୍ବଲପୁରସ୍ଥ ଗଙ୍ଗାଧର ମେହେର କଲେଜର ଅଧ୍ୟକ୍ଷ ରୂପେ ସ୍ଥାନାନ୍ତରିତ ହେଲେ ।

 

ବର୍ଷକ ଉତ୍ତାରେ ସରକାରୀ କର୍ମରୁ ତାଙ୍କର ଅବସର ଗ୍ରହଣ । ଅବସର ନେଲା ପରେ ସେ ବେଶିଦିନ ବସି ରହି ନାହାଁନ୍ତି । କର୍ମତତ୍ପର କୁଞ୍ଜବିହାରୀ ୧୯୬୯ ମସିହାରେ ଗଞ୍ଜାମ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସଦ୍ୟ ଉନ୍ମୋଚିତ ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ପ୍ରଫେସର ଭାବରେ ଯୋଗ ଦିଅନ୍ତି । ସେଠାରେ ସେ କାର୍ଯ୍ୟ କରନ୍ତି ୧୯୭୨ ମସିହା ପର୍ଯ୍ୟନ୍ତ । କେବଳ ଓଡ଼ିଆ ଭାଷା-ସାହିତ୍ୟ ବିଭାଗର ପ୍ରଫେସର ଭାବରେ ନୁହେଁ, ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗ ସମୂହର ମୁଖ୍ୟ ଭାବରେ ମଧ୍ୟ କିଛି କାଳ କାର୍ଯ୍ୟ କରି ନିଜର ସଂଗଠନ ଶକ୍ତି ତଥା ପ୍ରଶାସନିକ ଦକ୍ଷତାର ପରିଚୟ ଦିଅନ୍ତି । ସ୍ନାତକୋତ୍ତର ପରୀକ୍ଷା ପରିଚାଳନାରେ ଶୃଙ୍ଖଳା ଓ ନିୟମାନୁବର୍ତ୍ତିତା ଆଣିବାରେ ସେତେବେଳେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏ ସମ୍ପର୍କରେ ତାଙ୍କର ଜଣେ ତତ୍‌କାଳୀନ ସହକର୍ମୀ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ କହନ୍ତି–‘‘ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ନାତକୋତ୍ତର ପରୀକ୍ଷାର ଆରମ୍ଭ । ସକାଳୁ ବର୍ଷା ଲାଗି ରହିଥାଏ । ପିଲାମାନେ କପି କରିବା ପାଇଁ ପ୍ରସ୍ତୁତ ହୋଇ ଆସିଥାଆନ୍ତି । ଏହା ତାଙ୍କର ଦାବୀ । କିନ୍ତୁ ଡକ୍ଟର ତ୍ରିପାଠୀ ଏ ଦିଗରେ ଅଟଳ, ପରୀକ୍ଷାରେ ନିୟମ ଟିକିଏ ଏପଟ ସେପଟ ହେବ ନାହିଁ । ଆରମ୍ଭ ହେଲା ପରୀକ୍ଷା ବର୍ଜନ ଓ ସ୍ଲୋଗାନ । ଗଣ୍ଡଗୋଳର ଆଶଙ୍କା କରି ଶିକ୍ଷକମାନେ ପୋଲିସକୁ ଖବର ଦେବା ପାଇଁ ପରାମର୍ଶ ଦେଲେ । ଭାଇସ୍‌ଚାନସେଲର୍‌ଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପାଇଁ କହିଲେ । କିନ୍ତୁ ଉଭୟ ପାଇଁ ସେ ନାରାଜ । ପିଲାମାନଙ୍କୁ ଆମେ ବୁଝାଇ ପାରିବା । ସେମାନେ ଆମ କଥା ନିଶ୍ଚୟ ରଖିବେ । ପୋଲିସ ଡାକି ଛାତ୍ରମାନଙ୍କୁ ଲାଠିମାଡ଼ ଦିଆଯାଇପାରିବ ନାହିଁ । ଭାଇସ୍‌ଚାନସେଲରଙ୍କୁ ଏଥିରେ ପୂରାଇ ତାଙ୍କ କାର୍ଯ୍ୟରେ ବାଧା ଦିଆଯାଇପାରିବ ନାହିଁ । ପିଲାମାନେ ଆସି ତାଙ୍କ ଅଫିସ୍‌ ରୁମ୍‌ରେ ପହଁଞ୍ଚିଲେ । ତାଙ୍କ ଚଉକି ଓ ଟେବୁଲ୍‌ ଚାରିପଟେ ଘେରି ରହିଲେ । କପି କରିବା ପାଇଁ ସୁଯୋଗ ନଦେଲେ ସେମାନେ ତାଙ୍କୁ ଛାଡ଼ିବେ ନାହିଁ । ଡକ୍ଟର ତ୍ରିପାଠୀ ତାଙ୍କୁ ‘ଥ୍ୟାଂକସ୍‌’ ଦେଇ କୌଣସି ଏକ ସେମିନାର୍‌ ପାଇଁ ଲେଖା ଯାଉଥିବା ପ୍ରବନ୍ଧକୁ ସଂପୂର୍ଣ୍ଣ କରିବା ଆରମ୍ଭ କଲେ । ପିଲା ପାଟିତୁଣ୍ଡ କରୁଥାଆନ୍ତି, କିନ୍ତୁ ତାଙ୍କର ଲେଖା ଅବ୍ୟାହତ ରହିଥାଏ । ପିଲାଙ୍କ ଅଭଦ୍ରତା ସୀମା ଟପିଗଲେ ସେ କେବଳ କହନ୍ତି ‘ତୁମେ କ’ଣ ତୁମ ବାପାଙ୍କ ସହ ଏପରି କଥାବାର୍ତ୍ତା କର !’ ଚାରି ଛ’ ଘଣ୍ଟା ଘେରାଉ କଲା ପରେ ଛାତ୍ରନେତାମାନେ ଧୈର୍ଯ୍ୟହରା ହୋଇପଡ଼ିଲେ ଏବଂ ସେମାନେ ପରୀକ୍ଷା ପାଇଁ ପାଠପଢ଼ି ଆସିନଥିବା ସ୍ଵୀକାର କଲେ । ଡକ୍ଟର ତ୍ରିପାଠୀଙ୍କ ଧ୍ୟାନ ଭଙ୍ଗ ହେଲା । ସେ ସମସ୍ୟାଟିର ସରଳ ସମାଧାନ କରି ଦେଇ କହିଲେ ଯେ ପରୀକ୍ଷା ସମୟ ଛ’ମାସ ଘୁଞ୍ଚାଇ ଦେବା ପାଇଁ ସେ କୁଳପତିଙ୍କୁ ସୁପାରିଶ୍‌ କରିବେ, କିନ୍ତୁ ସେତେବେଳେ ଆଉ କପି କରିବା ପାଇଁ ପ୍ରଶୟ ଦିଆଯିବ ନାହିଁ । ସମସ୍ୟାର ସମାଧାନ ହେଲା । ସେ ଏ ଯେଉଁ ପରମ୍ପରା ସୃଷ୍ଟି କରିଦେଇଗଲେ, ତାରି ଫଳରେ ଏପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିବା ପାଇଁ ଚିନ୍ତା କରିପାରୁ ନାହାଁନ୍ତି । ବିଶ୍ଵବିଦ୍ୟାଳୟ ପାଇଁ ଏହା ତାଙ୍କର କମ୍‌ ଦାନ ନୁହେଁ ।’’ (ପ୍ରଫେସର କୁଞ୍ଜବିହାରୀ ତ୍ରିପାଠୀ ଅଭିନନ୍ଦନ ଗ୍ରନ୍ଥ, ୧୯୯୩, ପୃଷ୍ଠା ୫୬ଗ-ଘ)

 

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଉ କେତୋଟି ଉଲ୍ଲେଖନୀୟ କାର୍ଯ୍ୟ ଡକ୍ଟର ତ୍ରିପାଠୀଙ୍କ ଦ୍ଵାରା ସମାହିତ ହୋଇଥିଲା । ଓଡ଼ିଆ ଭାଷା-ସାହିତ୍ୟ ବିଭାଗର ଏକ ସ୍ଵତନ୍ତ୍ର ଲାଇବ୍ରେରୀ ପ୍ରତିଷ୍ଠା ତାଙ୍କର କୃତିତ୍ୱ । ତହିଁରେ ସେ ବିଭିନ୍ନ ପ୍ରାଚୀନ ଦୁଷ୍ଟ୍ରାପ୍ୟ ପତ୍ରପତ୍ରିକା ଓ ପୁସ୍ତକ ଆଣି ଠୁଳ କରିଥିଲେ, ଯାହା ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ଏପର୍ଯ୍ୟନ୍ତ ବ୍ୟହହୃତ ହୋଇ ଆସୁଛି । ବିଶ୍ଵବିଦ୍ୟାଳୟରେ ଏକ ମିଉଜିୟମ୍‌ ପ୍ରତିଷ୍ଠା ମଧ୍ୟ ତାଙ୍କରି ସଦୁଦ୍ୟମର ଫଳ ।

 

୧୯୭୨ ମସିହାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କାର୍ଯ୍ୟରୁ ବିଦାୟ ଘେନି ଡକ୍ଟର ତ୍ରିପାଠୀ କଟକ ପ୍ରଫେସର ପଡ଼ାସ୍ଥ ନିଜ ବାସଭବନରେ କିଛି କାଳ କଟାଇ ଥିଲେ । ବୟସାଧିକ୍ୟ ହେତୁ ସେ ଆଉ କୌଣସି କର୍ମନିଯୁକ୍ତି ଗ୍ରହଣ କରିବାକୁ ଆଗ୍ରହୀ ନଥିଲେ ମଧ୍ୟ କଟକ ଥୋରିଆ ସାହିସ୍ଥ ମହିଳା କଲେଜ ଗଭର୍ଣ୍ଣିଂ ବଡ଼ିର ସଭାପତିଙ୍କ ବାଧ୍ୟବାଧ୍ୟକତାରେ ୧୯୮୧ ମସିହାରେ ସେହି କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ତାହା କିନ୍ତୁ ଅଳ୍ପ କାଳ ପାଇଁ ।

 

ଆପଣାର ଅଧୀତ ବିଦ୍ୟା ଅର୍ଥାତ୍‌ ଭାଷାତତ୍ତ୍ୱ ଓ ଓଡ଼ିଆ ଭାଷା ବିଷୟରେ କୁଞ୍ଜବିହାରୀ ସୁପଣ୍ଡିତ ଥିଲେ, ଯଦିଚ ସେ ଭଲ ବକ୍ତୃତା ଦେଇପାରୁ ନଥିଲେ । (ଭାଷା ବିଷୟକ ଆଲୋଚନା ସାଧାରଣତଃ ନିରସ ହୋଇଥାଏ) । କିନ୍ତୁ ଗୋଷ୍ଠୀ ଚର୍ଚ୍ଚା ବା ବୈଠକୀ ଆଲୋଚନାରେ ସେ ଥିଲେ ନିପୁଣ । ବାହ୍ୟତଃ ରୁକ୍ଷ ଓ କଠୋର ଦେଖାଯାଉଥିଲେ ମଧ୍ୟ ଛାତ୍ର ତଥା ସହକର୍ମୀ ବନ୍ଧୁମାନଙ୍କ ପ୍ରତି ସେ ଥିଲେ ଉଦାର ଓ ଶ୍ରଦ୍ଧାଶୀଳ । ତାଙ୍କୁ ଅତ୍ୟନ୍ତ ଛାତ୍ରବତ୍ସଳ କହିଲେ ଭୁଲ୍‌ ହେବ ନାହିଁ । ତାଙ୍କର ଜଣେ ପ୍ରତ୍ୟକ୍ଷ ଛାତ୍ର ଡକ୍ଟର ପ୍ରହ୍ଲାଦଚରଣ ମହାନ୍ତି ଏ ବିଷୟରେ ଲେଖିଛନ୍ତି–‘ପ୍ରଫେସର ତ୍ରିପାଠୀଙ୍କ ଛାତ୍ର ବତ୍ସଳତା ବିଜ୍ଞାପିତ ହୁଏ ନାହିଁ । ଛାତ୍ରଙ୍କ ପ୍ରତି ମମତା ଅନ୍ତଃସଲିଳା ଫଲ୍‌ଗୁ ପରି ଅନ୍ତରରେ ପ୍ରବାହିତ ହେଉଥାଏ । ମୋ ଛାତ୍ରଜୀବନର ବହୁ ବର୍ଷ ପରେ ତାଙ୍କର ଏହି ଦେବୋପମ ଗୁଣର ପରିଚୟ ପାଇଲି ।’ ପ୍ରଫେସର କୁଞ୍ଜବିହାରୀ ତ୍ରିପାଠୀ ଅଭିନନ୍ଦନ ଗ୍ରନ୍ଥ, ୧୯୯୩, ପୃଷ୍ଠା ୪୦)

 

କୁଞ୍ଜବିହାରୀଙ୍କ ଛାତ୍ର ବତ୍ସଳତାର ଏକ ଚମତ୍କାର ଦୃଷ୍ଟାନ୍ତ ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ ଆମକୁ ପ୍ରଦାନ କରିଛନ୍ତି । ‘ଅଧ୍ୟାପକ ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ ଜଣେ ଛାତ୍ରବତ୍ସଳ ଅଧ୍ୟାପକ ରୂପେ ଛାତ୍ର ମହଲରେ ଜଣାଶୁଣା ଥିଲେ ବି ଗୋଟିଏ ଘଟଣା ବର୍ଣ୍ଣନା କଲେ, ତାହା ଅପ୍ରାସଙ୍ଗିକ ହେବ ନାହିଁ । ଡକ୍ଟର ଗୋପାଳଚନ୍ଦ୍ର ମିଶ୍ର ଓଡ଼ିଆ ବିଭାଗରେ ତାଙ୍କର ଛାତ୍ର ଓ ପରେ ଜଣେ ସହକର୍ମୀ ଥିଲେ । ପରବର୍ତ୍ତୀ ଜୀବନରେ ଗୋପାଳ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ରୁପେ ଅବସର ଗ୍ରହଣ କରିଥିଲେ । ଡକ୍ଟର ତ୍ରିପାଠୀ ଥିଲେ ଗୋପାଳର ଡକ୍ଟରେଟ୍‌ ନିବନ୍ଧ ଲାଗି ଦିଗ୍‌ଦର୍ଶକ । ଜର୍ମାନୀ ବିଶ୍ଵବିଦ୍ୟାଳୟମାନଙ୍କରେ ନିବନ୍ଧ-ଦିଗ୍‌ଦର୍ଶକମାନଙ୍କୁ ‘ଡକ୍ଟର-ଫାଦର୍‌‘ ବା ଡକ୍ଟର-ପିତା ବୋଲି ବର୍ଣ୍ଣନା କରାଯାଏ । ଡକ୍ଟର ତ୍ରିପାଠୀ, ଗୋପାଳର କେବଳ ଡକ୍ଟର-ଫାଦର୍‌ ନଥିଲେ, ସବୁ ବିଷୟରେ ସେ ଗୋପାଳକୁ ପିତୃପ୍ରତିମ ପରାମର୍ଶ ଦେଇ ଆସୁଥିଲେ । ଗୋପାଳର ହୃଦ୍‌ ଯନ୍ତ୍ରଣା ଆରମ୍ଭ ହେବା ପରେ ବି ସେ ଡକ୍ଟର ତ୍ରିପାଠୀଙ୍କୁ ସାକ୍ଷାତ କରିବାକୁ ଯାଉଥିଲା ଏବଂ ହୃଦ୍‌ ଯନ୍ତ୍ରଣା ପ୍ରତି ଗୁରୁତ୍ୱ ଦେଉ ନଥିଲା । ଡକ୍ଟର ତ୍ରିପାଠୀ ଜବରଦସ୍ତ ଗୋପାଳକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତାହାର ଦୁଇଦିନ ପରେ ଗୋପାଳର ପରଲୋକ ହୋଇଯିବାରୁ ଡକ୍ଟର ତ୍ରିପାଠୀ ତାହାର ରୋଗଶଯ୍ୟାଠାରୁ ତାହାର ମରଶରୀର ଦାହ ହେବା ପର୍ଯ୍ୟନ୍ତ ତା’ଠାରୁ ମୁହୂର୍ତ୍ତେ ମାତ୍ର ଦୂରେଇ ଯାଇ ନଥିଲେ । ଗୋପାଳକୁ ସାହାଯ୍ୟ କରିବା ଲାଗି ବହୁ ସବଳ ଲୋକ ଥିଲେ । ତଥାପି ପ୍ରତ୍ୟେକ କାର୍ଯ୍ୟରେ ଡକ୍ଟର ତ୍ରିପାଠୀ ନିର୍ଦ୍ଦେଶ ନ ଦେଲେ ତାଙ୍କୁ ଶାନ୍ତି ମିଳୁ ନଥିଲା । ମୁଁ ସେଦିନ ଗୋପାଳର ଶବ ପାଖରେ ଡକ୍ଟର ତ୍ରିପାଠୀଙ୍କୁ ଯେପରି ଶୋକ ବିହ୍ଵଳ ଅବସ୍ଥାରେ ଭେଟିଲି, ତାହା ସିନା ଅଙ୍ଗେ ନିଭା କଥା, କିନ୍ତୁ ଭାଷାରେ ବର୍ଣ୍ଣନା କରିହେବ ନାହିଁ ।’ (ପ୍ରଫେସର କୁଞ୍ଜବିହାରୀ ତ୍ରିପାଠୀ ଅଭିନନ୍ଦନ ଗ୍ରନ୍ଥ, ୧୯୯୩, ପୃଷ୍ଠା ୫୨-୫୩)

Image

 

କୃତି ଓ କୃତିତ୍ଵ

 

ଡକ୍ଟର ତ୍ରିପାଠୀ ମୁଖ୍ୟତଃ ଭାଷାର ଆଲୋଚକ/ଗବେଷକ ଭାବରେ ସୁପରିଚିତ । ତାଙ୍କ ଦ୍ୱାରା ଲିଖିତ କେତୋଟି ଓଡ଼ିଆ ଓ ଇଂରାଜୀ ଗ୍ରନ୍ଥରୁ ଏହା ପ୍ରମାଣିତ ହୁଏ । ମାତ୍ର ସମାଲୋଚନରୁ ସେ ଆପଣା ସାହିତ୍ୟିକ ଜୀବନ ଆରମ୍ଭ କରି ନାହାଁନ୍ତି । ସାଧାରଣତଃ ଯାହା ଦେଖାଯାଏ, ସାହିତ୍ୟିକମାନେ କବିତା ରଚନାରୁ ହିଁ ଲେଖନୀର ଶୁଭାରମ୍ଭ କରି ଥାଆନ୍ତି । କୁଞ୍ଜବିହାରୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହୋଇନାହିଁ । ଏ ସମ୍ପର୍କରେ କବି ଅଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ କହନ୍ତି–‘କବିତା ପ୍ରତି ତାଙ୍କର ଆସକ୍ତି କମ୍‌ ନୁହେଁ । ସମୟ ପାଇଲେ, ସଂସ୍କୃତ ଓ ପାଲିକୁ ଅନୁବାଦ କରି ପକାନ୍ତି । କାଳିଦାସଙ୍କ ରଘୁବଂଶର ସାଗର ବର୍ଣ୍ଣନା ତାଙ୍କୁ ଆକୃଷ୍ଟ କରେ । ତାଙ୍କର ‘ସମୁଦ୍ର ବର୍ଣ୍ଣନା’ ଶୀର୍ଷକ ଅନୂଦିତ କବିତା ପ୍ରକାଶ ପାଏ । ବୌଦ୍ଧବାଣୀ ସବୁକୁ ଧର୍ମ୍ମପଦ କୃତିରେ ଅନୁବାଦ ରୂପେ ପ୍ରକାଶ କଲାବେଳେ କବିତା ମାଧ୍ୟମରେ ହିଁ ଉପସ୍ଥାପନ କରିବାକୁ ପ୍ରଲୁବ୍ଧ ହୁଅନ୍ତି । ଏଥିରେ କବିତ୍ୱ-କଳା ଫୁଟୁ ବା ନ ଫୁଟୁ, ଫୁଟିଉଠେ କବି ତ୍ରିପାଠୀଙ୍କ କବିତା ପ୍ରତି ମମତ୍ୱବୋଧ ଓ ଆସକ୍ତି । କବିତା ସତେ କି ତାଙ୍କର ମମତାମୟୀ ପ୍ରେୟସୀର ଭୂମିକା ନେଇ ଠିଆ ହୁଏ । କବିତା ତାଙ୍କୁ କମ୍‌ ବିବ୍ରତ କରେ ନା । ସେ କେତେବେଳେ ଜିଲ୍ଲାପାଳ ସୂର୍ଯ୍ୟନାରାୟଣଙ୍କ ବିୟୋଗରେ ସ୍ମୃତି ଅର୍ଘ୍ୟ ଦିଅନ୍ତି ଓ କେତେବେଳେ ଜାଗର ରାତିର କବିତାରେ ନିଜର ରୋମାଣ୍ଟିକ୍‌ ଭାବାବେଗକୁ ପ୍ରକାଶ କରି ପକାନ୍ତି । ଭାଷାତତ୍ତ୍ୱ ଗବେଷଣା କଲାବେଳେ କବିତାଏ ଆସନ୍ତି ମୁହୂର୍ତ୍ତକ ପାଇଁ ବିଶ୍ଵାମିତ୍ରଙ୍କ ଜୀବନରେ ମେନକାର ଆବିର୍ଭାବ ପରି । କିନ୍ତୁ କାବ୍ୟ-ଶକୁନ୍ତଳାଏ ଆସନ୍ତି ନାହିଁ । ମଳୟ ବହେ, ଚାରିଆଡ଼େ ଫୁଲ ଫୁଟେ । ଅଥଚ ତ୍ରିପାଠୀ ଫେରିଯାଆନ୍ତି ପୁଣି ଦୁସ୍ତର ତପଚର୍ଯ୍ୟାକୁ । ବିସ୍ତୃତ କବିସୁଲଭ ପ୍ରତିବଦ୍ଧତା ବେଳେ ବେଳେ ଆସେ, କିନ୍ତୁ କବିତାର ରସୋତ୍ତୀର୍ଣ୍ଣତା ଆସେ ନାହିଁ । ଏହା ହିଁ ଯୁଗେ ଯୁଗେ ତପସ୍ଵୀର ନିୟତି ।’ (ପ୍ରଫେସର କୁଞ୍ଜବିହାରୀ ତ୍ରିପାଠୀ ଅଭିନନ୍ଦନ ଗ୍ରନ୍ଥ, ୧୯୯୩, ପୃଷ୍ଠା ୧୬୯-୭୦)

 

ଛାତ୍ରାବସ୍ଥାରୁ କୁଞ୍ଜବିହାରୀ କବିତା ରଚନା ଆରମ୍ଭ କରିଥିଲେ । ପରେ କରିଛନ୍ତି କିଛି ସଂସ୍କୃତ କବିତାର ଅନୁବାଦ । ତାଙ୍କର ଦୁଇଖଣ୍ଡି କବିତା ପୁସ୍ତକ ପ୍ରକାଶିତ ହୋଇଛି, ଯଥା–ପୃଷ୍ପାଞ୍ଜଳି (୧୯୫୭), ବନ୍ଦନିକା (୧୯୭୧) । ଆତ୍ମିକରେ ତାଙ୍କର କବିତା ଭାବଗର୍ଭକ ହେଲେ ହେଁ ଆଙ୍ଗିକରେ କାବ୍ୟସାହିତ୍ୟର ଶୈଳୀ ଓ ଭାଷାବିନ୍ୟାସରେ ବହୁ ପରିବର୍ତ୍ତନ ସଂଘଟିତ ହୋଇଥିଲା । ସବୁଜ ଗୋଷ୍ଠୀର କବିମାନେ ତଥା ପ୍ରଗତିବାଦୀ କବିଗଣ କବିତାର ଭାବପ୍ରକାଶରେ ନୂତନ ପଦ୍ଧତି ଓ ନୂଆ ନୂଆ ଛନ୍ଦ ପ୍ରୟୋଗ ପୂର୍ବକ ଉତ୍କଳୀୟ କାବ୍ୟଭାରତୀଙ୍କୁ ଅଭିନବ ବେଶରେ ସଜ୍ଜିତ କରାଇଥିଲେ । କବି ମାୟାଧର ମାନସିଂହ, ରାଧାମୋହନ ଗଡ଼ନାୟକ, ସଚ୍ଚି ରାଉତରାୟ, ଅନନ୍ତ ପଟନାୟକ ପ୍ରମୁଖ ଥିଲେ ଉତ୍କଳଭାରତୀଙ୍କର ସେହି ବେଶକାରୀ । ଏହି ପରିସ୍ଥିତିରେ କୁଞ୍ଜବିହାରୀଙ୍କର ପାରମ୍ପରିକ ରୀତିରେ କବିତା ରଚନା କେତେକଙ୍କୁ ଅସାମଞ୍ଜସ୍ୟ ଲାଗିପାରେ । ତଥାପି ତାଙ୍କର ପଦ୍ୟ ରଚନାରେ କବିତ୍ଵ ଉଣା ନଥିଲା । ଏଠାରେ ତାହାର କେତେକ ଉଦାହରଣ ଦିଆଯାଇପାରେ । ଆପଣାର ପ୍ରଥମ ବିବାହିତା ସ୍ତ୍ରୀଙ୍କର ଅକାଳ ବିୟୋଗରେ ଶୋକାଭିଭୂତ ପ୍ରାଣର ଭାବାବେଗ ସେ ପ୍ରକାଶ କରିଛନ୍ତି ଏହିପରି–

 

‘ସରଗ-ରାଇଜୁ ଆସ ଗୋ

ମାନସ-ମନ୍ଦିରେ ପ୍ରେମ-ସିଂହାସନେ

ବସି, ଥରେ ଧୀରେ ଭାଷ ଗୋ ।।

 

ନିଶବଦ ଅଧରାତିରେ, ପୁଲକାଇ ମୁହଁ କାନ୍ତିରେ

ବହୁ ବରଷର ଅକୁହା ବେଦନା

କ୍ଷଣେ ହୋଇଯାଉ ନାଶ ଗୋ ।।

 

ଶରଧା-ସୁମନେ ଗ୍ରନ୍ଥା ମାଳା ବିରାଜିବ ତବ ଚାରୁ ଗଳା

ନୟନର ନୀରେ ଚରଣ ପଖାଳି

ଗାଇବି ମରମ-ଭାଷ ଗୋ ।।’ ଇତ୍ୟାଦି ।

 

‘ସମର୍ପଣ’ ଶିରୋନାମାରେ ରଚିତ ଏହି କବିତାଟି ୧୯୪୯ ମସିହାରେ ପ୍ରକାଶିତ କୁଞ୍ଜବିହାରୀଙ୍କ ସଂପାଦିତ ‘ଧମ୍ମପଦ’ ଗ୍ରନ୍ଥର ଉତ୍ସର୍ଗ ଲିପି ।

 

ସେହିପରି ତାଙ୍କର ‘ପୁଷ୍ପାଞ୍ଜଳି’ (୧୯୫୭) କାବ୍ୟଗ୍ରନ୍ଥରୁ ‘ସମୁଦ୍ର ବର୍ଣ୍ଣନା’ କବିତାରୁ କିୟଦଂଶର ଉଦାହରଣ–

 

‘‘ପ୍ରିୟେ ! ଫେନିଳ ଜଳଧି ବିଭକ୍ତ ମଳୟାବଧି

ସେତୁରେ ମୋହରି ଯଥା ଶାରଦାକାଶ

ସୁନିର୍ମଳ ତାରକିତ ଛାୟା ପଥେ ଦ୍ୱିଖଣ୍ଡିତ

ଦେଖ କମନୀୟ ରୂପ କରେ ପ୍ରକାଶ

ଆମ୍ଭ ପୂର୍ବବଂଶୀ ସଗର

କୀର୍ତ୍ତି ବୋଲି ନୀମ ଅଟେ ସାଗର ।।

 

ତପନ-କରକଳାପ, ଏଥିରୁ ଜଳୀୟ ବାଷ୍ପ

ନେଇ ଲୋକ ଉପକାର କରେ ସାଧନ

ପ୍ରବାଳ ମୁକୁତା ଫଳ ଆଦି ରତନ ସକଳ

ବଢ଼ନ୍ତି ଏଥିରେ, ଏ ତ ଅକ୍ଷୟ ଧନ

ଚନ୍ଦ୍ରମାର ହୋଇ ଜନକ

କ୍ଷମାଗୁଣେ ବଡ଼ବାଗ୍ନିର ଏ ଧାରକ ।।

ମହିମାରେ ଦଶଦିଶ, ବ୍ୟାପି ଏ ସରିତ-ଈଶ

ଭିନ୍ନ ଭିନ୍ନ ଅବସ୍ଥାକୁ କରେ ପ୍ରକାଶ

କେବେ କ୍ଷୁବ୍ଧ ଭୟଙ୍କର, କେବେ ଶାନ୍ତ ମନୋହର

ତେଣୁ ଏ ସାଗର ଅଟେ ବିଷ୍ଣୁ ସଙ୍କାଶ

କି ଆକୃତି କି ପରିମାଣ

ବିଷ୍ଣୁକଳ୍ପ ସାଗରର କେ’ କରୁ ମାନ ।।’ ଇତ୍ୟାଦି ।’’

ଏହି ପଦ୍ୟଧାରା କୁଞ୍ଜବିହାରୀଙ୍କ ହୃଦୟ କନ୍ଦରରୁ କ୍ରମେ ନିଃଶେଷ ହୋଇଯାଇଥିଲା । ପରବର୍ତ୍ତୀକାଳରେ ସେ ମୁଖ୍ୟତଃ ଗଦ୍ୟ ରଚନାରେ ବିଶେଷ କରି ଭାଷା-ସାହିତ୍ୟର ଆଲୋଚନା ଓ ଗବେଷଣାରେ ମନୋନିବେଶ କରିଥିଲେ ।

ସଂସ୍କୃତ ସାହିତ୍ୟ

କୁଞ୍ଜବିହାରୀଙ୍କ ଏହି ପୁସ୍ତକଟି ପ୍ରଥମେ ଦୁଇଖଣ୍ଡରେ ପ୍ରକାଶ ପାଇଥିଲା । ପ୍ରଥମ ଖଣ୍ତ ୧୯୫୯ ମସିହାରେ ଏବଂ ଦିତୀୟ ଖଣ୍ଡ ୧୯୭୨ ମସିହାରେ । ଆବଶ୍ୟକ ପଡ଼ିଥିଲେ ହେଁ ପୁସ୍ତକଟିର ଦ୍ୱିତୀୟ ସଂସ୍କରଣ କିମ୍ବା ପୁନଃ ମୁଦ୍ରଣ ତାଙ୍କର ଜୀବଦ୍ଦଶାରେ ହୋଇପାରିନଥିଲା । ତାଙ୍କର ପରଲୋକ ପରେ ୨୦୦୬ ମସିହାରେ ଗୋଟିଏ ଖଣ୍ଡରେ ପୁସ୍ତକଟିର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଛି ।

ଏହାକୁ ସଂସ୍କୃତ ସାହିତ୍ୟର ଏକ ପରିଚୟାତ୍ମକ ପୁସ୍ତକ ବୋଲାଯାଇପାରେ । ସର୍ବମୋଟ ସତେଇଶ ଗୋଟି ପ୍ରସଂଗ ଏଥିରେ ସନ୍ନିବେଶିତ । ତନ୍ମଧ୍ୟରୁ କେତୋଟି ପ୍ରଧାନ ପ୍ରଧାନ ପ୍ରସଙ୍ଗ ହେଉଛି-ବେଦରେ ଧର୍ମ ନିରପେକ୍ଷ ଜୀବନ, ଭଗବଦ୍‌ ଗୀତା, ବାୟୁପୁରାଣ, ରାମାୟଣ, ଭାସଙ୍କ ନାଟକ ସମୂହରେ ସମାଜ ଦର୍ଶନ, କୁମାର ସମ୍ଭବ ଓ ଏହାର ଓଡ଼ିଆ ଅନୁବାଦ, କାଳିଦାସଙ୍କ ରଚନାରେ ଶ୍ରେଷ୍ଠ ନାୟକ ଚରିତ୍ର, ଗଦ୍ୟ କାବ୍ୟ, ପାଲି ଓ ସଂସ୍କୃତ ଭାଷାର ଗଳ୍ପ ସାହିତ୍ୟ, ପୁରାଣ, ମନୁସ୍ମୃତି, ଅର୍ଥଶାସ୍ତ୍ର, ନାଟକ, ଚମ୍ପୂ, ସ୍ମୃତିଶାସ୍ତ୍ରରେ ସମାଜଚିତ୍ର, ରାଜତରଙ୍ଗିଣୀ, ପ୍ରାଚୀନ ଭାରତୀୟ ସାହିତ୍ୟ ଓ ବିଶ୍ଵସାହିତ୍ୟ ପ୍ରଭୃତି । ଏଥିମଧ୍ୟରୁ ଅଧିକାଂଶ କେବଳ ତଥ୍ୟ ବା ବିବରଣୀରେ ପର୍ଯ୍ୟବସିତ, ବିଶ୍ଳେଷଣ ବା ବିଚାରବିମର୍ଷ ପ୍ରାୟ ନାହିଁ । କେତୋଟି ଉଦାହରଣ:- ‘ଓଡ଼ିଆ ସାହିତ୍ୟରେ ଯେତେଦୂର ଜଣାପଡ଼େ ପଣ୍ଡିତ ୰ ମୃତ୍ୟୁଞ୍ଜୟ ରଥ କୁମାର ସମ୍ଭବରୁ ପ୍ରଥମ ସପ୍ତମ ସର୍ଗ ପଦ୍ୟାନୁବାଦ କରିଥିଲେ ଏବଂ ପଣ୍ଡିତ କୁଳମଣି ଦାସ ତାଙ୍କର କାଳିଦାସ ସନ୍ଦର୍ଭରେ ଉକ୍ତ ସର୍ଗମାନଙ୍କ କିୟଦଂଶର ଗଦ୍ୟାନୁବାଦ କରିଛନ୍ତି । କିନ୍ତୁ ଉକ୍ତ ଅନୁବାଦ ଗ୍ରନ୍ଥ ଦ୍ଵୟରେ କେତେକ ଅଭାବ ଲକ୍ଷ୍ୟ କରି ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍‌ ଶ୍ରୀ ଭରତଚନ୍ଦ୍ର ନାୟକ କୁମାର ସମ୍ଭବ ଓ ତାରକ ବଧ ନାମରେ ସପ୍ତଦଶ ସର୍ଗବିଶିଷ୍ଟ କୁମାର ସମ୍ଭବର ଓଡ଼ିଆ ଗଦ୍ୟାନୁବାଦ କରିଛନ୍ତି । ଓଡ଼ିଶାରେ ଗଦ୍ୟ ସାହିତ୍ୟର ପ୍ରଚାର ଅପେକ୍ଷା ପଦ୍ୟ ସାହିତ୍ୟର ପ୍ରସାର ସହଜ ଓ ଅଧିକ ହୃଦୟସ୍ପର୍ଶୀ ହୋଇଥିବାରୁ ବୈଦ୍ୟେଶ୍ଵର ମାଇନର ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନୀଳକଣ୍ଠ ମହାପାତ୍ର କୁମାର ସମ୍ଭବର ପ୍ରଥମ ସପ୍ତସର୍ଗର ଓଡ଼ିଆ ଅନୁବାଦ କରି ‘ପାର୍ବତୀ ପରିଣୟ’ ନାମରେ ଓଡ଼ିଆ ପାଠକ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି । ଶ୍ରୀଯୁକ୍ତ ମହାପାତ୍ର ଅଧିକାଂଶ ଆଧୁନିକ କବିଙ୍କ ପରି ଗୋଟଏ ସରଳ ଛନ୍ଦରେ ଗ୍ରନ୍ଥଟି ନିବନ୍ଧନ କରି ଓଡ଼ିଶାର ପ୍ରାଚୀନ ମନୋଜ୍ଞ ବିଭିନ୍ନ ଦଶଗୋଟି ବୃତ୍ତରେ ଉପନିବଦ୍ଧ କରିଥିବାରୁ ଗ୍ରନ୍ଥଟି ସଙ୍ଗୀତମୟ ହୋଇଅଛି ।’ (କୁମାର ସମ୍ଭବ ଓ ଏହାର ଓଡ଼ିଆ ଅନୁବାଦ)

ଅନ୍ୟ ଏକ ଉଦାହରଣ :–

‘‘ପ୍ରାଚୀନ ଭାରତରେ ଦୁଇ ଗୋଟିଏ ସମୃଦ୍ଧ ଭାଷା ଥିଲା, ଯଥା- ସଂସ୍କୃତ ଓ ପାଲି । ବିଶ୍ୱ ସାହିତ୍ୟ ଉପରେ ଏହି ଦୁଇଭାଷାର ଦାନ ଅମୂଲ୍ୟ । ସଂସ୍କୃତ ହିନ୍ଦୁ ଧର୍ମର ବାହକ ଓ ପାଲି ବୌଦ୍ଧ ଧର୍ମର ବାହକ । ସଂସ୍କୃତର ବିକାଶ-କାଳ ପ୍ରାୟ ଖ୍ରୀଷ୍ଟପୂର୍ବ ସପ୍ତମ ଶତକ । ପାଲିର ବିକାଶ- କାଳ ପ୍ରାୟ ପଞ୍ଚମ ଶତକ । ବୁଦ୍ଧଦେବ ଏହି ଭାଷାରେ ଧର୍ମପ୍ରଚାର କରିଥିବାର ଉକ୍ତି ଅଛି । ସଂସ୍କୃତ ଓ ପାଲି ଭାଷା ମଧ୍ୟରେ ସମ୍ପର୍କ ଅତି ଘନିଷ୍ଠ । ପ୍ରାଚ୍ୟ ଦେଶମାନଙ୍କରେ ସଂସ୍କୃତ ଓ ପାଲି ଭାଷାର ଯଥେଷ୍ଟ ପ୍ରଭାବ ପଡ଼ିଥିଲା । ସେ ଦେଶଗୁଡ଼ିକ ଯଥାକ୍ରମେ ଇଣ୍ଡୋନେସିଆ, ବ୍ରହ୍ମଦେଶ, ମାଳୟ, ଚୀନ, ଜାପାନ, ତିବ୍‌ବତ, ଫରାସୀ ଇଣ୍ଡୋଚାଇନା ।’’ (ପ୍ରାଚୀନ ଭାରତୀୟ ସାହିତ୍ୟ ଓ ବିଶ୍ଵ ସାହିତ୍ୟ)

ପ୍ରାଚୀନ ଓଡ଼ିଆ ଅଭିଲେଖ

ଏହା ଏକ କ୍ଷୁଦ୍ର ପୁସ୍ତକ । ଏଥିରେ ଖ୍ରୀଷ୍ଟୀୟ ୧୦୫୧ ମସିହାଠାରୁ ୧୫୬୮ ମସିହା ମଧ୍ୟରେ ଖୋଦିତ ଲେଖଗୁଡ଼ିକର ପରିଚୟାତ୍ମକ ବିବରଣୀ ପ୍ରଦାନ କରାଯାଇଛି । ପୁସ୍ତକଟି କ୍ଷୁଦ୍ର ହେଲେ ହେଁ ବହୁ ତଥ୍ୟ-ଉପାଦାନରେ ସମୃଦ୍ଧ ଏବଂ ସ୍ଥଳବିଶେଷରେ ବିଶ୍ଲେଷଣାତ୍ମକ । କୁଞ୍ଜବିହାରୀଙ୍କ ମତରେ - ‘‘ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିବା ପ୍ରାୟ ୮୦ଟି ଅଭିଲେଖ ମଧ୍ୟରୁ ୧୮ଟି ହେଉଛି ଓଡ଼ିଶାର ଗଙ୍ଗବଂଶ ରାଜତ୍ୱ ସମୟର । ଏହି ଗଙ୍ଗବଂଶ ୧୪୩୫ ଖ୍ରୀ:ଅ: ପୂର୍ବରେ ପ୍ରାୟ ୩୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ରାଜତ୍ୱ କରୁଥିଲେ । ଏହି ଲେଖଗୁଡ଼ିକ ଓଡ଼ିଶାର ପୂର୍ବ ଏବଂ ପଶ୍ଚିମ ଅଞ୍ଚଳ ଓ ଆନ୍ଧ୍ରପ୍ରଦେଶର ଶିକାକୁଳଂ (ଚିକାକୋଲ), ବିଶାଖାପାଟଣା (ଭାଇଜାଗ୍‌) ଜିଲ୍ଲାମାନଙ୍କରେ ପରିଦୃଷ୍ଟ ହୁଏ । ଅବଶିଷ୍ଟ ଖୋଦିତ ଲେଖ ମଧ୍ୟରୁ ୫୦ଟି ଓଡ଼ିଶାରେ ସୂର୍ଯ୍ୟବଂଶ ସମୟର ଲେଖ (୧୪୩୫ଖ୍ରୀ:ଅ: ୧୫୪୦ ଖ୍ରୀ:ଅ:) । ଏହି ବଂଶର ରାଜତ୍ୱ ସମୟର ଓଡ଼ିଆ ଶିଳାଲେଖଗୁଡ଼ିକ ପଶ୍ଚିମବଙ୍ଗର ମିଦିନାପୁର ଜିଲ୍ଲା, ଓଡ଼ିଶାର ସମସ୍ତ ଉପକୂଳ ଜିଲ୍ଲା, ଶିକାକୁଳଂ, ବିଶାଖାପାଟଣା, କୃଷ୍ଣା ଏବଂ ଗୁଣ୍ଟୁର ଜିଲ୍ଲାମାନଙ୍କରୁ ଆବିଷ୍କୃତ ହୋଇଅଛି । ଏହି ବଂଶ ଓଡ଼ିଆ ଓ ତେଲୁଗୁ ଭାଷାରେ ଲେଖା ହୋଇଥିବା ଦୁଇଟି ତାମ୍ରପତ୍ର ସନନ୍ଦ ଆନ୍ଧ୍ର ରାଜ୍ୟର ନେଲ୍ଲୋର ଜିଲ୍ଲାରୁ ଆବିଷ୍କୃତ ହୋଇଅଛି ।’’

ପୁସ୍ତକଟିରେ ପ୍ରାଚୀନ ସଂସ୍କୃତ ଶିଳାଲେଖମାନଙ୍କରେ ଓଡ଼ିଆ ଶବ୍ଦର ପ୍ରଚଳନ, ପ୍ରାଚୀନ ଓଡ଼ିଆ ଅଭିଲେଖ ଆବିଷ୍କାରର ବିବରଣୀ, ଅଭିଲେଖରେ ବ୍ୟବହୃତ ଲିପି, ଶିଳାଲେଖରେ ବର୍ଣ୍ଣିତ ଅବ୍ଦ, ଲେଖର ବିଷୟବସ୍ତୁ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମିଳିଥିବା ଅଭିଲେଖ, ଓଡ଼ିଆ ଅଭିଲେଖର ଭାଷାତତ୍ତ୍ୱ ଇତ୍ୟାଦି ବିଷୟରେ ସଂକ୍ଷିପ୍ତ ଆଲୋଚନା କରାଯାଇଛି । ବିସ୍ମୟର କଥା, ଖ୍ରୀଷ୍ଟୀୟ ସପ୍ତମ ଓ ଦଶମ ଶତାବ୍ଦୀର ଶିଳାଲେଖଗୁଡ଼ିକରେ ‘କୁମ୍ଭାର’, ‘ଭିତରୁ’, ‘ପନ୍ଦର’ ପ୍ରଭୃତି ବିଶୁଦ୍ଧ ଓଡ଼ିଆ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ । ପ୍ରାଚୀନ ଓଡ଼ିଆ ଲେଖମାନଙ୍କରେ ଛଅ ପ୍ରକାର ଅକ୍ଷର ବା ଲିପି ବ୍ୟବହୃତ ହୋଇଥିବାର କୁଞ୍ଜବିହାରୀ ମତ ପ୍ରକାଶ କରିଛନ୍ତି । ସେଗୁଡ଼ିକ ହେଉଛି- ପ୍ରତ୍ନ ଓଡ଼ିଆ ଲିପି, ବିବର୍ତ୍ତିତ ପ୍ରତ୍ନ ଓଡ଼ିଆ ଲିପି, ନାଗରୀ ଲିପି ସହ ମିଶ୍ରିତ ପ୍ରତ୍ନ ଓଡ଼ିଆ ଲିପି, ନାଗରୀ ଲିପି, ପ୍ରାଚୀନ ଓଡ଼ିଆ ଲିପି ଓ ପ୍ରାଚୀନ ତେଲୁଗୁ ଲିପି । ଲେଖାଗୁଡ଼ିକର ବିଷୟବସ୍ତୁ ସମ୍ପର୍କରେ କୁଞ୍ଜବିହାରୀ ଲେଖୁଛନ୍ତି–‘‘ଅଧିକାଂଶ ଅଭିଲେଖ ହେଉଛି ଦେବଦେବୀ, ପୁରୋହିତ, ପୂଜକ, ବ୍ରାହ୍ମଣ ଓ ସନ୍ନ୍ୟାସୀମାନଙ୍କୁ ଦିଆଯାଉଥିବା ଦାନର ବିବରଣୀ । ଦେବଦେବୀଙ୍କୁ ପ୍ରଦତ୍ତ ଦାନର ଅଖଣ୍ଡ ଦୀପ, ବିଭିନ୍ନ ପ୍ରକାର କମନୀୟ ପାତ୍ର ବା ବ୍ୟବହାରଯୋଗୀ ବସ୍ତୁମାନଙ୍କର ଉଲ୍ଲେଖ ଥାଏ । ଦେବଦେବୀଙ୍କ ନିକଟରେ ସର୍ବଦା ଦୀପ ଜାଳିବା ନିମିତ୍ତ ସ୍ଵର୍ଣ୍ଣମୁଦ୍ରା, ରୌପ୍ୟ ମୁଦ୍ରା, ଗୋରୁଗାଈ ମହିଷ ବା ଜମି ଆକାରରେ ଦାନ ଦିଆଯାଏ । ସାଧାରଣତଃ ବ୍ରାହ୍ମଣମାନଙ୍କୁ ନିଷ୍କର ଜମି ଦାନ ରୂପେ ପ୍ରଦତ୍ତ ହୋଇଥାଏ । ଏହି ସକଳ ଅଭିଲେଖ ଅନେକଗୁଡ଼ିଏ ରାଜକୀୟ ଘୋଷଣା ଓ ଉତ୍ସର୍ଗରେ ପରିପୂର୍ଣ୍ଣ । ଗୋଟିଏ ଶାସନରେ ସମ୍ରାଟ କପିଳେଶ୍ଵର ତାଙ୍କ କରଦ ରାଜାମାନଙ୍କୁ ରାଜଦ୍ରୋହ ପାଇଁ ନିର୍ବାସନ ଧମକ ଦେଇଥିବାର ଦେଖାଯାଏ । ଅନ୍ୟ ଗୋଟିକରେ ସେ ତାଙ୍କର ଅବାଧ୍ୟ ସୈନ୍ୟସାମନ୍ତଙ୍କ ବିରୁଦ୍ଧରେ ଦଣ୍ତମୂଳକ କାର୍ଯ୍ୟାନୁଷ୍ଠାନ କରିବାକୁ କହିଛନ୍ତି । ତୃତୀୟଟିରେ ସେ ଲବଣ ଓ କଉଡ଼ି ଉପରୁ କର ଛାଡ଼ କରିବାର ଘୋଷଣା କରିଛନ୍ତି ଓ ଭବିଷ୍ୟତରେ ଆଉ ଏହାର ବ୍ୟତିକ୍ରମ ନ କରିବା ପାଇଁ ରାଜାମାନଙ୍କୁ ଆଦେଶ ଦେଇଅଛନ୍ତି । ତାଙ୍କର ଅନ୍ୟ ଗୋଟିଏ ଶାସନରେ ବ୍ରାହ୍ମଣମାନଙ୍କୁ ପ୍ରଚୁର ଧନ ଦେବାର ଉଲ୍ଲେଖ ଅଛି । ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଏହି ସମ୍ରାଟଙ୍କ ପୁତ୍ର ଓ ଉତ୍ତରାଧିକାରୀ ପୁରୁଷୋତ୍ତମ ଦେବ ତାଙ୍କ ରାଜ୍ୟର ଦକ୍ଷିଣ ଅଞ୍ଚଳରେ ଥିବା ବ୍ରାହ୍ମଣମାନଙ୍କଠାରୁ ଚୌକିଦାରି କର କରାଇଥିଲେ ଏବଂ ଓଡ଼ିଶାର ଭବିଷ୍ୟତ ରାଜାମାନଙ୍କୁ ବ୍ରାହ୍ମଣମାନଙ୍କ ପ୍ରତି ଦୟାଳୁ ହେବା ନିମିତ୍ତ ନିର୍ଦ୍ଦେଶ ଦେଇଥିଲେ ଓ ସେମାନଙ୍କ ପ୍ରତି ଉତ୍‌ପୀଡ଼ନ କରିବା ପାଇଁ ମନା କରିଥିଲେ । ଆଉ ମଧ୍ୟ ସେ ଗୋଚର ଭୂମି ଓ ଗୋପଥକୁ ଆତ୍ମସାତ୍‌ କରିବା ନିମିତ୍ତ ନିଷେଧ କରିଥିଲେ । ତାଙ୍କ ପୁତ୍ର ପ୍ରତାପରୁଦ୍ର ଗୋଟିଏ ଶାସନରେ ପୁରୀ ଜଗନ୍ନାଥ ମନ୍ଦିରରେ ଗୀତଗୋବିନ୍ଦ ପାଠର ଆଦେଶ ଦେଇଛନ୍ତି । ପରବର୍ତ୍ତୀ ଅନ୍ୟ ଜଣେ ରାଜା ଜଗନ୍ନାଥ ମନ୍ଦିରରେ ଥିବା ଯାତ୍ରୀମାନଙ୍କ ଦାନକୁ ଆତ୍ମସାତ୍‌ କରିବା ପାଇଁ ନିଷେଧ କରିଅଛନ୍ତି । ଧର୍ମ ଓ ନୀତି ପ୍ରତି ରାଜାମାନଙ୍କର ପ୍ରଗାଢ଼ ବିଶ୍ଵାସ ଏବଂ ବ୍ରାହ୍ମଣ ବା ପଣ୍ଡିତମାନଙ୍କ ପ୍ରତି ସମ୍ମାନ ଏହି ଶାସନଗୁଡ଼ିକରୁ ପ୍ରକଟିତ ହୁଏ ।’’

ଖ୍ରୀଷ୍ଟୀୟ ପଞ୍ଚଦଶ / ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାର ସମାଜ-ଜୀବନ, ଭାଷା, ରାଜନୀତି, ଧର୍ମୀୟ ବିଧି-ନିଷେଧ ଇତ୍ୟାଦି ବିଷୟରେ ଉପାଦେୟ ବିବରଣୀ ଏହି ଅଭିଲେଖଗୁଡ଼ିକରୁ ମିଳିଥାଏ । ଏହାର ଐତିହାସିକ ମୂଲ୍ୟ ଅନସ୍ଵୀକାର୍ଯ୍ୟ । ଅନ୍ୟ ଏକ ଉଲ୍ଲେଖଯୋଗ୍ୟ କଥା ହେଉଛି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାପ୍ତ ଅଭିଲେଖକୁ ବାଦ୍‌ ଦେଲେ, ରାଜ୍ୟ ବାହାରେ ଥିବା ଅଞ୍ଚଳରୁ ଯଥା ବିଶାଖାପତ୍ତନ, ଚିକାକୋଲ, କୃଷ୍ଣା, ଗୁଣ୍ଠୁର, ନେଲୋର ଜିଲ୍ଲାମାନଙ୍କରୁ ମିଳିଥିବା ଅଭିଲେଖଗୁଡ଼ିକର ବିବରଣୀ । ଏବେ ବିଛିନ୍ନାଞ୍ଚଳ ବୋଲାଯାଉଥିବା ଏହି ଜିଲ୍ଲାଗୁଡ଼ିକ ଯେ ଏକଦା ଓଡ଼ିଶାର ଶାସନାଧୀନ ଥିଲା, ଏଥିରେ ସନ୍ଦେହ ନାହିଁ ।

ଅଭିଲେଖଗୁଡ଼ିକର ଭାଷା ପ୍ରୟୋଗ ସମ୍ପର୍କରେ ମଧ୍ୟ ଡକ୍ଟର ତ୍ରିପାଠୀ ଚମତ୍କାର ଆଲୋଚନା କରିଛନ୍ତି । ଓଡ଼ିଆ ଭାଷାର ଆଞ୍ଚଳିକ ଭେଦ, ଭାଷାରେ ବିଭିନ୍ନ ଦ୍ରାବିଡ଼ ଶବ୍ଦ ବ୍ୟବହାର, ଓଡ଼ିଆ ଲିପି ବା ଅକ୍ଷର ବ୍ୟବହାରରେ କେତେକ ବୈଶିଷ୍ଟ୍ୟ ଇତ୍ୟାଦି ସୂଚାଇଛନ୍ତି । ସର୍ବୋପରି ତତ୍‌କାଳୀନ ଓଡ଼ିଆ ଭାଷାରେ ଯାବନିକ ଶବ୍ଦର (ଆରବୀ,ପାରସୀ ଆଦି) ବ୍ୟବହାର ସେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ଉଲ୍ଲେଖନୀୟ କଥା ହେଉଛି–ଓଡ଼ିଶାରେ ମୁସଲମାନ ଶାସନର (୧୫୬୮ ମସିହା) ବହୁ ପୂର୍ବରୁ ଓଡ଼ିଆ ଭାଷାରେ ଯାବନିକ ଶବ୍ଦର ଅନୁପ୍ରବେଶ ହୋଇଥିବାର ପ୍ରମାଣ କେତେକ ଅଭିଲେଖରୁ ମିଳିଥାଏ ।

ଓଡ଼ିଆ ଭାଷା ଓ ଲିପି

ଏହି ଶିରୋନାମା ପରିସରରେ କୁଞ୍ଜବିହାରୀଙ୍କ ଲିଖିତ କେତେକ ଉଲ୍ଲେଖନୀୟ ଗ୍ରନ୍ଥ ଓ ପ୍ରବନ୍ଧର ଆଲୋଚନା କରାଯାଇପାରେ । ରେଭେନ୍‍ସା କଲେଜ ଓଡ଼ିଆ ସାହିତ୍ୟ ସମାଜ ପକ୍ଷରୁ ୧୯୬୨ ମସିହାରେ ପ୍ରକାଶିତ ‘‘ଗଙ୍ଗାଧର ସ୍ମରଣିକା’ ଗ୍ରନ୍ଥରେ ସେ ‘ଗଙ୍ଗାଧରଙ୍କ ରଚନାରେ ପ୍ରତୀଚ୍ୟ ଓଡ଼ିଆ ଉପଭାଷା’ ଶୀର୍ଷକ ଏକ ଉପାଦେୟ ପ୍ରବନ୍ଧ ଲେଖିଛନ୍ତି । ପ୍ରବନ୍ଧଟିର ଆଲୋଚନାରେ ମୌଳିକତା ଉଲ୍ଲେଖନୀୟ । ‘ଗଙ୍ଗାଧର ମେହେରଙ୍କ ମାତୃଭାଷା ହେଉଛି ଭୁଲିଆ-। ଏହା ଗୋଟିଏ ବିଭାଷା ଅର୍ଥାତ୍‌ ମିଶ୍ରିତ କ୍ଷୁଦ୍ର ଭାଷା । ଏଥିରେ ଓଡ଼ିଆ ଓ ଲରିଆର ମିଶ୍ରଣ ଦେଖାଯାଏ । ଏହା ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ଅଗରିଆ ଜାତି ଓ ଭୁଲିଆ ଜାତି ଦ୍ଵାରା କଥି‌ତ ହୁଏ । ଅଗରିଆମାନେ କୃଷିଜୀବୀ ଓ ଭୁଲିଆମାନେ ତନ୍ତବାୟ । ଏହି ବିଭାଷା ଗ୍ରିଅରସନ୍‌ଙ୍କ ମତରେ ଛତିଶଗଡ଼ୀ ବା ଲରିଆର ଅନ୍ତର୍ଗତ । ଛତିଶଗଡ଼ୀ ବା ଲରିଆ ହେଉଛି ପ୍ରାଚ୍ୟ ହିନ୍ଦୀର ଗୋଟିଏ ଉପଭାଷା । ଗଙ୍ଗାଧର ବରପାଲିରେ ଜନ୍ମ ଗ୍ରହଣ କରି ପ୍ରାୟ ସମସ୍ତ ଜୀବନ ପଶ୍ଚିମ ଓଡ଼ିଶାରେ ଅତିବାହିତ କରିଥିଲେ । ପଶ୍ଚିମ ଓଡ଼ିଶାରେ ସାଧାରଣତଃ ବ୍ୟବହୃତ ଭାଷା ହେଉଛି ପଶ୍ଚିମ ଓଡ଼ିଆ ଉପଭାଷା ବା ସମ୍ବଲପୁରୀ ଓଡ଼ିଆ । ଗଙ୍ଗାଧରଙ୍କ ରଚନାବଳୀ ସାହିତ୍ୟିକ ବା ପ୍ରାମାଣିକ ଓଡ଼ିଆ ଭାଷାରେ ଲିଖିତ ହେଲେ ହେଁ ଅତ୍ୟଳ୍ପ ସ୍ଥାନରେ କବି ଗଙ୍ଗାଧର ପ୍ରତୀଚ୍ୟ ଓଡ଼ିଆ ବା ସମ୍ବଲପୁରୀ ଓଡ଼ିଆର କେତେକ ଆଞ୍ଚଳିକ ଶବ୍ଦ ପ୍ରୟୋଗ କରି ଅଛନ୍ତି ।’’ ଇତ୍ୟାଦି ।

ଗଙ୍ଗାଧରଙ୍କ ତପସ୍ଵିନୀ, ପ୍ରଣୟ ବଲ୍ଲରୀ, ଅର୍ଘ୍ୟ ଥାଳି ଆଦି ପୁସ୍ତକରେ ତଥା କୃଷକ ସଙ୍ଗୀତର କେତେକ ପଦ୍ୟରେ ବ୍ୟବହୃତ ବିଭିନ୍ନ ସମ୍ବଲପୁରୀ ଓଡ଼ିଆ ଶବ୍ଦର ଉଦାହରଣ ଦେବା ସଂଗେ ସଂଗେ ଡକ୍ଟର ତ୍ରିପାଠୀ ସେଗୁଡ଼ିକର ମୂଳ ରୂପ ଏବଂ ମାନକ ଓଡ଼ିଆ ଭାଷାର ଶବ୍ଦ ସହିତ ସମ୍ପର୍କ ଦର୍ଶାଇବାକୁ ପ୍ରୟାସ କରିଛନ୍ତି । ସ୍ଥଳବିଶେଷରେ କେତେକ ଶବ୍ଦର ହିନ୍ଦୀ, ତେଲୁଗୁ ପ୍ରତିଶବ୍ଦ ଉଲ୍ଲେଖ କରିଛନ୍ତି । ଏହା ବେଶ୍‌ ଦୁରୂହ କାର୍ଯ୍ୟ । ଦୃଷ୍ଟାନ୍ତ-ତପସ୍ଵିନୀ ୨ୟ ସର୍ଗରେ ଥବା ସମ୍ବଲପୁରୀ ‘ନିଛି‘ (କ୍ରିୟାପଦ), ଓଡ଼ିଆ-ଚୋପା ଛଡ଼େଇ, ସଂସ୍କୃତ ଛିଦ୍‌ ଧାତୁ ଛିନତ୍ତି । କୃଷକ ସଙ୍ଗୀତର ‘ପହ୍ଲା, ଓଡ଼ିଆ-ତଳି, ସଂସ୍କୃତ ପଲ୍ଲବ ଇତ୍ୟାଦି ।

 

ଡକ୍ଟର ତ୍ରିପାଠୀଙ୍କର ‘ଓଡ଼ିଆ ଭାଷାତତ୍ତ୍ୱ ଓ ଲିପିର ବିକାଶ’ (୧୯୭୭) ଏବଂ ‘ଓଡ଼ିଆ ଭାଷା ଓ ଲିପିର ବିବର୍ତ୍ତନ’ (୧୯୮୪) ପୁସ୍ତକ ଦୁଇଟି ସମଧର୍ମୀ ରଚନା । ଏଥିରେ ଭାଷାର ଶବ୍ଦ ଭଣ୍ଡାର, ସନ୍ଧି, ସମାସ, କାରକ-ବିଭକ୍ତି, କୃଦନ୍ତ ଓ ତଦ୍ଧିତ ପ୍ରତ୍ୟୟ, ଧ୍ଵନି ପରିବର୍ତ୍ତନ, ଭାଷାର ଶୁଦ୍ଧତା, ଲିପିତତ୍ତ୍ୱ, ଲିଙ୍ଗ, କ୍ରିୟା ପ୍ରକରଣ, ଅର୍ଥ ପରିବର୍ତ୍ତନ, ଆଦିବାସୀଙ୍କ ଭାଷା, ପଶ୍ଚିମ ଓଡ଼ିଆ ଉପଭାଷା, ବିଭିନ୍ନ କବି-ଲେଖକଙ୍କ ବ୍ୟବହୃତ ଭାଷା ପ୍ରଭୃତି ବହୁ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଦୃଷ୍ଟାନ୍ତ ସ୍ଵରୂପ - ‘ଓଡ଼ିଆ ଭାଷୀ ସାଧାରଣତଃ ‘ଶ’ ‘ଷ’ ଉଚ୍ଚାରଣ କରେ ନାହିଁ । ସଂସ୍କୃତର ‘ଶ’ ଓ ‘ଷ’ କୁ ସେ ‘ସ’ ଭାବରେ ଉଚ୍ଚାରଣ କରେ । ସଂସ୍କୃତର ‘ସବିଶେଷ’ ଏହି ସମାସ ପଦଟିରେ ତିନୋଟି ଯାକ ଶ,ଷ,ସ ଥିଲେ ମଧ୍ୟ ଓଡ଼ିଆ ଭାଷୀ ସେସବୁକୁ ସାଧାରଣ ଭାବରେ ‘ସ’ ବୋଲି ଉଚ୍ଚାରଣ କରିଥାଏ । ଏହି ଦନ୍ତ୍ୟ ‘ସ’ ଉଚ୍ଚାରଣ କଲାବେଳେ ଜିହ୍ଵାର ସମ୍ମୁଖ ଭାଗ କଠିନ ତାଳୁ ଆଡ଼କୁ ଉତ୍ତୋଳିତ ହୋଇଥାଏ ଏବଂ ତାକୁ ଆଉ ଜିହ୍ଵା ମଧ୍ୟବର୍ତ୍ତୀ ସ୍ଥାନ ଏତେ ସଂକୀର୍ଣ୍ଣ ହୋଇଯାଏ ଯେ ଶ୍ଵାସନଳୀରୁ ବହିର୍ଗତ ବାୟୁ ଉକ୍ତ ସଂକୀର୍ଣ୍ଣ ସ୍ଥାନ ଦେଇ ଗତି କଲାବେଳେ ଘର୍ଷଣ ଧ୍ଵନି ଜାତ ହୁଏ । ଜିହ୍ୱାର ଅଗ୍ରବିନ୍ଦୁ ଦନ୍ତର ମୂଳକ ସ୍ପର୍ଶ କରୁଥିବାରୁ ଏହାକୁ ଦନ୍ତ୍ୟ‘ସ’ ନ କହି ଦନ୍ତମୂଳୀୟ ‘ସ’ କହିବା ଉଚିତ । ଆଧୁନିକ ଧ୍ଵନିଶାସ୍ତ୍ରରେ ପୂର୍ବୋକ୍ତ ସଂଘର୍ଷ ହେତୁ ଏହାକୁ ଘୃଷ୍ଟ ବା Fricative ଧ୍ୱନି କୁହାଯାଏ ।’ (ଓଡ଼ିଆ ବର୍ଣ୍ଣମାଳା ଓ ତାହାର ଉଚ୍ଚାରଣ ବିଧି)

 

ଅନ୍ୟ ଏକ ଦୃଷ୍ଟାନ୍ତ–‘ଓଡ଼ିଶାର ଆଦିବାସୀମାନଙ୍କର ଭାଷା ସମ୍ବନ୍ଧରେ ଯେପରି ଅନୁସନ୍ଧାନ ଓ ଆଲୋଚନା କରାଯିବାର କଥା, ବୈଜ୍ଞାନିକ ଦୃଷ୍ଟିରେ ତାହା ଏପର୍ଯ୍ୟନ୍ତ ଓଡ଼ିଶା ପଣ୍ଡିତମାନଙ୍କ ଦ୍ଵାରା କରାଯାଇନାହିଁ । ଓଡ଼ିଆ ଭାଷାର ଦେଶଜ ବା ଦେଶୀ ଶବ୍ଦାବଳୀ ମଧ୍ୟରୁ କେତେକ ଦ୍ରାବିଡ଼ ଭାଷା ପରିବାରରୁ ଆସିଅଛି । ଯଥା-ପିଲା, ବିଲ, ଚୁଆ, ତୋଟା, ଉଙ୍କିବା, ଚୁମୁଟିବା ଓ ଅନ୍ୟ କେତେକ ଶବ୍ଦ ଓଡ଼ିଶାର ଆଦିବାସୀମାନଙ୍କ ମୁଣ୍ଡାରୀ ଭାଷାରୁ ଆସିଥିବା ସମ୍ଭବ-। ଓଡ଼ିଆ ଭାଷାର କେରା (Bundle), ମାହାଳିଆ (gratis), ଡେବିରି (Left), ପାଇଟି (Work), ଧାଙ୍ଗଡ଼ା ପ୍ରଭୃତି ଶବ୍ଦ ଏବଂ ପଶ୍ଚିମ ଓଡ଼ିଆ ଉପଭାଷାର କୁଲିଆ (fox), ଲେତି (ripe), ଅମିବା ( to reach) ପ୍ରଭୃତି ଶବ୍ଦ, ଏବଂ ସମଗ୍ର ଓଡ଼ିଶାର କୋଡ଼ି ରୀତିରେ ଗଣନା-ପଦ୍ଧତି ଏବଂ ଅନେକଗୁଡ଼ିଏ ଗ୍ରାମର ନାମ ମୁଣ୍ଡାରୀ ଭାଷାରୁ ଗୃହୀତ ହୋଇଥିବା ଅନୁମିତ I’ (ଓଡ଼ିଆ ଓ ଓଡ଼ିଶାର ଆଦିବାସୀଙ୍କ ଭାଷା)

 

ସେହିପରି ଓଡ଼ିଆ ଅକ୍ଷର ବା ଲିପି ସମ୍ପର୍କରେ ଆଲୋଚନା ପୂର୍ବକ କୁଞ୍ଜବିହାରୀ ଲେଖିଛନ୍ତି - ‘ଓଡ଼ିଆ ଲିପି ଅନ୍ୟ ସହୋଦରା ଲିପିମାନଙ୍କ ପରି ପ୍ରାଚୀନ ଭାରତର ବ୍ରାହ୍ମୀ ଲିପିରୁ ବିବର୍ତ୍ତିତ ହୋଇ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀଠାରୁ ଆରମ୍ଭ କରି ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ କେତେକ ସ୍ତରରେ ଗତି କରିଅଛି । ଶେଷୋକ୍ତ ଶତାବ୍ଦୀରେ ଏହା ପ୍ରାୟ ଗୋଲାକାର ଓଡ଼ିଆ ଲିପିରେ ପରିଣତ ହୋଇଅଛି । ଓଡ଼ିଶା ଏବଂ ଭାରତର ବିଭିନ୍ନ ଅଞ୍ଚଳମାନଙ୍କରୁ ପ୍ରାପ୍ତ ଅନେକ ଶିଳାଲେଖ ତଥା ତାମ୍ରଲେଖ ଏହି ସ୍ତରଗୁଡ଼ିକର ସାକ୍ଷ୍ୟ ପ୍ରଦାନ କରନ୍ତି । ତେଣୁ ଏହି ଖୋଦିତ ଲେଖାବଳୀର ଲିପିଗୁଡ଼ିକୁ କେତେକ ସ୍ତର ବା ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ନିମ୍ନଲିଖିତ ଐତିହାସିକ କାଳାନୁକ୍ରମରେ ବିଭକ୍ତ କରାଯାଇପାରେ ।

 

୧.

ବ୍ରାହ୍ମୀ ଲିପି (ଖ୍ରୀ:ପୂ: ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ଖ୍ରୀ:ଅ: ତୃତୀୟ ଶତାବ୍ଦୀ ପର୍ଯ୍ୟନ୍ତ)

୨.

ଗୁପ୍ତଲିପି (ପ୍ରାୟ ଖ୍ରୀ:ଅ: ତୃତୀୟ ଶତାବ୍ଦୀଠାରୁ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ)

୩.

ସୂକ୍ଷ୍ମକୋଣୀ ଲିପି (କଣ୍ଟକ-ଶୀର୍ଷକ ଓ କୀଳକ ଶୀର୍ଷ ଲିପି ପର୍ଯ୍ୟନ୍ତ)– (ଷଷ୍ଠ ଶତାବ୍ଦୀଠାରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ)

୪.

ମାଗଧୀ ଲିପି (ବ୍ୟୁହ୍ଲରଙ୍କ ଅନୁସାରେ ପ୍ରଟୋ-ବେଙ୍ଗଲି ଲିପି)

 

(୧୧ଶ ଶତାବ୍ଦୀଠାରୁ ୧୪ଶ ଶତାବ୍ଦୀ ପର୍ଯ୍ୟନ୍ତ)

୫.

ପ୍ରାଚୀନ ଓଡ଼ିଆ ଲିପି (୧୪ଶ ଶତାବ୍ଦୀଠାରୁ ୧୬ଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ)

୬.

ବର୍ତ୍ତମାନ ବା ଆଧୁନିକ ଓଡ଼ିଆ ଲିପି (୧୬ଶ ଶତାବ୍ଦୀଠାରୁ ଅଦ୍ୟାବଧି)

 

ଓଡ଼ିଆ ଲିପିତତ୍ତ୍ୱ‌ ବିଷୟକ ଆଲୋଚନା ବିଭିନ୍ନ ଅଭିଲେଖ ସାହାଯ୍ୟରେ କରାଯାଇଥିବାରୁ ପ୍ରାମାଣିକ ହୋଇପାରିଛି । ଏଥିପାଇଁ ଡକ୍ଟର ତ୍ରିପାଠୀ ନକ୍‌ସା ଓ ରେଖାଚିତ୍ରର ସହାୟତା ମଧ୍ୟ ନେଇଛନ୍ତି ।

 

ଏ କ୍ଷେତ୍ରରେ ତାଙ୍କର The Evolution of Oriya Language and Script ଇଂରାଜୀରେ ଲେଖା ଏକ ଗୁରୁତ୍ଵପୂର୍ଣ୍ଣ ନିବନ୍ଧ । ଏହି ନିବନ୍ଧଟି ୧୯୫୩ ମସିହାରେ ଲଣ୍ଡନ ବିଶ୍ଵବିଦ୍ୟାଳୟରୁ ଡକ୍ଟରେଟ୍‌ ଡିଗ୍ରୀ ପ୍ରାପ୍ତ । ଦୀର୍ଘ ପାଞ୍ଚବର୍ଷର ଗବେଷଣା ଲବ୍ଧ ଏହି ନିବନ୍ଧକୁ ଉତ୍କଳ ବିଶ୍ଵବିଦ୍ୟାଳୟ ୧୯୬୨ ମସିହାରେ ମୁଦ୍ରିତାକାରରେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସ୍ଵୟଂ କୁଞ୍ଜବିହାରୀଙ୍କ ତୁଣ୍ଡରକଥା–‘‘ମୁଁ ଓଡ଼ିଆ ଶିଳାଲେଖରୁ ଓଡ଼ିଆ ଭାଷା ଓ ଲିପିର ଉତ୍ପତ୍ତି ସମ୍ପର୍କରେ ଗବେଷଣା କରି ୧୯୫୩ ମସିହାରେ ପିଏଚ୍‌.ଡି. ପାଇବାକୁ ଯୋଗ୍ୟ ବିବେଚିତ ହେଲି, ଯାହା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ଵାରା ‘ଦି ଇଭୋଲ୍ୟୁସନ୍‌ ଅଫ୍‌ ଓଡ଼ିଆ ଲାଙ୍ଗୁଏଜ୍‌ ଆଣ୍ଡ ସ୍କ୍ରିପ୍ଟ’ ନାମରେ ପ୍ରକାଶିତ ହୋଇଛି । ଓଡ଼ିଆ ଶିଳାଲେଖରୁ ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ ସମ୍ପର୍କରେ ସେତେବେଳେ କୌଣସି ଉଲ୍ଲେଖଯୋଗ୍ୟ ଅନୁଶୀଳନ ହୋଇ ନଥିଲା । ଆମ ଶିଳାଲେଖ ପ୍ରାଚୀନ । ଆମ ଭାଷା ଓ ଜାତିର ଇତିହାସ, ପରିଚୟ ଏହି ଶିଳାଲେଖ ପ୍ରଦାନ କରେ-। ଏହି ଗୁରୁତ୍ୱପୂର୍ଣ୍ଣ ଦିଗକୁ ସମଗ୍ର ବିଶ୍ଵରେ ଉନ୍ମୋଚନ କରିବା ପାଇଁ ମୁଁ ଚିନ୍ତା କରି ଏହି ବିଷୟରେ ଗବେଷଣା କଲି ।’’ (କୋଣାର୍କ, ଅଗଷ୍ଟ–ଅକ୍ଟୋବର, ୧୯୯୯)

 

ଏଥିରୁ ଓଡ଼ିଆ ଭାଷା ଓ ଲିପି ସମ୍ପର୍କରେ ଗବେଷଣା କରିବାର ଡକ୍ଟର ତ୍ରିପାଠୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ଜଣାପଡ଼େ । ନିବନ୍ଧରେ ସେ ମୁଖ୍ୟତଃ ଗଙ୍ଗ ଓ ସୂର୍ଯ୍ୟବଂଶୀ ରାଜତ୍ୱକାଳୀନ ଅଭିଲେଖ ଓ ତାମ୍ର ଶାସନ ସମୂହର ସଚିତ୍ର ଭାଷାତାତ୍ତ୍ୱିକ ଆଲୋଚନା କରିଛନ୍ତି । ଏଗୁଡ଼ିକ କେବଳ ଓଡ଼ିଆ ଭାଷାରେ ନୁହେଁ, ସଂସ୍କୃତ-ତେଲୁଗୁ-ତାମିଲ ଭାଷାରେ ଖୋଦିତ ହୋଇଛି ମଧ୍ୟ । ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ତଥା ଏବର ଦକ୍ଷିଣ ବିଚ୍ଛିନ୍ନାଞ୍ଚଳରୁ ଏହି ଖୋଦିତ ଲେଖମାନ ଆବିଷ୍କୃତ ହୋଇଥିବା ଉଲ୍ଲେଖନୀୟ ଘଟଣା । ଖୋଦିତ ଲେଖଗୁଡ଼ିକର ଦୀର୍ଘ ଲିପିତାତ୍ତ୍ୱିକ ଆଲୋଚନା (Palaeography) ମଧ୍ୟ ଏହି ନିବନ୍ଧର ଏକ ବିଶିଷ୍ଟ ବିଭବ । ଡକ୍ଟର ତ୍ରିପାଠୀଙ୍କ ଆଲୋଚନାର କିଛି ଅଭାବ ଓ ବ୍ୟତିକ୍ରମ ଦର୍ଶାଇ ଭାଷାବିଜ୍ଞାନୀ ଡକ୍ଟର ବିଜୟ ପ୍ରସାଦ ମହାପାତ୍ର କହନ୍ତି ‘‘ଲିପି ବା ଭାଷାର ବିବର୍ତ୍ତନ ନିର୍ଣ୍ଣୟ କରିବାରେ ସେ (କୁଞ୍ଜବିହାରୀ) ପ୍ରାଚୀନ ପୋଥିଗୁଡ଼ିକର କୌଣସି ସାହାଯ୍ୟ ନେଇ ନାହାନ୍ତି, ଏପରିକି ତୁଳନାତ୍ମକ ଭାବେ ବି ନୁହେଁ । ଏହି ସନ୍ଦର୍ଭଟିର ସମସ୍ତ ଲିପିତାତ୍ତ୍ୱିକ ସିଦ୍ଧାନ୍ତ କେବଳ ଅଭିଲେଖଗୁଡ଼ିକୁ ଧରି କରାଯାଇଛି ଓ ଏହାର ସମସ୍ତ ଉପାଦାନ ଆସିଛି ଅଭିଲେଖରୁ । ଉପାଦାନର ଏହି ଆଂଶିକତା ହେତୁ ଓଡ଼ିଆ ଲିପି-ବିବର୍ତ୍ତନର ସିଦ୍ଧାନ୍ତଗୁଡ଼ିକ ଏକଦେଶ ଦର୍ଶିତାରେ ଦୁଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।’’ (ଅଭିନନ୍ଦନ ଗ୍ରନ୍ଥ, ୧୯୯୩, ପୃଷ୍ଠା ୧୩୮)

 

ତଥାପି ନିବନ୍ଧଟି ସମ୍ପର୍କରେ ସାମଗ୍ରିକ ଭାବେ ମନ୍ତବ୍ୟ ପ୍ରକାଶ କରି ଡକ୍ଟର ବିଜୟ ପ୍ରସାଦ ମହାପାତ୍ର ଲେଖିଛନ୍ତି–‘ଭାରତର ଅଳ୍ପ କେତୋଟି ଭାଷାକୁ ଛାଡ଼ିଦେଲେ, କ୍ଵଚିତ୍‌ ଗୋଟିଏ ଆଧୁନିକ ଆଞ୍ଚଳିକ ଭାଷାରେ ଏତେ ପରିମାଣରେ ଅଭିଲେଖ ମିଳିଥାଏ । ଓଡ଼ିଆ ଭାଷାର ଅଧ୍ୟୟନ କ୍ଷେତ୍ରରେ ଏହି ଅଭିଲେଖଗୁଡ଼ିକର ଭୂମିକା ଅତ୍ୟନ୍ତ ସ୍ପଷ୍ଟ ଭାବେ ଡକ୍ଟର ତ୍ରିପାଠୀ ଉପସ୍ଥାପିତ କରିଯାଇଛନ୍ତି । ଡକ୍ଟର ତ୍ରିପାଠୀ ଦୀର୍ଘ ଚାଳିଶ ବର୍ଷ ତଳେ ଯେଉଁ କଷ୍ଟ ସ୍ଵୀକାର କରି ଏହି ଅମୂଲ୍ୟ ଉପାଦାନଗୁଡ଼ିକୁ ଏକତ୍ର କରିଥିଲେ, ସେ ଅବସ୍ଥାର ବିଶେଷ ପରିବର୍ତ୍ତନ ହୋଇଛି ବୋଲି ଆମର ମନେ ହୁଏ ନାହିଁ । ଏବେ ବି ଯଦି କେହି ଓଡ଼ିଆ ଅଭିଲେଖର ଚର୍ଚ୍ଚାରେ ନିବିଷ୍ଟ ହେବା ପାଇଁ ଇଚ୍ଛୁକ ହେବ, ତାକୁ ବି ପୁଣି ସେଇ ମୂଳରୁ ଆରମ୍ଭ କରିବାକୁ ପଡ଼ିବ । ଏହା ଖାଲି କ୍ଷୋଭର ବିଷୟ ନୁହେଁ, ଲଜ୍ଜାର ବିଷୟ ମଧ୍ୟ । ଯେଉଁ ଜାତି ତା’ର ଇତିହାସକୁ ଉଦ୍ଧାର କରିବାକୁ ଶିଖି ନାହିଁ, ସେ ଜାତିର ଇତିହାସ ବୋଲି କିଛି ନାହିଁ । ନାନା କାରଣରୁ ଓଡ଼ିଆ ଜାତିର ସଭ୍ୟତା, ସଂସ୍କୃତି, ଭାଷା, ସାହିତ୍ୟ, ଇତିହାସ ଅନ୍ୟମାନଙ୍କ କଲମ ଜୋର୍‌ରେ ବିକୃତ ବିକଳାଙ୍ଗ ରୂପ ନେଇଛି ଓ ଓଡ଼ିଆ ଛାତ୍ରମାନେ ସେଇ ବିକଳତାକୁ ବିନା ପ୍ରତିବାଦରେ ଗଳାଦ୍ଧ କରୁଛନ୍ତି । ଆମର ତିଳେ ହେଲେ କୁଣ୍ଠା ନାହିଁ କହିବାକୁ ଯେ ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ ମୁଷ୍ଟିମେୟ ଓଡ଼ିଆ ବିଦ୍ଵାନ୍‌ମାନଙ୍କ ମଧ୍ୟରୁ ଅନ୍ୟତମ, ଯେ ବିଧିବଦ୍ଧ ଭାବେ ଚେଷ୍ଟା କରି ଓଡ଼ିଆ ଲିପିତତ୍ତ୍ଵର ଦ୍ଵାର ଉନ୍ମୋଚନ କରି ଯାଇଛନ୍ତି । ସେଥିପାଇଁ ଏ ଜାତି ତାଙ୍କଠାରେ ଚିରଋଣୀ ରହିବ ।’ (ଅଭିନନ୍ଦନ ଗ୍ରନ୍ଥ, ୧୯୯୩ ପୃଷ୍ଠା ୧୫୬-୫୭)

 

ଧମ୍ମପଦଂ

 

ଏହାକୁ ବୌଦ୍ଧ ଧର୍ମର ଭଗବଦ୍‌ ଗୀତା ବୋଇଲେ ଚଳେ । କବିଗୁରୁ ରବୀନ୍ଦ୍ରନାଥଙ୍କ ମତରେ -‘ପୃଥିବୀରେ ଯେଉଁ କେତୋଟି ଉତ୍କୃଷ୍ଟ ଧର୍ମଗ୍ରନ୍ଥ ରହିଛି, ଧମ୍ମପଦ ତନ୍ଜଧ୍ୟରୁ ଗୋଟିଏ’ । ଧର୍ମଗ୍ରନ୍ଥ ହେଲେ ହେଁ ଏହାର ଯେ କିଛି ସାହିତ୍ୟଗୁଣ ରହିଛି, ତାହା ଅସ୍ଵୀକାର କରିହେବ ନାହିଁ । ପ୍ରାୟ ଅଢ଼େଇ ହଜାର ବର୍ଷ ତଳେ ଭାରତର ଏକ ପ୍ରାଚୀନ ଭାଷା ‘ପାଲି’ ରେ ଏହା ସଂକଳିତ ହୋଇଥିଲା । ଏହା ବୁଦ୍ଧଦେବଙ୍କ ମୁଖ ନିସୃତ ବାଣୀ ବୋଲି ବିଶ୍ୱାସ କରାଯାଏ । ଏହାର ଉପାଦେୟତା ଯୋଗୁଁ ପୃଥିବୀର ବିଭିନ୍ନ ଭାଷାରେ ଅନୂଦିତ ହୋଇ ଏହା ପ୍ରସାର ଲାଭ କରିଛି ।

 

ପାଲି ଧମ୍ମପଦର ଏକାଧିକ ଓଡ଼ିଆ ଅନୁବାଦ ପରିଲକ୍ଷିତ ହୁଏ । ତନ୍ମଧ୍ୟରେ ପାଲି ଭାଷାବିଦ୍‌ ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଅନୁବାଦ ଉଲ୍ଲେଖନୀୟ । ତତ୍‌ପୂର୍ବରୁ କୁଞ୍ଜବିହାରୀ ୧୯୪୯ ମସିହାରେ ଏହାର ଏକ ଅନୁବାଦ ପ୍ରକାଶ କରିଥିଲେ । ମୂଳ ଗ୍ରନ୍ଥ ଧମ୍ମପଦରେ ସର୍ବମୋଟ ଛବିଶଟି ଅଧ୍ୟାୟ ଏବଂ ଚାରିଶହ ତେଇଶଟି ଶ୍ଳୋକ ରହିଛି । କିନ୍ତୁ କୁଞ୍ଜବିହାରୀ ସଂପୂର୍ଣ୍ଣ ଧମ୍ମପଦକୁ ଓଡ଼ିଆରେ ଅନୁବାଦ କରି ନାହାନ୍ତି । ପ୍ରଥମାର୍ଦ୍ଧ ଶିରୋନାମାରେ ଯମକ ବର୍ଗ, ଅପ୍ରମାଦ ବର୍ଗ, ଚିତ୍ତ ବର୍ଗ, ପୁଷ୍ପ ବର୍ଗ, ଜରାବର୍ଗ, ବୁଦ୍ଧ ବର୍ଗ ପ୍ରଭୃତି ପ୍ରାୟ ପନ୍ଦରଟି ବର୍ଗର ଭାଷାନ୍ତର କରିଛନ୍ତି-। ତାଙ୍କ ଅନୁବାଦର ନମୁନା :–

 

‘‘ପାଲି

ମନୋପୂବ୍‌ବଙ୍ଗମା ଧମ୍ମା ମନୋସେଟ୍‌ଠା ମନୋମୟା

 

 

ମନସା ଚେ ପଦୁଟ୍‌ଠେନ ଭାସତି ବା କରୋତି ବା

 

 

ତତୋ ନଂ ଦୁକ୍‌ଖମନ୍ଵେତି ଚକ୍କଂ ବ ବହତୋ ପଦଂ ।।

 

 

 

ସଂସ୍କୃତ

ମନଃ ପୂର୍ବଙ୍ଗମାଃ ଧର୍ମାଃ ମନଃ ଶ୍ରେଷ୍ଠାଃ ମନୋମୟାଃ

 

 

ମନସା ଚେତ୍‌ ପ୍ରଦୁଷ୍ଟେନ ଭାଷତେ ବା କରୋତି ବା

 

 

ତତଃ ଏନଂ ଦୁଃଖମ୍‌ ଅନ୍ଵେତି ଚକ୍ରମ୍‌ ଇବ ବହତଃ ପଦମ୍‌ ॥

ଅନୁବାଦ (ଓଡ଼ିଆ)

ସକଳ ସ୍ଵଭାବ ବା ସଂସ୍କାର ମନର ଅନୁଚର, ମନ ଦ୍ଵାରା ଚାଳିତ (ମନ ହେଉଛି ସେମାନଙ୍କ ଶ୍ରେଷ୍ଠ ବା ନିୟନ୍ତା), ମନ ମଧ୍ୟରେ ଏହାଙ୍କର ଅସ୍ତିତ୍ୱ । ଯଦି (ଲୋକ) ଦୂଷିତ ମନରେ କଥା କହେ ବା କାର୍ଯ୍ୟ କରେ, ତାହା ହେଲେ ଚକ୍ର (ଭାର) ବହନ କରୁଥିବା (ଜନ୍ତୁର) ପଦକୁ ଅନୁସରଣ କରିବା ପରି ଏହାକୁ ଦୁଃଖ ଅନୁସରଣ କରେ ।’’

 

ଗୌତମ ବୁଦ୍ଧଙ୍କ ମହାପରିନିର୍ବାଣ (ଖ୍ରୀ:ପୂ:୪୮୫) ପରେ ଯଥାକ୍ରମେ ରାଜଗୃହ, ବୈଶାଳୀ ଓ ପାଟଳିପୁତ୍ରରେ ଅନୁଷ୍ଠିତ ତିନିଟି ବୌଦ୍ଧ ସଭାରେ (ମହାସଙ୍ଗୀତି) ତଥାଗତ ବୁଦ୍ଧଙ୍କର ଉପଦେଶ ସମୂହ ସଂଗୃହୀତ ଓ ସଂକଳିତ ହୋଇଥିଲା । ବୁଦ୍ଧଦେବ ଉପଦେଶ ସମୂହ ତୁଣ୍ଡେ ତୁଣ୍ଡେ କହିଯାଇଥିଲେ, ଲିପିବଦ୍ଧ କରି ନଥିଲେ । ଉକ୍ତ ତିନିଟି ମହାସଙ୍ଗୀତିରେ ତାଙ୍କର ଉପଦେଶମାନ ପ୍ରବୀଣ ଶିଷ୍ୟମାନଙ୍କ ଦ୍ଵାରା ସଂଗୃହୀତ / ସଂକଳିତ ହେଲା ତ୍ରିପିଟକ ଭାବରେ । ପିଟକ ହେଉଛି ପେଡ଼ି ବା ପେଟରା । ତ୍ରିପିଟକ ବୁଦ୍ଧବାଣୀର ତିନିଟି ପେଡ଼ି, ଯଥା–ସୂତ୍ର ପିଟକ, ବିନୟ ପିଟକ ଓ ଅଭିଧର୍ମ ପିଟକ । ସୂତ୍ର ପିଟକରେ ବୌଦ୍ଧ ଧର୍ମର ସୂତ୍ର ବା ଜଟିଳ ତତ୍ତ୍ଵମାନ ସ୍ଥାନ ପାଇଛି । ସୂତ୍ର ପିଟକ ପନ୍ଦରଟି ଗ୍ରନ୍ଥ ବା ନିକାୟର ସମାହାର । ଏଥିରେ ଥିବା ଖୁଦ୍ଦକ (କ୍ଷୁଦ୍ର) ନିକାୟରେ ଧମ୍ମପଦ ସ୍ଥାନିତ । ତଦ୍‌ବିଦ୍‌ ପଣ୍ଡିତମାନଙ୍କ ମତରେ ଖ୍ରୀଷ୍ଟପୂର୍ବ ଚତୁର୍ଥ ବା ତୃତୀୟ ଶତାବ୍ଦୀ ବେଳକୁ ମୂଳ ଧମ୍ମପଦ ସଂକଳିତ ହୋଇଥିଲା । ବୌଦ୍ଧ ଧର୍ମରେ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିବା ସମୟରେ ଧମ୍ମପଦ ପାଠ କରିବାକୁ ପଡ଼ିଥାଏ । ଜନସାଧାରଣଙ୍କ ପାଇଁ ଏହାର ଯେପରି ବାହ୍ୟିକ ଅର୍ଥ ରହିଛି, ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ରହିଛି ସେହିପରି ଗଭୀର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ।

 

ଧମ୍ମପଦ ଯେଉଁ ପାଲି ଭାଷାରେ ରଚିତ, ତାହା ପ୍ରାଚୀନ କଳିଙ୍ଗର ଭାଷା ବୋଲି କେତେକ ଭାଷାତତ୍ତ୍ଵବିଦ୍‌ ପଣ୍ଡିତଙ୍କର ମତ । ଜୈନ ଓ ବୌଦ୍ଧ ଧର୍ମର ବାହକ ରୂପେ ହୁଏତ ହଜାରେ ବର୍ଷ କାଳ ଏହା ଓଡ଼ିଶାର ସାଂସ୍କୃତିକ ଭାଷା ରୂପେ ପଚଳିତ ଥିଲା । ଅଶୋକଙ୍କର ଧଉଳି ଶିଳାଲେଖ ଏବଂ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ କେତେକ ପାଲି ଶବ୍ଦ ଓ ଭାଷାବିନ୍ୟାସ ରୀତି ପରିଲକ୍ଷିତ ହୁଏ । ଡକ୍ଟର ତ୍ରିପାଠୀ ସ୍ଵ ଅନୁବାଦ ସହ ଧମ୍ମପଦର ଭାଷା ସମ୍ପର୍କରେ ଏକ ଦୀର୍ଘ ଆଲୋଚନା ସଂଯୁକ୍ତ କରି ଗ୍ରନ୍ଥର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି । ଏହି ଆଲୋଚନାରେ ‘ପାଲି ଭାଷା ଓ ଅଶୋକଙ୍କ ଶିଳା ଲିପିର ଭାଷା’, ‘ଧଉଳି ୮ମ ଅନୁଶାସନ’ ଆଦି ପ୍ରସଙ୍ଗ ସହ ପାଲି ଶବ୍ଦ ରୂପ ଓ ଧାତୁ ରୂପର ନମୁନା ସେ ପ୍ରଦାନ କରିଛନ୍ତି।

 

‘ବୌଦ୍ଧ ଧର୍ମର ଦାର୍ଶନିକ ଓ ନୈତିକ ତତ୍ତ୍ୱ’ ଏହି ପୁସ୍ତକର ଏକ ଉପାଦେୟ ବିଚାର । ଏହା କେବଳ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ନୁହେଁ, ସାଧାରଣ ବର୍ଗର ଜନସମାଜ ପାଇଁ ଉପଯୋଗୀ ମଧ୍ୟ ।

 

ଭାଗବତ-ସୂକ୍ତି-ମୁକ୍ତାବଳୀ

 

ଓଡ଼ିଆ ଭାଗବତ ରାଜ୍ୟର ଏକ ବିଶେଷ ଲୋକପ୍ରିୟ ଗ୍ରନ୍ଥ । କବି ଜଗନ୍ନାଥ ଦାସ ଅନୂଦିତ ଏହି ଗ୍ରନ୍ଥଟି ପ୍ରାୟ ପାଞ୍ଚଶହ ବର୍ଷ ହେଲା କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ଧର୍ମଭାବ ଜାଗରୂକ କରି ରଖିଛି । ଭାଗବତ ଘର ବା ଭାଗବତ ଟୁଙ୍ଗୀ ପ୍ରତିଷ୍ଠାନଟି ରାଜ୍ୟ ମଧ୍ୟରେ ଉଣା ହୋଇଯାଇଛି ସତ୍ୟ, ମାତ୍ର ଭାଗବତ-ବାଣୀ ସୂକ୍ତି ଆକାରରେ ଏପର୍ଯ୍ୟନ୍ତ ଲୋକଙ୍କ ତୁଣ୍ଡରେ ଧ୍ଵନିତ ହେଉଛି ଏବଂ ଜନସାଧାରଣଙ୍କ ଜୀବନଚର୍ଯ୍ୟାରେ ଅନୁସୃତ ହେଉଛି ।

 

ଭାଗବତ ଏକ ବିଶାଳ ଗ୍ରନ୍ଥ: ବାରଟି ଭାଗ ବା ସ୍କନ୍ଧରେ ବିଭକ୍ତ । ଏଥିରୁ ବାଛି ବାଛି ବାଣୀ ବା ସୂକ୍ତି ସମୂହ ଏକତ୍ର କରି ଗ୍ରାହକମାନଙ୍କ ନିକଟରେ ପରିବେଷଣ କରିବାର ଏକାଧିକ ଉଦ୍ୟମ ହୋଇଛି । ତନ୍ଜଧ୍ୟରେ ପୁରୀର ସାତଲହଡ଼ି ମଠରେ ଥବା ଅତିବଡ଼ି ଜଗନ୍ନାଥ ଦାସ ସ୍ମୃତିରକ୍ଷା ସଂସଦର ସାଂସ୍କୃତିକ ସମିତି ପ୍ରକାଶିତ ‘ଶ୍ରୀମଦ୍‌ ଭାଗବତ ରସସାର ସଂଗ୍ରହମ୍‌’ (୧୯୭୭) ଅନ୍ୟତମ । ତତ୍‌ପୂର୍ବରୁ ୧୯୭୧ ମସିହାରେ ଡକ୍ଟର ତ୍ରିପାଠୀ ‘ଭାଗବତ-ସୂକ୍ତି- ମୁକ୍ତାବଳୀ’ ପୁସ୍ତିକା ପ୍ରକାଶ କରିଥିଲେ । ସେ ଉଭୟ ପୁସ୍ତିକାଟିର ପ୍ରକାଶକ ଓ ସଂକଳୟିତା । ପୁସ୍ତିକାର ଏକ ନାତିଦୀର୍ଘ ମୁଖବନ୍ଧରେ ଡକ୍ଟର ତ୍ରିପାଠୀ ଲେଖିଛନ୍ତି - ‘ଭାଗବତ ଓଡ଼ିଆ ସାହିତ୍ୟର ସବୁଠାରୁ ବଳି ଜନପ୍ରିୟ ଗ୍ରନ୍ଥ । ଧର୍ମଗ୍ରନ୍ଥ ଭାବରେ ଭଗବଦ୍‌ ଗୀତା ଓଡ଼ିଶାରେ ପୂଜ୍ୟ ହେଲେ ହେଁ, ଦାସଙ୍କ ଭାଗବତ ପରି ଏହାର ଲୋକପ୍ରିୟତା ସମାଜର ସବୁ ସ୍ତରରେ ବ୍ୟାପ୍ତ ହୋଇନାହିଁ । ଦାସଙ୍କ ଭାଗବତରେ କେବଳ ଯେ ଋକ୍‌ବେଦ, ଗୀତା, ମନୁସଂହିତା ପ୍ରଭୃତି ହିନ୍ଦୁ ଧର୍ମଶାସ୍ତ୍ରର ସାରାଂଶ ଦେଖିବାକୁ ମିଳେ, ତାହା ନୁହେଁ; ବୌଦ୍ଧ ଓ ଜୈନମାନଙ୍କ ଧର୍ମଶାସ୍ତ୍ର ତଥା ବାଇବେଲ୍‌ ଏବଂ କୋରାନ୍‌ରେ ଲିଖିତ ବହୁ ନୀତିବାକ୍ୟ ଓ ଆଧ୍ୟାତ୍ନିକ ତତ୍ତ୍ୱ ମଧ୍ୟ ଦେଖିବାକୁ ମିଳେ । ଭାଗବତର ଅନେକଗୁଡ଼ିଏ ସଂସ୍କରଣ ହୋଇ ଯାଇଅଛି, ଯଥା ଗର୍ଗବଟୁ ସଂସ୍କରଣ, ପରୀକ୍ଷିତ ଦାଶଶର୍ମା ସଂସ୍କରଣ, ରାଜକିଶୋର ସଂସ୍କରଣ, ବଙ୍ଗଳା ଲିପିରେ ପ୍ରକାଶିତ ସଂସ୍କରଣ ଇତ୍ୟାଦି । ସ୍ଵର୍ଗତ ଚିନ୍ତାମଣି ଆଚାର୍ଯ୍ୟଙ୍କ ସଂସ୍କରଣ ରାଜକିଶୋର ସଂସ୍କରଣ ଉପରେ ପ୍ରତିଷ୍ଠିତ । ଏ ସମସ୍ତ ସଂସ୍କରଣ ମଧ୍ୟରେ ରାଜକିଶୋରଙ୍କ ସଂସ୍କରଣ ଅତ୍ୟନ୍ତ ଉପାଦେୟ । ଏଣୁ ଏହି ସଂସ୍କରଣରୁ କେତେକ ସୂକ୍ତି ଗୃହୀତ ହୋଇଅଛି ।

 

ଜଗନ୍ନାଥ ଦାସଙ୍କ ଭାଗବତର ପଦାବଳୀ ମୌଳିକ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ । ଶ୍ରୀଧରଙ୍କ ଟୀକାର ଭାବାର୍ଥ ଗ୍ରହଣ କରି ମୂଳ ଶ୍ଳୋକର ଭାବକୁ ପଲ୍ଲବିତ କରି ଜନସାଧାରଣଙ୍କର ହୃଦୟସ୍ପର୍ଶୀ କରିବାକୁ ସେ ଚେଷ୍ଟା କରିଛନ୍ତି । ବେଳେ ବେଳେ ସେ ଅନ୍ୟାନ୍ୟ ଧର୍ମଶାସ୍ତ୍ରରୁ ସାର ମଧ୍ୟ ପ୍ରସଙ୍ଗକ୍ରମେ ଉପସ୍ଥାପନ କରିଅଛନ୍ତି ବୋଲି ବୋଧହୁଏ । କେତେକ ପ୍ରସଙ୍ଗକୁ ଉତ୍କଳର ସାମାଜିକ ଅବସ୍ଥାର ଅନୁକୂଳ କରାଇବାକୁ ମଧ୍ୟ ସେ ପଶ୍ଚାତ୍‌ପଦ ହୋଇନାହାନ୍ତି-। ଆଜକୁ ପ୍ରାୟ ୩୦ ବର୍ଷ ହେଲା ଭାଗବତ ପାଠ ସମୟରେ ଯେଉଁ ସୂକ୍ତିଗୁଡ଼ିକ ମୋର ହୃଦୟକୁ ସ୍ପର୍ଶ କରିଛି, ସେଥିରୁ କେତେକ ଏଠାରେ ପ୍ରଦତ୍ତ ହୋଇଛି ମାତ୍ର । ଅନ୍ୟ ଦୃଷ୍ଟିରୁ ପ୍ରୟୋଜନୀୟ ବିବେଚିତ କେତେକ ପଦ ମଧ୍ୟ ମଧ୍ୟେ ମଧ୍ୟେ ସନ୍ନିବେଶିତ ହୋଇଅଛି ।” (ଶ୍ରୀଭାଗବତ-ସୂକ୍ତି-ମୁକ୍ତାବଳୀ, ମୁଖବନ୍ଧ)

ପ୍ରାଚୀନ ଓଡ଼ିଆ ଗଦ୍ୟ ସଂକଳନ

ସାହିତ୍ୟ ଦୃଷ୍ଟିରୁ ବିଚାର କଲେ ପଦ୍ୟ ଓ ଗଦ୍ୟ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ପଦ୍ୟରେ ଯେପରି ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି ହୁଏ, ଗଦ୍ୟରେ ସେହିପରି ଉଚ୍ଚକୋଟୀର ସାହିତ୍ୟ ରଚିତ ହୋଇପାରେ । ଓଡ଼ିଆ ଭାଷା- ସାହିତ୍ୟ ଇତିହାସରେ ଏହା ମଧ୍ୟ ସ୍ପଷ୍ଟ ପରିଲକ୍ଷିତ ହୁଏ । ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ ସମ୍ପର୍କରେ କେତେକ ଉଲ୍ଲେଖନୀୟ ଆଲୋଚନା କରାଯାଇଥିଲେ ମଧ୍ୟ ପ୍ରାଚୀନ ଗଦ୍ୟ ସାହିତ୍ୟ ବିଷୟରେ କ୍ୱଚିତ୍‌ କେହି ଚର୍ଚ୍ଚା କରିଛନ୍ତି । ଡକ୍ଟର ତ୍ରିପାଠୀଙ୍କ ସଂକଳିତ ଏହି ଗ୍ରନ୍ଥରେ ଆମର ପ୍ରାଚୀନ ଗଦ୍ୟ ରଚନାବଳୀ ସମ୍ପର୍କରେ ନମୁନା ସହ ଆଲୋଚନା କରାଯାଇଛି ।

୧୯୮୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ଵାରା ପ୍ରକାଶିତ ଉକ୍ତ ଗ୍ରନ୍ଥଟି ପନ୍ଦର ଗୋଟି ଶିଳାଲେଖ-ତାମ୍ରଶାସନର ପାଠ, କେତେକ ଗଦ୍ୟ ପୁସ୍ତକରୁ ଉଦ୍ଧୃତ ପାଠାଂଶ, ବ୍ରତକଥା, ଗୁଣିଗାରେଡ଼ି, ପ୍ରବଚନ ଇତ୍ୟାଦିର ସମାହାର । ଓଡ଼ିଆ ସାହିତ୍ୟାଲୋଚନା କ୍ଷେତ୍ରରେ ଗ୍ରନ୍ଥଟି ଏକ ଉଲ୍ଲେଖନୀୟ ସଂଯୋଜନ । ଏଥିରୁ ପାଠକ/ଗ୍ରାହକ ସମାଜ ପ୍ରାଚୀନ ଗଦ୍ୟର ଉଦାହରଣ ସହିତ ଡକ୍ଟର ତ୍ରିପାଠୀ ଲେଖିଥିବା ଦୀର୍ଘ ମୁଖବନ୍ଧରୁ ଅତୀତର ଗଦ୍ୟସମ୍ଭାର ସମ୍ପର୍କରେ ମୋଟାମୋଟି ଏକ ଧାରଣା କରି ନେଇପାରିବେ ।

ଶିଳାଲେଖ ଓ ତାମ୍ରଶାସନ ଆଦି ଠିକ୍‌ ସାହିତ୍ୟ ପଦବାଚ୍ୟ ନହେଲେ ବି ଏଗୁଡ଼ିକ ଭାଷା ଓ ଲିପି ଦିଗରୁ ଆଲୋଚ୍ୟ । ଡକ୍ଟର ତ୍ରିପାଠୀ ଗ୍ରନ୍ଥର ମୁଖବନ୍ଧରେ ସେହି ଦୃଷ୍ଟିକୋଣରୁ ଏଗୁଡ଼ିକର ଚର୍ଚ୍ଚା କରିଛନ୍ତି । ପାଲି ଓ ଅନ୍ୟାନ୍ୟ ପ୍ରାକୃତ ଭାଷାର ଚର୍ଚ୍ଚା ପ୍ରସଙ୍ଗରେ ଓଡ଼ିଶାର ଅଶୋକଙ୍କ ଅନୁଶାସନ ଓ ଖାରବେଳଙ୍କ ଶିଳାଲେଖର ଦୃଷ୍ଟାନ୍ତ ଦେଇ ଓଡ଼ିଆ ଭାଷା ଓ ଲିପିର ଉନ୍ମେଷ-ଉତ୍ତରଣ ସୂଚାଇଛନ୍ତି । ପ୍ରାଚୀନ ଗଦ୍ୟ ସାହିତ୍ୟର ଏକ ଉଜ୍ଜ୍ୱଳ କୃତି ‘ରୁଦ୍ର ସୁଧାନିଧି’ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀର ରଚନା ବୋଲି ପ୍ରଚଳିତ ମତକୁ ଖଣ୍ଡନ କରି ସେ ଉଲ୍ଲେଖ କରିଛନ୍ତି–‘ଭାଷାତତ୍ତ୍ଵ ଦୃଷ୍ଟିରୁ ରୁଦ୍ର ସୁଧାନିଧି ତ୍ରୟୋଦଶ ଶତାବ୍ଦୀ ପରେ ଏବଂ ପଞ୍ଚଦଶ ଶତାବ୍ଦୀ ମଧ୍ୟଭାଗ ପୂର୍ବରୁ ଲିଖିତ ହୋଇଥିବ ବୋଧହୁଏ । ସଂସ୍କୃତ ସାହିତ୍ୟରେ ଯେପରି–ଗଦ୍ୟ ଲେଖା ସର୍ବୋତ୍କୃଷ୍ଟ, ସେହିପରି ପାଣ୍ଡିତ୍ୟ ଓ ଶୈଳୀ ଦୃଷ୍ଟିରୁ ରୁଦ୍ର ସୁଧାନିଧି ଏ ପର୍ଯ୍ୟନ୍ତ ଓଡ଼ିଆ ଭାଷାର ଅନତିକ୍ରମଣୀୟ ଗଦ୍ୟକାବ୍ୟ ହୋଇ ରହିଅଛି ।’’ (ମୁଖବନ୍ଧ)

ଡକ୍ଟର ତ୍ରିପାଠୀଙ୍କ ସଂକଳିତ ଗୋଟିଏ ତାମ୍ରଶାସନ ଏବଂ ଗୋଟିଏ ଶିଳାଲେଖ ଦୃଷ୍ଟାନ୍ତ ଭାବରେ ଏଠାରେ ଉଦ୍ଧାର କରାଯାଉଛି ।

‘‘ସମ୍ୱଲପୁର ଜିଲ୍ଲାର ଭୂତପୂର୍ବ ବୋଡ଼ାସମ୍ବର ଜମୀଦାରିସ୍ଥ

ବିଡ଼ାଳ ନରସିଂହନାଥ ଦେବାଳୟରେ ସଂଲଗ୍ନ ଖୋଦିତ ଶିଳାଫଳକ

 

ଲିପି-ପ୍ରାଚୀନ ଓଡ଼ିଆ, ଭାଷା- ପ୍ରାଚୀନ ଓଡ଼ିଆ

ସମୟ ତା ୧୭.୩.୧୪୧୩ ଖ୍ରୀ:ଅ:

 

୧.

(ଓଁ ନମଃ) ଶ୍ରୀ ନୃସିଂହାୟ (ସ୍ୱସ୍ତି ସ୍ଵସ୍ତି) ବିକାର ନାମ ସମତ୍ସରେ ଚୈତ୍ର ପ୍ରୌର୍ଣ୍ଣମି

 

ଶୁକ୍ରବାର ହସ୍ତା ନକ୍ଷତ୍ରେ ପାଟଣା ନଗରସ୍ଥିତି

 

ବ୍ରଜରାଜ ଦେବ ରାଜାଙ୍କର ପୌତ୍ର ଶ୍ରୀ ବୈଜଳ

୨.

ବ୍ରଜରାଜ (ନରସିଂହ) ତୀର୍ଥେ ଗନ୍ଧମାର୍ଦ୍ଦନ ପର୍ବତେ ବିରାଳ

 

ନରସିଂହ ନାଥ-ସ୍ଵାମୀଙ୍କର ଦେଉଳ ତୋଳାଇଲା...ଭୂଷଣ

 

ରତ୍ନମାଳା ଗାଇ-ଶତେକ ଲୋଅସିଙ୍ଗା

୩.

ଗ୍ରାମ ଦିଲା/ଆଦିତ୍ୟ ଚନ୍ଦ୍ରାବନିଳୋ ନଳଶ୍ଚ ଦୌର୍ଭୂମି ରାପୋ

 

ହୃଦୟଂ ସମଶ୍ଚ ଅହଶ୍ଚ ରାତ୍ରିଶ୍ଚ ଉଭେଚ ସନ୍ଧ୍ୟେ ଧର୍ମୋଽପି ଜାନ ।

 

ତି ନରସ୍ୟ କୃତ୍ୟମ୍‌

୪.

ଦେଲା (ପ୍ରସସ୍ତିକାର ଅଘା) ଶ୍ରୀନରସିଂହସ୍ୟ ପୀତୟେ ।’’

 

‘‘ନନ୍ଦପୁର (ଜୟପୁର)ର ମହାରାଜ

 

ରାମଚନ୍ଦ୍ର ଦେବଙ୍କ ତାମ୍ରଶାସନ

 

ଭାଷା ଓ ଲିପି-ଓଡ଼ିଆ, ସମୟ-ଶକାବ୍ଦ ୧୭୨୩ -ଖ୍ରୀ:ଅ: ୧୮୦୧

 

ଶ୍ରୀ ଶୁଭମସ୍ତୁ ଶାଳିବାହନ ଶକାବ୍ଦ ୧୭୨୩ ଦୁର୍ମଦ ନାମ

 

ସମ୍ବତ୍ସର ବିଛା ୮ ଦିନ

 

କାର୍ତ୍ତିକ ଶୁଦ୍ଧ ୧୫ ଶୁକ୍ରବାରେଂ ବଦ୍ଦ ଦୀନବନ୍ଧୁ ଦାସକୁ

 

ଅବଧାନ କଲାର ପଟା

 

ପଟା ନିର୍ଣ୍ଣୟ ଜୟପୁର ଦୁର୍ଗମର ଦଣ୍ଡପାଟ ଦେଶସୁନ୍ଧର

 

ଅରଡ଼ପୁଟ ଗ୍ରାମ ଏ

 

ଦିନ ଦାନ କରି ଅବଧାନ କଲୁଂ ଜେ ଏ ଗ୍ରାମ ସନ୍ଧି

 

ସିମାନ୍ତ ନିଧିଳିଖାତ ଗଛ ମା-

 

ଛ ପଦର ପଙ୍କାଳ କାଷ୍ଠ ପାଷାଣ ଛାୟ ଉପଛାୟ ସମେତ

 

ତୋ ପୁତ୍ରପୌତ୍ରାଦି-

 

ପାରଂ ପର୍ଯ୍ୟନ୍ତେ ଯାବଶ୍ଚନ୍ଦ୍ରାର୍କେ ଉଷ୍ମାନ୍ତକେ ଦାନଭୋଗେ

 

ଭୋଗ କରି ନିଶ୍ଚିନ୍ତରେ ଥିବୁ । ଏଥିରେ ଆନ ଅବଧାନ ନାହିଁ ଶ୍ରୀରାଜାଧିରାଜ

 

ମହାରାଜବୀରାଧିବୀର ପ୍ରତାପ ଶ୍ରୀନନ୍ଦପୁର ଭୂପତି ଶ୍ରୀରାମଚନ୍ଦ୍ର

 

ଦେବ ମହାରାଜାଙ୍କର ସନମତ ॥

 

ସ୍ୱଦତ୍ତାଦ୍ୱି‌ଗୁଣଂ ପୁଣଂ ପରଦଭାନୁ ପାଳନଂ ।।

 

ପରଦତ୍ତାପହରେଣ ସ୍ୱଦତ୍ତଂ ନିସ୍ଫଳଂ ଭବେତ୍‌ ।।’’

 

ଭାଷା ଓ ଲିପି ସମ୍ପର୍କୀୟ ଆଲୋଚନା-ଚର୍ଚ୍ଚା ସାଧାରଣତଃ ଜଟିଳ ଓ ନିରସ ବୋଧ ହୋଇଥାଏ,ଏବଂ ପାଠକମାନଙ୍କ ପକ୍ଷରେ ହୋଇଥାଏ ଗୁରୁପାକ । ମାତ୍ର ପ୍ରଶଂସନୀୟ କଥା ହେଉଛି, ଡକ୍ଟର ତ୍ରିପାଠୀ ଆପଣାର ଏହି ଆଲୋଚନାକୁ ଯଥା ସମ୍ଭବ ସରଳ ଭାଷାରେ ପ୍ରକାଶ କରି ପାଠକ/ଗ୍ରାହକ ସମାଜର ସହଜବୋଧ୍ୟ କରାଇ ପାରିଛନ୍ତି ।

Image

 

ଓଡ଼ିଆ ଭାଷାର ଏକ ଆଞ୍ଚଳିକ ଶବ୍ଦକୋଷ

(ପଶ୍ଚିମୀ ଓ ଦକ୍ଷିଣୀ ଓଡ଼ିଆ)

 

ଡକ୍ଟର ତ୍ରିପାଠୀଙ୍କ ଦ୍ଵାରା ସଂଗୃହୀତ ଓ ସଂକଳିତ ଏହି ଶବ୍ଦକୋଷ ଏକ ଉପାଦେୟ ଓ ଉଲ୍ଲେଖଯୋଗ୍ୟ ଗ୍ରନ୍ଥ । ୧୯୭୪ ମସିହାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏହା ପ୍ରକାଶ କରିଥିଲେ । ଗ୍ରନ୍ଥଟିର ଏହା ପ୍ରଥମ ଭାଗ; ଏଯାବତ୍‌ ଏହାର ଦ୍ୱିତୀୟ ଭାଗ ପ୍ରକାଶିତ ହୋଇନାହିଁ । ଜୀବନର ଶେଷ ପର୍ଯ୍ୟାୟରେ କୁଞ୍ଜବିହାରୀ କଟକ ପ୍ରଫେସରପଡ଼ାସ୍ଥ ସ୍ଵବାସଗୃହରେ ‘ଭାଷା ସମିତି’ ନାମରେ ଏକ ପ୍ରତିଷ୍ଠାନ ଗଢ଼ିଥିଲେ । ମୋ ଜାଣିବାରେ ଏହି ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆଞ୍ଚଳିକ ଶବ୍ଦମାନ ସଂଗ୍ରହ କରାଯାଉଥିଲା । ରେଭେନ୍‍ସା କଲେଜରେ ମୁଁ ଅବସ୍ଥାପିତ ଥିଲାବେଳେ ଆମର ସାକ୍ଷାତ ସମୟରେ ସେ ଥରେ ଦୁଇଥର ଭଦ୍ରକ ଅଞ୍ଚଳର ନିଆରା ଶବ୍ଦମାନ ସଂଗ୍ରହ କରିବାକୁ ମୋତେ କହିଥିଲେ । ଏଥିରୁ ଜଣାପଡ଼ୁଛି, ଶଦ୍ଦକୋଷର ଦ୍ୱିତୀୟ ଭାଗ ସଂକଳନ ପାଇଁ ସେ ପ୍ରସ୍ତୁତ ହେଉଥିଲେ । ତାଙ୍କର ପରଲୋକ ପରେ ସେହି ଦ୍ୱିତୀୟ ଭାଗର ସଂପାଦନା ଓ ପ୍ରକାଶନ କାର୍ଯ୍ୟ ବୋଧହୁଏ ଅନ୍ଧକାରରେ ରହିଯାଇଛି ।

 

କୁଞ୍ଜବିହାରୀଙ୍କ କହିବା ଅନୁସାରେ ଏହା ପ୍ରକୃତରେ ‘ଓଡ଼ିଆ ଭାଷାର ପ୍ରଥମ ଆଞ୍ଚଳିକ ଶବ୍ଦକୋଷ’ । ଏହାପରେ ଅବଶ୍ୟ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଡକ୍ଟର ଆଦିକନ୍ଦ ମହାନ୍ତ (ଚିତ୍ରଡ଼ା, ମୟୂରଭଞ୍ଜ) ପ୍ରମୁଖ କେତେ ଜଣ ଭାଷାପ୍ରେମୀ ଆଞ୍ଚଳିକ ଶବ୍ଦ ସମୂହ ସଂଗ୍ରହ ଓ ପ୍ରକାଶନରେ ମନୋନିବେଶ କରିଛନ୍ତି । କୁଞ୍ଜବିହାରୀ କିନ୍ତୁ ଏ ପଥର ପ୍ରଥମ ଓ ପ୍ରଧାନ ଦିଶାରୀ । କର୍ମନିଯୁକ୍ତି ଉପଲକ୍ଷେ ସେ ବଲାଙ୍ଗୀର, ସମ୍ୱଲପୁର ଓ ବ୍ରହୁପୁରରେ (ଗଞ୍ଜାମ) ଅବସ୍ଥାପିତ ହୋଇଥିଲେ । ସୁଯୋଗ କ୍ରମେ ସେହି ସେହି ଅଞ୍ଚଳର ବିଭିନ୍ନ ବ୍ୟକ୍ତିଙ୍କ ସହାୟତାରେ ସେ ସମ୍ବଲପୁରୀ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ନିଆରା ଶବ୍ଦମାନ ସଂଗ୍ରହ କରିପାରିଥିଲେ, ତତ୍‌ସହିତ ନୟାଗଡ଼ବାସୀଙ୍କ ମଧ୍ୟରେ ପ୍ରଚଳିତ ନିଆରା ଭାଷା ମଧ୍ୟ । ଏ ସମ୍ପର୍କରେ ସେ ଶବ୍ଦକୋଷର ‘ବିଜ୍ଞପ୍ତି’ରେ ସୂଚାଇଛନ୍ତି ।

 

ଏପରି ଏକ ଶବ୍ଦକୋଷର ଶବ୍ଦ ସଂଗ୍ରହ ଓ ସେଗୁଡ଼ିକର ସଂକଳନ ଆଦୌ ସହଜ କାର୍ଯ୍ୟ ନୁହେଁ । ଅବିଚଳିତ ନିଷ୍ଠା ଓ ଗଭୀର ଅଧ୍ୟବସାୟ ବଳରେ ଡକ୍ଟର ତ୍ରିପାଠୀ ଏ କାର୍ଯ୍ୟଟି ସମାଧାନ କରିଛନ୍ତି । ଶବ୍ଦଗୁଡ଼ିକର ଅର୍ଥ ଉଲ୍ଲେଖ ସହ ସେ ସ୍ଥଳବିଶେଷରେ ଅନ୍ୟାନ୍ୟ ଦେଶୀ, ବିଦେଶୀ ଭାଷାର ପ୍ରତିଶବ୍ଦ ନିର୍ଦ୍ଦେଶ କରିଛନ୍ତି । ବାକ୍ୟ ଗଠନ ସାହାଯ୍ୟରେ ବୁଝାଇଛନ୍ତି ମଧ୍ୟ । ଏଠାରେ ତାହାର କେତୋଟି ଉଦାହରଣ–

 

‘‘ଅଗ୍‌ଲି ଯିବା

ଅଧିକା ହୋଇଯିବା; (ବଳିଯିବା, ପ୍ରା:) । ଉଦା : ମୋର

 

 

ପଖାଲ୍‌ ଦୁଟା ଅଗ୍‌ଲି ଯିବା ଅଗିଲା; (ମୈ:) ।’’

‘‘ଉଦ୍‌ମୁଧା,ଉଦ୍‌ମୁଦା

ଶ୍ୱାସରୁଦ୍ଧ । ଉଦା : ପାଏନ୍‌ ଭିତରେ ରହିକରି ଉଦ୍‌ମୁଦା ଲାଗୁଛେ ।’’ (ପୃଷ୍ଠା ୧୭)

‘ଖୁପିଆ

ଗୋପନରେ ଜଣାଇଦେବା । ଉଦା: କିଏ ଖୁପିଆ କରିଦେଲା ଯେ ପୁଲିଶ ମୋର୍‌ ଘର ଖାନତଲାସ୍‌ କଲା । ଖୁପିୟା (ହି.)’’

‘‘ବଢ଼େଇ, ବଢ଼ଲ, ବଢ଼ିଆଲ

ଆତ । ଅଢ଼ିଆଳ (ଅନୁଗୁଳ),

 

 

ସୀତାଫଳ(କଳାହାଣ୍ଡି); ମେଉଆ (କେନ୍ଦୁଝର).

 

 

ବଡ଼ହଲ, ବଢ଼େଲ (ହି.) ।’’

‘‘ରସରସେଇବା

କସମସ ଲାଗିବା to feel feverish । ଉଦା : ମୋର, ଦେହଟା ରସରସାଉଛେ ।’’

Image

 

ବ୍ୟକ୍ତି ଜୀବନ ଓ ଚାରିତ୍ରିକ ବୈଶିଷ୍ଟ୍ୟ

 

ସ୍ଵଜୀବନ କାଳ ମଧ୍ୟରେ କୁଞ୍ଜବିହାରୀ ଏକ ପ୍ରତିଷ୍ଠାନରେ ପରିଣତ ହୋଇଥିଲେ । ରାଜ୍ୟର ତିନିଟି ମୁଖ୍ୟ ଅଞ୍ଚଳରେ-ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ମଧ୍ୟ ଓଡ଼ିଶାରେ ସେ ଶିକ୍ଷାବିଭାଗରେ କାର୍ଯ୍ୟ କରିଥିଲେ । ଛାତ୍ରଛାତ୍ରୀ ରୂପେ ଶହ ଶହ ଯୁବକ-ଯୁବତୀଙ୍କର ସେ ସାନ୍ନିଧ୍ୟ ଓ ସାହଚର୍ଯ୍ୟ ଲାଭ କରିଥିଲେ । ଫଳରେ ଓଡ଼ିଶାର ଜନଜୀବନ, ଭାଷା, ସଂସ୍କୃତି ସମ୍ପର୍କରେ ଅର୍ଜନ କରି ପାରିଥିଲେ ବିପୁଳ ଅଭିଜ୍ଞତା । ବହୁ ଜ୍ଞାନ, ବହୁ ଅଭିଜ୍ଞତାର ଅଧିକାରୀ ହୋଇ ସୁଦ୍ଧା ସେ ଫଳନ୍ତି ବୃକ୍ଷ ସଦୃଶ ବରାବର ନମ୍ରନତ ଥିଲେ । ନିଜର ଶିକ୍ଷା ଓ ଜ୍ଞାନର ବଡ଼େଇ କରୁନଥିଲେ । ଶିଶୁ ପରି ସେ ଥିଲେ ସରଳ, ନିରଭିମାନ ଓ ଅନହଂକାରୀ; ଆକାଶ ପରି ଥିଲେ ଉଦାର ଓ ପ୍ରଶସ୍ତପ୍ରାଣ । ତାଙ୍କର ପ୍ରାୟ କେହି ଶତ୍ରୁ ନଥିଲେ, ତାଙ୍କୁ ଅଜାତଶତ୍ରୁ କହିଲେ ଚଳେ । ବରାବର ସଂଯତବାକ୍‌; ଆବଶ୍ୟକ ଅନୁଯାୟୀ ଅଳ୍ପ କଥା କହନ୍ତି, କିନ୍ତୁ କାର୍ଯ୍ୟ କରନ୍ତି ବେଶି । କର୍ତ୍ତବ୍ୟରେ ନିଷ୍ଠାପରତା, ନିରପେକ୍ଷତା, ସଦାଚାର ଓ ଶୃଙ୍ଖଳାବୋଧ ଥିଲା ତାଙ୍କର ଏକ ଭୂଷଣ । ତାଙ୍କ ସହିତ ମିଶି ନଥିବା କିମ୍ବା କାର୍ଯ୍ୟ କରିନଥିବା ଲୋକ ଏସବୁ ବିଷୟ ହୃଦୟଙ୍ଗମ କରିପାରିବ ନାହିଁ ।

 

କୁଞ୍ଜବିହାରୀଙ୍କ ବ୍ୟକ୍ତିତ୍ୱ ଓ ଚରିତ୍ରବତ୍ତା ସମ୍ପର୍କରେ ଡକ୍ଟର ଦାଶରଥି ଦାସ କହନ୍ତି–‘‘ସରଳ ବିଦ୍ୟାବୁଦ୍ଧି, ସାଧୁ ମନୋଭାବ ଏବଂ ସୁସ୍ଥ ଗୌରବୋଜ୍ଜ୍ୱଳ କାନ୍ତି ସାଙ୍ଗକୁ ବାର୍ଦ୍ଧକ୍ୟର ଧବଳ କେଶ ଓ ଶ୍ମଶ୍ରୁ ତାଙ୍କ ବ୍ୟକ୍ତିତ୍ୱକୁ ଏବେ ସ୍ପଷ୍ଟ ସେହି ଆର୍ଷ ମହିମା ପ୍ରଦାନ କରିଛି । ନିଜ ଭିତରେ ନିଜେ ଶାନ୍ତ ସମାହିତ ସେ । ଭୟ ଲାଗେ । ଭକ୍ତି ଆସେ । ଆମ ଶିକ୍ଷାନୁଷ୍ଠାନଗୁଡ଼ିକରେ ଯେବେ ଏପରି ଗୋଟିଏ ଗୋଟିଏ ଶୁଭ୍ର ବ୍ୟକ୍ତିତ୍ୱ ଉପସ୍ଥିତ ରହନ୍ତେ, ତେବେ ପରିବେଶ ପବିତ୍ର ହୋଇ ଉଠନ୍ତା ।’’ ଅଭିନନ୍ଦନ ଗ୍ରନ୍ଥ, ୧୯୯୩, ପୃଷ୍ଠା ୪)

 

ଡକ୍ଟର ତ୍ରିପାଠୀଙ୍କ ଶିକ୍ଷକତା ଓ ଶିକ୍ଷାନୀତି ବିଷୟରେ ଆଲୋଚନା କରି ଡକ୍ଟର ଭ୍ରମରବର ଜେନା ଲେଖିଛନ୍ତି–‘‘ଶିକ୍ଷକ ନହୋଇ ଶିକ୍ଷାବିତ୍‌ ହେବା ପାଇଁ ଅନେକ ନେତା ଚେଷ୍ଚା ଚଳାଇ ଥାଆନ୍ତି । ଡକ୍ଟର ତ୍ରିପାଠୀଙ୍କ ଶିକ୍ଷାନୀତି ହେଲା ଯେ ଶିକ୍ଷକ ନହୋଇ ଶିକ୍ଷାବିତ୍‌ ହେବା ବିପଦଜନକ । ସେ କହନ୍ତି ଯେ ‘ଶିକ୍ଷାପଦ୍ଧତି, ପ୍ରକ୍ରିୟା ଓ ଅଭିଜ୍ଞତାରେ ପାରଦର୍ଶିତା ହେଉଛି ଶିକ୍ଷାବିତ୍‌ର ଯୋଗ୍ୟତା ।’ ଏପରିକି ଅନ୍ୟୁନ୍ୟ ୨୦-୩୦ ବର୍ଷର ଅଭିଜ୍ଞତା ନ ଥିଲେ ଶିକ୍ଷାବିତ୍‌ ପଦବାଚ୍ୟ ହେବା ଅଯଥାର୍ଥ । ଥରେ ଜଣେ ଓକିଲ ବିଶ୍ଵବିଦ୍ୟାଳୟର ଶିକ୍ଷା ପରିଷଦରୁ ସିଣ୍ଡିକେଟ୍‌କୁ ନିର୍ବାଚିତ ହେବା ପାଇଁ ପ୍ରଚେଷ୍ଟା ଚଳାଇଥାନ୍ତି । ତାଙ୍କର ପଇସା ବଳ ଓ ସଂଗଠନ ବଳ ଅଧିକ ଥାଏ । ଶିକ୍ଷା ପରିଷଦରୁ ଶିକ୍ଷାବିତ୍‌ଙ୍କୁ ନିର୍ବାଚିତ କରିବାର ଯୁକ୍ତି ଡକ୍ଟର ତ୍ରିପୀଠୀ ଉପସ୍ଥାପନା କରୁ ଥାଆନ୍ତି । ଶିକ୍ଷକ ନହୋଇ ଶିକ୍ଷାବିତ୍‌ ହେବା ବାସନାକୁ ପଣ୍ଡ କରାଇବାରେ ତାଙ୍କ ଯୁକ୍ତି ଆଦୃତ ହେଲା । ଉକ୍ତ ଅର୍ଥପରାକ୍ରମୀ ଓକିଲ ପରାସ୍ତ ହୋଇ ଆଜୀବନ ଶତ୍ରୁ ପାଲଟି ଗଲେ । କିନ୍ତୁ ଡକ୍ଟର ତ୍ରିପାଠୀଙ୍କର ଏହି ଶିକ୍ଷାବିତ୍‌ ପଦର ସଂଜ୍ଞାକୁ ସମସ୍ତେ ଗ୍ରହଣ କରି ଚାଲିଛନ୍ତି ।’’ (ଅଭିନନ୍ଦନ ଗ୍ରନ୍ଥ, ପୃଷ୍ଠା ୩୦)

 

ନିଜର କୃତିତ୍ୱ ତଥା ଓଡ଼ିଆ ଭାଷା- ସାହିତ୍ୟ କ୍ଷେତ୍ରରେ ଶୁଭଦାନ ଲାଗି ଡକ୍ଟର ତ୍ରିପାଠୀ ବିଭିନ୍ନ ବ୍ୟକ୍ତିବିଶେଷ ଓ ସାଂସ୍କୃତିକ ପ୍ରତିଷ୍ଠାନ ପକ୍ଷରୁ ସମ୍ମାନିତ ତଥା ସମ୍ୱର୍ଦ୍ଧିତ ହୋଇଛନ୍ତି । ଓଡ଼ିଶା ସାହିତ୍ୟ ଏକାଡ଼େମୀ, ତତ୍‌କାଳୀନ ରେଭେନ୍‍ସା କଲେଜ, ଉତ୍କଳ ବିଶ୍ଵବିଦ୍ୟାଳୟ, କେଦାରନାଥ ଗବେଷଣା ପ୍ରତିଷ୍ଠାନ, ସାରଳା ସମ୍ମାନ ପ୍ରଭୃତି ତନ୍ନଧ୍ୟରେ ଅନ୍ୟତମ । ପୁରୀର ଗଜପତି ମହାରାଜା ତାକୁ ‘ସାହିତ୍ୟ ବିଶାରଦ’ ଉପାଧିରେ ଭୂଷିତ କରି ସନନ୍ଦ ପ୍ରଦାନ କରିଥିଲେ । ସନନ୍ଦ- ଲିପି ଥିଲା ଏହିପରି :–

 

‘‘ଶ୍ରୀ ଶ୍ରୀ ଶ୍ରୀ ଗଜପତି ମହାରାଜା ବୀର କିଶୋର ଦେବଙ୍କ ୩ ଅଙ୍କ ସ୍ନ ୧୩୬୫ ସାଇ ସିଂହ ମାସ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ବଡ଼ଦେଉଳ ପରିଛାଙ୍କୁ, ସମସ୍ତ କାର୍ଯ୍ୟମାନଙ୍କୁ, ସହର ସର୍ଦ୍ଦାରଙ୍କୁ, ସାତସାହି ନାୟକଙ୍କୁ, ସୁଆର ମହାସୁଆରମାନଙ୍କୁ, ଛ’ଭୋଗ ବିଶୋଇଙ୍କୁ, ଚାରିବାଟ କରଣଙ୍କୁ ଚିଟାଉ । ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, ଅଧ୍ୟାପକ ରେଭେନ୍‍ସା କଲେଜ୍‌, କଟକ-ନାନାବିଧ ସାହିତ୍ୟ ଓ ଐତିହାସିକ ତଥ୍ୟ ପ୍ରକାଶ କରିବାରେ ପାରଦର୍ଶିତା ଲାଭ କରିଥିବାରୁ ତାହାଙ୍କୁ ‘ସାହିତ୍ୟ ବିଶାରଦ’ ଉପାଧିରେ ଭୂଷିତ କଲୁ । ଏ ସିରସ୍ତା କାଗଜାତମାନଙ୍କରେ ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଉକ୍ତ ଉପାଧି ଦରଜ କରାଇ ବ୍ୟବହାର କରିବେ । ଏହାକୁ କେହି ଅଟକ ବା ଖଣ୍ଡନ ନ କରିବେ । ଇତି ।

 

ତା୫.୯.୫୭

ସ୍ଵା- ଶ୍ରୀ ବୀରକିଶୋର ଦେବ

ଶ୍ରୀଶ୍ରୀଶ୍ରୀ ଗଜପତି ମହାରାଜା, ପୁରୀ ।’’

 

କୁଞ୍ଜବିହାରୀଙ୍କ ପାରିବାରିକ ଜୀବନ ମୋଟାମୋଟି ସୁଖଶାନ୍ତିମୟ ଥିଲା । ବେଳେ ବେଳେ ବୈଷୟିକ ବା ସାଂସାରିକ ବୁଦ୍ଧିମାନ୍ଦ୍ୟ ହେତୁ ନିଜ ସ୍ତ୍ରୀଙ୍କଠାରୁ ମିଠାକଡ଼ା ବାକ୍ୟ ଶୁଣୁଥିଲେ ମଧ୍ୟ ସେ ତାହା ଦେହକୁ ନେଉନଥିଲେ ଏବଂ ସ୍ମିତ ହାସ୍ୟରେ ତାକୁ ହଜମ କରି ସଂସାର ଯାତ୍ରା ଚଳାଇଥିଲେ । ପତ୍ନୀ ସୁରେଖା ଦେବୀ ଏବଂ ପଞ୍ଚ କନ୍ୟା, ପୁତ୍ର ତ୍ରୟଙ୍କ ସମାବେଶରେ ତାଙ୍କର ପାରିବାରିକ ଜୀବନ ପରିପୂର୍ଣ୍ଣତା ଲାଭ କରିଛି । ପରଲୋକ ପରେ ବି ତାଙ୍କ ନବତି ବର୍ଷର ଜୀବନାଦର୍ଶର ପ୍ରଭାବ ଦେଇ ଆପଣାର ଯୋଗ୍ୟ ପୁତ୍ରକନ୍ୟାଙ୍କ ମଧ୍ୟରେ ତଥା ଭାଷା- ସାହିତ୍ୟ କ୍ଷେତ୍ରରେ ଶୁଭ ଦାନ ଦେଇ ଅଭିଜାତ ସୁଧୀ ସମାଜ ମଧ୍ୟରେ ସେ ବଞ୍ଚି ରହିଛନ୍ତି ।

Image

 

ଉପସଂହାର

 

ଉତ୍ତର ପିଢ଼ିର ସାହିତ୍ୟସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ଥରେ ଡକ୍ଟର ତ୍ରିପାଠୀ କହିଥିଲେ–‘‘ସେମାନେ ପ୍ରଥମେ ପାଠକ ହୁଅନ୍ତୁ, ଅଧ୍ୟୟନ କରନ୍ତୁ । ସଂସାରକୁ ଓ ସମାଜକୁ ଜାଣନ୍ତୁ-। ବାସ୍ତବ କଥାକୁ ଅନୁଭବ କରନ୍ତୁ । ସତ୍ୟ ଅନୁସନ୍ଧାନ କରି ସେହି ପଥରେ ଅଗ୍ରସର ହୁଅନ୍ତୁ । ଗବେଷକମାନେ ଭାରତର ପ୍ରାଚୀନ ଐତିହ୍ୟ, ସଂସ୍କୃତିକୁ ଦେଖି ମୌଳିକ ଗବେଷଣା କରନ୍ତୁ । ଲୁଚି ରହିଥିବା ସତ୍ୟକୁ ଜନମାନସରେ ଉପସ୍ଥାପିତ କରିବା ପାଇଁ ଚେଷ୍ଟିତ ହୁଅନ୍ତୁ ।’’ (କୋଣାର୍କ- ୧୧୪, ଶାରଦୀୟ ସଂଖ୍ୟା, ଅଗଷ୍ଟ-ଅକ୍ଟୋବର- ୯୯, ପୃଷ୍ଠା - ୧୩୫) ଓଡ଼ିଆ ସାହିତ୍ୟ ଇତିହାସରେ ପ୍ରାୟ ଏକ ସମୟରେ ଆଗପଛ ହୋଇ ଦୁଇଜଣ କୁଞ୍ଜବିହାରୀଙ୍କ ଆବିର୍ଭାବ ଘଟିଥିଲା । ଶଂସିତ କୁଞ୍ଜବିହାରୀ ତ୍ରିପାଠୀ ଥିଲେ ଓଡ଼ିଆ ଭାଷା ଓ ଲିପିର ଗବେଷକ । ମାତ୍ର କୁଞ୍ଜବିହାରୀ ଦାଶ (୧୯୧୪-୯୪) ଓଡ଼ିଆ ଲୋକ ସାହିତ୍ୟର ଗବେଷକ । ଗବେଷଣାର ମାର୍ଗ ଦୁହିଁଙ୍କର ଭିନ୍ନ, କିନ୍ତୁ ଆଭିମୁଖ୍ୟ ଏକ ଓ ଅଭିନ୍ନ । ଉଭୟେ ଆମ ତୁଣ୍ଡର ଭାଷାକୁ ଅଣ୍ଡାଳିଛନ୍ତି, ଘାଣ୍ଟିଛନ୍ତି ଏବଂ ଆମ ପ୍ରାଣର କଥାକୁ ନୂତନ ଆଙ୍ଗିକରେ ରୂପ ଦେଇଛନ୍ତି ।

 

ଡକ୍ଟର ତ୍ରିପାଠୀଙ୍କ ସହ ୧୯୫୫-୫୬ ମସିହାରୁ ମୋର ସମ୍ପର୍କ ସ୍ଥାପିତ ହୋଇଥିଲା । ମୋର ଶିକ୍ଷାଗୁରୁ ଡକ୍ଟର କୁଞ୍ଜବିହାରୀ ଦାଶ ସେତେବେଳେ ଥାଆନ୍ତି ଶାନ୍ତି ନିକେତନ ବିଶ୍ଵ ଭାରତୀରେ । ଭଦ୍ରକ କଲେଜରେ ମୋର ଅଧ୍ୟାପକ ଜୀବନ ଆରମ୍ଭରେ ମୁଁ କାହାର ପରାମର୍ଶ ବା ଦିକ୍‌ନିର୍ଦ୍ଦେଶ ଗ୍ରହଣ କରିବି ? ରେଭେନ୍‍ସା କଲେଜରେ ସେତିକିବେଳେ ପ୍ରଫେସର ତ୍ରିପାଠୀଙ୍କ ସହ ମଝିରେ ମଝିରେ ସାକ୍ଷାତ କରି ଗ୍ରହଣ କରୁଥିଲି ତାଙ୍କର ସୁପରାମର୍ଶ । ଆମ ମଧ୍ୟରେ ପତ୍ରାଳାପ ହେଉଥିଲା ମଧ୍ୟ (ଏ ପୁସ୍ତକର ପରିଶିଷ୍ଟରେ ଗ୍ରଥିତ ତାଙ୍କର ଦୁଇଟି ପତ୍ର ଦ୍ରଷ୍ଟବ୍ୟ) । ଭଦ୍ରକ କଲେଜ ଓଡ଼ିଆ ଭାଷା- ସାହିତ୍ୟ ବିଭାଗ ସେତେବେଳେ ବେଶ୍‌ କର୍ମମୁଖର ଥିଲା । ବିଭାଗୀୟ ପାଞ୍ଚ ଜଣ ଅଧ୍ୟାପକଙ୍କ ସାହିତ୍ୟାଲୋଚନାକୁ ଘେନି ଆମେ ‘ଦଶହରା’ ନାମକ ଗ୍ରନ୍ଥ ପ୍ରକାଶ କଲୁ ୧୯୬୦ ମସିହାରେ । ରେଭେନ୍‍ସାକୁ ଯାଇ ମୁଁ ଯେତେବେଳେ ଗ୍ରନ୍ଥଟି ଡକ୍ଟର ତ୍ରିପାଠୀଙ୍କୁ ଉପହାର ଦେଲି, ସେ ଭାରି ଖୁସି ହେଲେ ଏବଂ କହି ପକାଇଲେ - ଏଭଳି ଏକ ଗ୍ରନ୍ଥ ରେଭେନ୍‍ସା କଲେଜ ଓଡ଼ିଆ ଭାଷା-ସାହିତ୍ୟ ବିଭାଗରୁ ପ୍ରକାଶ ପାଇବା ଉଚିତ । ଏ ଦିଗରେ ସେ ଉଦ୍ୟମ ଆରମ୍ଭ କରିଦେଲେ । ୧୯୬୩ ମସିହାରେ ପ୍ରକାଶିତ ‘ଓଡ଼ିଆ ସାହିତ୍ୟ ସମୀକ୍ଷଣ’ (କଟକର ଆଲୋକ ସାହିତ୍ୟ ପ୍ରତିଷ୍ଠାନ ପ୍ରକାଶିତ) ସେହି ସାଧୁ ଉଦ୍ୟମର ଫଳଶ୍ରୁତି । ଏହି ଦୁଇଟିଯାକ ଗ୍ରନ୍ଥ ସୁଧୀ ମଣ୍ଡଳୀରେ ସୁପରିଚିତ ।

 

ରାଜ୍ୟର ସାହିତ୍ୟିକ ମହଲରେ ସୁପରିଚିତ ‘ପ୍ରାଚୀ ସମିତି’ ବନ୍ଦ ହୋଇଗଲା ପରେ ୧୯୮୦ ମସିହାରେ ତତ୍ତୁଲ୍ୟ ଏକ ସାଂସ୍କୃତିକ ପ୍ରତିଷ୍ଠାନ ଆମେ ଆରମ୍ଭ କଲୁ । ଏହାର ଦ୍ୱିତୀୟ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଏକ ଲିଖିତ ବତ୍କୃତା ପ୍ରଦାନ କରିବାକୁ ମୁଁ ଯାଇ ତାଙ୍କୁ ଅନୁରୋଧ କରେ । ସେ ସମ୍ମତି ପ୍ରଦାନ କଲେ ଏବଂ ମୋତେ ଜଣାଇଲେ ଯେ ଏଭଳି ସାହିତ୍ୟ ସଭାମାନଙ୍କରେ ସବୁବେଳେ ଲିଖିତ ଭାଷଣ ଦିଆଯିବାର ବ୍ୟବସ୍ଥା କରାଯିବା ଉଚିତ୍‌ । ତଦନୁଯାୟୀ ସେ ଏକ ଉପାଦେୟ ଲିଖିତ ଭାଷଣ ଘେନି ଆମ ବାର୍ଷିକୋତ୍ସବରେ ଯୋଗ ଦେଲେ । ତାଙ୍କର ସେହି ଭାଷଣଟି ପରେ ‘ଏଷଣା’ରେ ତଥା ଓଡ଼ିଆ ଗବେଷଣା ପରିଷଦ ପ୍ରକାଶିତ ‘ଅତିଥି ଉବାଚ’ ଗ୍ରନ୍ଥରେ ସନ୍ନିବେଶିତ ହୋଇଛି ।

 

ଶେଷରେ, ଡକ୍ଟର ତ୍ରିପାଠୀଙ୍କ ସହ ଆମ ସମ୍ପର୍କର ଏକ ମିଠାକଡ଼ା ଘଟଣା ଉଲ୍ଲେଖ କରିବି । ଗତ ବିଂଶ ଶତାବ୍ଦୀର ସପ୍ତମ ଦଶକର କଥା । ଠିକ୍‌ ମସିହାଟା ମନେ ପଡ଼ୁନାହିଁ । ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଠିକ୍‌ ଥିଲେ ବି ଭଦ୍ରକ କଲେଜରେ ଓଡ଼ିଆ ଅନର୍ସ ଶ୍ରେଣୀ ଫିଟୁ ନଥାଏ । ଏକାଧିକ ଥର ମୁଁ ଡକ୍ଟର ତ୍ରିପାଠୀଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ତତ୍ତ୍ୱ ନେବାକୁ ଅନୁରୋଧ କରିଥାଏ । ଡକ୍ଟର ତ୍ରିପାଠୀ ସେତେବେଳେ ଉତ୍କଳ ବିଶ୍ଵବିଦ୍ୟାଳୟର ଏକାଡେମିକ୍‌ କାଉନ୍‌ସିଲ୍‌ ଓ ସିନେଟ୍‌ର ସଦସ୍ୟ । ସେଥର ତାଙ୍କୁ ସାକ୍ଷାତ କରି ମୁଁ ଟିକିଏ କଡ଼ା ଭାଷାରେ କହିଲି ଆପଣ କଣ ଭାବୁଛନ୍ତି ଯେ କେବଳ ରେଭେନ୍‍ସା କଲେଜରେ ଅନର୍ସ ପାଠପଢ଼ା ହେଲେ ଓଡ଼ିଆ ଭାଷା- ସାହିତ୍ୟର ଉନ୍ନତି ହୋଇଯିବ । ଆପଣଙ୍କ ଭଳି ଜଣେ ସିନେଟ୍‌ ଓ ଏକାଡେମିକ୍‌ କାଉନସିଲର ବିଶିଷ୍ଟ ସଦସ୍ୟ ଥାଉଁ ଥାଉଁ ଭଦ୍ରକ କଲେଜରେ ଓଡ଼ିଆ ଅନର୍ସ ଶେଣୀ ନ ଫିଟିବା ବଡ଼ ଦୁଃଖର-କଥା ! ଡକ୍ଟର ତ୍ରିପାଠୀ ନିରବରେ ବସି ମୁଖରେ ମୃଦୁହାସ୍ୟ ଫୁଟାଇ ମୋ କଥା ଶୁଣୁ ଥାଆନ୍ତି । ମୁଁ ବିରକ୍ତ ହୋଇ ଉଠି ଚାଲି ଆସିଲି ତାଙ୍କ ଅଫିସ୍‌ରୁ । ବୋଲିବା ବାହୁଲ୍ୟ ଯେ କେଇ ମାସ ପରେ ୧୯୬୪ ମସିହାରେ ଭଦ୍ରକ କଲେଜରେ ଓଡ଼ିଆ ଅନର୍ସ ଶ୍ରେଣୀ ଫିଟାଇବା ପାଇଁ କଲେଜର ଗଭର୍ନିଙ୍ଗ ବଡ଼ି ସମ୍ମତି ପ୍ରଦାନ କଲେ । ତତ୍‌ପୂର୍ବରୁ ଏ ସମ୍ପର୍କିତ ବିଶ୍ୱବିଦ୍ୟାଳୟର ଏଫିଲିଏସନ୍‌ ମିଳିଯାଇଥିଲା ।

 

କୃଷ୍ଣଚରଣ ବେହେରା

୧୪.୧୨.୨୦୧୧

Image

 

ପରିଶିଷ୍ଟ

ଏକ ପଲକରେ ସଂକ୍ଷିପ୍ତ ଜୀବନପଞ୍ଜୀ

 

ଜନ୍ଜ ଓ ଜନ୍ମସ୍ଥାନ

-

କଟକ ଜିଲ୍ଲା ବାଙ୍କି ସବ୍‌ଡିଭିଜନ୍‌ସ୍ଥ ପଥୁରିପଡ଼ା ଗ୍ରାମରେ ୧୩୧୭ ସାଲ ମିଥୁନ ୧୩ ଦିନରେ ଜନ୍ମ (୧୯୧୦ ମସିହା) । ସାର୍ଟିଫିକେଟ୍‌ ଅନୁଯାୟୀ ୧୯୧୧ ମସିହା ସେପ୍ଟେମ୍ୱର ୪ ତାରିଖ ।

 

 

 

ଶିକ୍ଷାଦୀକ୍ଷା

-

ବରପୁଟ ନିମ୍ନ ପ୍ରାଇମେରୀ ସ୍କୁଲ ଓ ବାଙ୍କି ମାଇନର୍‌ ସ୍କୁଲରେ ବାଲ୍ୟ ଶିକ୍ଷା । ଡମପଡ଼ା ହାଇସ୍କୁଲରୁ ୧୯୨୮ ମସିହାରେ ମେଟ୍ରୁକ୍ୟୁଲେସନ୍‌ ପାଶ୍‌ । କଟକ ରେଭେନ୍‍ସା କଲେଜରେ ଆଇ.ଏ. ଓ ବି.ଏ. ଅଧ୍ୟୟନ । ବି.ଏ. ସଂସ୍କୃତ ଅନର୍ସ ପରୀକ୍ଷାରେ ୧୯୩୨ ମସିହାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର ପୂର୍ବକ ସ୍ଵର୍ଣ୍ଣପଦକ ଲାଭ । ୧୯୩୪ରେ ବିହାରର ପାଟନା କଲେଜରୁ ସଂସ୍କୃତରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଏମ୍‌.ଏ. ପାଶ୍‌ । ଆଇନ୍‌ ବିଦ୍ୟା ପଢ଼ି ୧୯୩୭ ମସିହାରେ ବି.ଏଲ୍‌. ପାଶ୍‌ । ୧୯୫୩ ମସିହାରେ ବିଲାତର ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଗବେଷଣା କରି ପିଏଇଚ୍‌. ଡି. ଡିଗ୍ରୀ ଲାଭ ।

 

 

 

କର୍ମଜୀବନ

-

ଓକିଲାତି ୧୯୩୭-୩୮ । ରେଭେନ୍‍ସା କଲେଜ ସଂସ୍କୃତ- ଓଡ଼ିଆ ବିଭାଗରେ ୧୯୩୮ ରୁ ଅଧ୍ୟାପନା ଆରମ୍ଭ । ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଅଧ୍ୟକ୍ଷତା - ୧୯୫୪ । ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ଅଧ୍ୟକ୍ଷତା-୧୯୬୭ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ପ୍ରଫେସର-୧୯୭୨ । କଟକ ଥୋରିଆ ସାହିସ୍ଥ ମହିଳା କଲେଜରେ ଅଧ୍ୟକ୍ଷତା - ୧୯୮୧ ।

 

 

 

ସୃଷ୍ଟିସମ୍ଭାର

-

ଓଡ଼ିଆରେ ପ୍ରାୟ ପନ୍ଦର ଖଣ୍ଡ (ମୌଳିକ ତଥା ସଂପାଦିତ) ଗ୍ରନ୍ଥ, ଇଂରାଜୀରେ ପ୍ରାୟ ତିନିଖଣ୍ଡ ଗ୍ରନ୍ଥ ରଚନା । ଏହାବ୍ୟତୀତ ଓଡ଼ିଆ, ଇଂରାଜୀ ଓ ହିନ୍ଦୀରେ ଲିଖିତ ଅଶୀରୁ ଅଧିକ ପ୍ରବନ୍ଧ ପ୍ରକାଶିତ ।

ପରଲୋକ

-

୨୦୦୧ ମସିହା ଜୁନ୍‌ ମାସ ୧୫ ତାରିଖ ।

 

ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀଙ୍କ ରଚନାବଳୀର ତାଲିକା

 

(କ)

ଇଂରାଜୀ ପୁସ୍ତକ

 

1.

The Evolution of Oriya Language And Script :

 

 

Utkal University, Cuttack (1952)

 

2.

A Brief History of Oriya Literature :

 

 

Bijoy Book Store, Berhampur (1972)

 

3.

A Brief Review of History of Oriya Literature :

 

 

Sahitya Akademi, New Delhi (1973)

(ଖ)

ଓଡ଼ିଆ ପୁସ୍ତକ

 

(i)

କବିତା :

 

 

(୧)

ପୁଷ୍ପାଞ୍ଜଳି-ଉମାଚରଣ ମହାନ୍ତି,

 

 

 

କଟକ ପବ୍ଳିଶିଂ ହାଉସ୍‌, ଚାନ୍ଦିନୀଚୌକ, କଟକ (୧୯୫୭)

 

 

(୨)

ବନ୍ଦନିକା-ରଣଜିତ ସିଂହ

 

 

 

ବାଲୁବଜାର, କଟକ (ଦ୍ୱିତୀୟ ସଂସ୍କରଣ, ୧୯୭୧)

 

 

(୩)

ବିଲାତି କୁସୁମାଞ୍ଜଳି

 

(ii)

ଆଲୋଚନା :

 

 

(୧)

ସଂସ୍କୃତ ସାହିତ୍ୟ (ପ୍ରଥମ ଖଣ୍ଡ) : ବାଣୀଭଣ୍ଡାର, କଟକ (୧୯୫୯)

 

 

(୨)

ସଂସ୍କୃତ ସାହିତ୍ୟ (ଦ୍ଵିତୀୟ ଖଣ୍ଡ) : ବାଣୀଭଣ୍ଡାର, କଟକ (୧୯୬୨)

 

 

(୩)

ପ୍ରାଚୀନ ଓଡ଼ିଆ ଅଭିଲେଖ- ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଭୁବନେଶ୍ୱର

 

 

(୪)

ଓଡ଼ିଆ ଭାଷା ଓ ଲିପିର ବିବର୍ତ୍ତନ (ଖୋଦିତ ଲେଖ ଉପରେ ଆଧାରିତ) ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର (୧୯୮୪)

 

(iii)

ସଂପାଦନା :

 

 

(୧)

ଧମ୍ମପଦ-କଟକ ଟ୍ରେଡିଂ କମ୍ପାନୀ - ୧୯୪୯

 

 

(୨)

କୁମାର ସମ୍ଭବମ୍‌ (୫ମ ସର୍ଗ) - ବିଜୟ ବୁକ୍‌ ଷ୍ଟୋର୍‌, ବ୍ରହ୍ମପୁର

 

 

(୩)

ଓଡ଼ିଆ ସାହିତ୍ୟ ସମୀକ୍ଷଣ- ଖଣ୍ଡକ୍ଷୀରୋଦ ମିଶ୍ର, ଆଲୋକ

 

 

 

ସାହିତ୍ୟ ପ୍ରତିଷ୍ଠାନ ଖଟବିନ୍‌ ସାହି, କଟକ-୮, ୧୯୬୩

 

 

(୪)

ଭାଗବତ ସୂକ୍ତି ମୁକ୍ତାବଳୀ-୧୯୭୨

 

 

(୫)

ପ୍ରାଚୀନ ଓଡ଼ିଆ ଗଦ୍ୟ ସଂକଳନ-ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଭୁବନେଶ୍ୱର, ୧୯୮୨

 

 

(୬)

ଉତ୍କଳୀୟ କବି ବିଭୂତି (ନାଗରୀ ଲିପିରେ ଓଡ଼ିଆ କବିତା)

 

 

 

ଡକ୍ଟର ଧନେଶ୍ୱର ମହାପାତ୍ରଙ୍କ ସହ ସଂପାଦନା : ଉତ୍କଳ ନାଗରୀ ଲିପି ପରିଷଦ, ଗାନ୍ଧୀନଗର, କୋରାପୁଟ- ୨୦, ୧୯୮୭

 

(iv)

ଶବ୍ଦକୋଷ :

 

 

ଆଞ୍ଚଳିକ ଶବ୍ଦକୋଷ, ପ୍ରଥମ ଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୧୯୭୪

 

ପ୍ରବନ୍ଧାବଳୀ

 

(କ)

ଓଡ଼ିଆ :

 

୧)

ଉତ୍କଳ ସଂସ୍କୃତ ଅଳଙ୍କାର ଶାସ୍ତ୍ରର-ନବଭାରତ- ୧/୩ (ନୂତନ ପ୍ରସ୍ଥ) ୧୯୪୬-ପୃ୧୧୫-୧୧୭

 

୨)

ଓଡ଼ିଆ ଭାଷାର ଶବ୍ଦତତ୍ତ୍ୱ ବିଚାର-ନବଭାରତ-୪/୧୧ - ପୃ୭୭୧-୭୮୦

 

 

ଓଡ଼ିଆ ଭାଷାର ଶବ୍ଦତତ୍ତ୍ୱ ବିଚାର-ନବଭାରତ -୪/୧୨ - ପୃ୮୬୧-୮୬୪

 

 

ଓଡ଼ିଆ ଭାଷାର ଶଦ୍ଦତତ୍ତ୍ୱ ବିଚାର-ନବଭାରତ -୫/୭ - ପୃ୪୫୦-୪୫୨

 

୩)

ଶ୍ରୀ କୂର୍ମକ୍ଷେତ୍ର ଓ ତତ୍ରତ୍ୟ ଓଡ଼ିଆ ଶିଳାଲେଖ-ଝଙ୍କାର - ଏପ୍ରିଲ୍‌ ୧୯୫୬

 

୪)

ମୂଖଲିଙ୍ଗମ୍‌ ଓ ତତ୍ରତ୍ୟ ଓଡ଼ିଆ ଶିଳାଲେଖ-ଝଙ୍କାର - ଜୁଲାଇ, ୧୯୫୬

 

୫)

ଦୁଇଟି ଅପ୍ରକାଶିତ ଶିଳାଲେଖ - ଝଙ୍କାର - ଏପ୍ରିଲ୍‌ ୧୯୫୭

 

୬)

ସଂଗୀତ ଶାସ୍ତ୍ରରେ ଦୀନକୃଷ୍ଣଙ୍କର ବ୍ୟୁତ୍ପତ୍ତି-ଝଙ୍କାର-ଅକ୍ଟୋବର, ୧୯୫୭

 

୭)

କପିଳେଶ୍ଵର ଦେବଙ୍କ କୌଳିନ୍ୟ-ଝଙ୍କାର - ଜୁନ୍‌, ୧୯୫୮

 

୮)

ରେଭେନ୍‍ସା କଲେଜ ପ୍ରାଙ୍ଗଣସ୍ଥ ପ୍ରାଚୀନ ଶିଳାଲେଖ ଝଙ୍କାର-ମଇ, ୧୯୫୯

 

୯)

ଭକ୍ତକବି ଜଗନ୍ନାଥ ଦାସଙ୍କ ଭାଷାରେ ବୈଶିଷ୍ଟ୍ୟ-ଝଙ୍କାର-ଏପ୍ରିଲ୍‌, ୧୯୬୬

 

୧୦)

ସୋମବଂଶୀ ମହାରାଜାଧିରାଜ ଇନ୍ଦ୍ରରଥଙ୍କର ବାଣପୁର ତାମ୍ରଶାସନ-ଝଙ୍କାର-ଜାନୁୟାରୀ, ୧୯୬୭

 

୧୧)

ମହାରାଜ ରଣଭଞ୍ଜ ଦ୍ୱିତୀୟଙ୍କ ଅପ୍ରକାଶିତ ଦେଓଗାଁ ତାମ୍ରଶାସନ-ଝଙ୍କାର-ମଇ-୧୯୭୪ (ସହ ଲେଖକ- ଡକ୍ଟର ନଗେନ୍ଦ୍ରନାଥ ପ୍ରଧାନ)

 

୧୨)

ଗୋଟିଏ ପ୍ରାଚୀନ ଓଡ଼ିଆ ଶିଳାଲେଖ-ଝଙ୍କାର-ଏପ୍ରିଲ, ୧୯୭୯

 

୧୩)

ଓ୍ୱାରଙ୍ଗଲ ଦୁର୍ଗର ଓଡ଼ିଆ ଅଭିଲେଖ-ଝଙ୍କାର-ଏପ୍ରିଲ, ୧୯୮୦

 

୧୪)

ଉରୁଜାଂ ଗ୍ରାମ ଶିଳାଲେଖ-ଝଙ୍କାର-ଫେବୃୟାରୀ, ୧୯୮୪

 

୧୫)

ବିଲାତରେ ଓଡ଼ିଆ ପୋଥି-ସମାଜ-ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା-୧୯୫୩ -ପୃ୭୨-୭୪

 

୧୬)

ହରିଶଙ୍କର ତୀର୍ଥ ଓ ତତ୍ରତ୍ୟ ଶିଳାଲେଖ-ସମାଜ- ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା-୧୯୫୪-ପୁ୫୫-୫୬

 

୧୭)

ଆମ ଘର ପୋଥି-ସମାଜ- ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା- ୧୯୫୯, ପୃ୪୭-୪୮

 

୧୮)

ମହାନ୍ତି ଶବ୍ଦର ଭାଷାତତ୍ତ୍ୱିକ ସମୀକ୍ଷଣ-ସମାଜ- ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା-୧୯୭୦, ପୃ୪୪,୪୮

 

୧୯)

ସୂର୍ଯ୍ୟବଂଶୀ ପୁରୁଷୋତ୍ତମ ଦେବଙ୍କ ରାମେଶ୍ଵର ଶିଳାଲେଖ

 

 

ସମାଜ-ଗୋପବନ୍ଧୁ ଶ୍ରାଦ୍ଧସଂଖ୍ୟା-୧୯୯୨, ପୃ୨୧

 

୨୦)

ଗୋପବନ୍ଧୁଙ୍କ ଲେଖାରେ ସଂସ୍କୃତ ସାହିତ୍ୟର ପ୍ରଭାବ-ସମାଜ-ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା

 

୨୧)

ମହାରାଜ କପିଳେଶ୍ଵର ଦେବଙ୍କର ବୋଲିଗଲାନି ତ୍ରୈଭାଷିକ

 

 

ତାମ୍ରଶାସନର ଓଡ଼ିଆ ଅଂଶ-କୋଣାର୍କ-୧/୧, ୧୯୫୮ପୃ୯୫-୯୭

 

୨୨)

ବୌଦ୍ଧଗାନ ଓ ଦୋହାର ଭାଷା-କୋଣାର୍କ- ୨/ ୨, ୧୯୬୦,ପୃ୧-୪

 

୨୩)

ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ-କୋଣାର୍କ-୩/୩-୪,୧୯୬୮,ପୃ୯-୧୫

 

୨୪)

ନୈଷଧୀୟ ଚରିତମ୍‌-କୋଣାର୍କ - ୫୬ ସଂଖ୍ୟା- ୧୯୮୫, ପୃ ୭୪-୭୯

 

୨୫)

ପ୍ରାଚୀନ ଓଡ଼ିଆ ପଦ୍ୟ ସାହିତ୍ୟର ବାଣୀ ନିର୍ଦ୍ଦେଶ-କୋଣାର୍କ - ୮୪ ସଂଖ୍ୟା- ୧୯୯୨

 

 

(ସହ ଲେଖକ-ନବକିଶୋର ପୃଷ୍ଟି)

 

୨୬)

ବୈୟାକରଣିକ ରାଧାନାଥ-ଡଗର- ୨ ୪/୬,୭,୧୯୬୦-୬୧-ପୃ୮୪-୮୭

 

୨୭)

ଭକ୍ତ କବି ମଧୁସୂଦନଙ୍କ ଉପରେ ସଂସ୍କୃତ ସାହିତ୍ୟର ପ୍ରଭାବ- ଭକ୍ତମଧୁ ବିଦ୍ୟାପୀଠ-ଶତବାର୍ଷିକୀ ସଂଖ୍ୟା

 

୨୮)

ଉତ୍ତର ଭାରତ ତୀର୍ଥ ଭ୍ରମଣ-ଉତ୍କଳ ସାହିତ୍ୟ

 

୨୯)

ମୋର କଲେଜ ଜୀବନ-ଅଧୁନା

 

୩୦)

ଦୀନକୃଷ୍ଣଙ୍କ ବୋଲି- ଓଡ଼ିଆ ସାହିତ୍ୟ ପରିଷଦ, ମୁଖପତ୍ର

 

୩୧)

ଗବେଷଣା ଓ ଗବେଷଣା ପତ୍ରିକା- ଓଡ଼ିଆ ଗବେଷଣା ପରିଷଦ, କଟକ, ୧୯୮୨

 

୩୨)

ଦୀନକୃଷ୍ଣଙ୍କ ଭାଷା- ସପ୍ତର୍ଷି-ଜାନୁୟାରୀ-୧୯୭୩

 

୩୩)

ଉପେନ୍ଦ୍ରଭଞ୍ଜଙ୍କ ଶବ୍ଦ ପାଣ୍ଡିତ୍ୟ ଭଞ୍ଜପ୍ରଭା-କଟକ- ୧୯୫୩, ପୃ୪୯-୫୨

 

୩୪)

ପଶ୍ଚିମବଙ୍ଗର ଗଗନେଶ୍ଵରରେ ଥିବା ପ୍ରାଚୀନ ଓଡ଼ିଆ ଶିଳାଲେଖ :

 

 

ଡଗର ୨୬/୨, ୩, କଟକ, ୧୯୬୨ ପୃ ୨୨-୨୪

 

୩୫)

ରେଭେନ୍‍ସା କଲେଜ ଅଧ୍ୟାପକ ମଣ୍ଡଳୀଙ୍କ. ଓଡ଼ିଆ ସାହିତ୍ୟକୁ ଦାନ :

 

 

ରେଭେନ୍‍ସା କଲେଚ୍ଚ ଶତବାର୍ଷିକୀ ସ୍ମରଣିକା- ୧୯୬୮-ପୁ୬୧-୬୨

 

୩୬)

ଜଗନ୍ନାଥ ଦାସ-ସମ୍ବଲପୁର ବିଶ୍ୱବିଦ୍ୟାଳୟ ପତ୍ରିକା ୧/୧-୧୯୬୮-୬୯ ପୃ ୬୩-୭୦

 

୩୭)

କୃଷ୍ଣା ଜିଲ୍ଲାରେ ସୂର୍ଯ୍ୟବଂଶୀ ଗଜପତି ଅଭିଲେଖ-ବହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ରଜତ ଜୟନ୍ତୀ ସ୍ମରଣିକା-୧୯୯୧-୯୨

 

୩୮)

ଶ୍ରୀ ଲିଙ୍ଗରାଜ ମନ୍ଦିରର ଶିଳାଲେଖ-ଏକାମ୍ର କ୍ଷେତ୍ର-ଉତ୍କଳ ପାଠକ ସଂସଦ ଗ୍ରନ୍ଥ-୧୯୯୩

 

ହିନ୍ଦୀ ପ୍ରବନ୍ଧାବଳୀ :

 

୧)

ଓଡ଼ିଆ ଭାଷା-ରାଷ୍ଟ୍ରଭାଷା ରଜତଜୟନ୍ତୀ ଗ୍ରନ୍ଥ କଟକ ୧୯୬୧ ପୃ୫୧-୬୪

 

୨)

ଓଡ଼ିଆ ଲିପିତତ୍ଵ ପୃ୬୫-୭୨

 

୩)

ଓଡ଼ିଆ ଭାଷା-ସଚିତ୍ର ଓଡ଼ିଆ ସାହିତ୍ୟ ୧/୫ ଜୁନ୍‌, ୧୯୭୪ ପୃ୩୪-୩୯

 

 

ଓଡ଼ିଆ ଭାଷା-ସଚିତ୍ର ଓଡ଼ିଆ ସାହିତ୍ୟ ୧/୬ ପୃ୪୪-୪୭

 

 

ଓଡ଼ିଆ ଭାଷା-ସଚିତ୍ର ଓଡ଼ିଆ ସାହିତ୍ୟ ୧/୭ ପୃ୩୬-୪୨

(ଖ)

ଇଂରାଜୀ ପ୍ରବନ୍ଧାବଳୀ :

 

1.

An early Oriya Inscription, Dated the 8th year of King Bhanudeva at Simhachalam near Waltair, O.H.R.J. Vol-l Page 200-202, 1952 .

 

2.

A Brief Sketch of Oriya Language-Ravenshaw College Magazine 1954.

 

3.

Inscription of Lingaraj Temple-Ravenshaw College Magazine 1956

 

4.

The 19th Anka year Inscription of Kapokesvara Deva of the Puri Jagannath Temple, I.H. Congress Proceedings, 19th Sessions, 1956.

 

5.

The chronicle of Jagannath Temple, Puri, I.H. Congress. Proceedings, 20th Sessions, 1957.

 

6.

The Malebennuru Inscription of Virabhadra, O.H.R.J. Vol.VIl-1958

 

7.

The unpublished Sonepur Oriya Inscription of the time of King Bhanudeva-Indian Linguistics Vol.XVII, Poona 1957.

 

8.

Western Oriya Dialect, Indian Linguistics Vol, XVIII, Poona 1957.

 

9.

The Onclitic Definitive-'ti' is in Oriya, Indian Linguistics, Turner Jubilee, Vol-Il, 1959.

 

10.

The Monosylla: particles (Nipatas) in Oriya, Linguistic Circle-Delhi University.

 

11.

Raghu's Campaign of Conquest, Joumal of Vikram University, Ujjain, Kalidas special No.1961.

 

12.

Southern Oriya-Orissa Historical Reseach Joumal Vol.x 1962 No.4.

 

13.

The Geography of India in kalidas with special reference to Raghu's Campaign of Conquest, OHRJ Vol. XI, 1963.

 

14.

Perso-Arabic Influence in Oriya (Jointly with B. Mohanty) O.H.R.J. Vol. XV.

 

15.

A Study of some (about 40) Tadbhava and Desaja Words of Rajsekhar's Karpuramanjari. International Oriental Congress, New Delhi.

 

16.

A Study of some Important Prakrit words of Kalidas (Submitted to Sanskrit Visva Parishad, Bangalore session 1966) Revised article read at Kalidas Soneroha-Ujjain-1970.

 

17.

Banapur Copperplate Inscription of Somavansi King Indrarath, Journal of Asiatic Society, Vol-VIll No.4, 1966, Calcutta.

 

18.

A study of some interesting works of the Banapur Sanskrit Copperplate Inscription of the Somavansi King Indrarath, Bharati, Utkal University Journal, Humanities Vol-I, 1967, Bhubaneswar.

 

19.

Jagannath Das, Sambalpur University Journal 1967-68 Vol-I, No.1, Sambalpur.

 

20.

Prakrit and Oriya-Proceedings of the Prakrit Seminar, Poona (Under the directions of Dr. Dandekar) 1969-70.

 

21.

The contribution of Utkal Sanskrit Literature All India Oriental Conference, Srinagar.

 

 

 

 

22.

Sanskritisms ans Quasi Sanskritisms in Jagannath Das's Bhagavata. All India Oriental Conference.

 

23.

Euphemism in Oriya (Jointly with K.Mohapatra) All India Oriental Conference, Gauhati, 1967.

 

24.

The Inscriptions of the Sun-temple of Konark. All India Oriental Conference, Jadavpur, 1969.

 

25.

The Oriya Desaja vocabulary vis-a-vis the Dravidian Language especially Telgu. All India Oriental Conference, Ujjain, 1972.

 

26.

Sri Jagannath Cult and its History. Sri Jagannath Smaranika . Vol.II. New Delhi-31-12-1972.

 

27.

The Oriya and Telgu Language-some common-features-The Second All India Dravidian Linguistics Conference, Tirupati-1972.

 

28.

The asseverative particle (K). In faster indo Aryan Languages-All India Oriental Conference, Kurukshetra, 1974.

 

29.

A study of Tadbhava and Desaja words in the Sanskrits, Copperplate of Udaya khedi, All India Oriental Conference, Dharwar-1976.

 

30.

Progressive Dravidianisatian in Indo Aryan. All India Oriental Conference-1978.

 

31.

Folk element in the Ramayan. International Folklore Conference, Cuttack-1978.

 

32.

Desaja words in Hindi: Parallel in Oriya-All India Oriental Conference, Jeypore-1982.

 

33.

Charyapada and its Language. All India Oriental Conference, Viswa Bharati.

 

34.

Sidheswara Inscription Narasimha Deva IV. Epigraphica India, Vol.XXIX (Jointly with Dr. D.C. Sircar)

 

35.

The Subjunctive in Oriya-OHRJ Vol-VIII.

 

36.

Oriya Bhasa-Rastra Bhass Rajat Jayantigrantha, Cuttack.

 

37.

Oriya Lipi Tattva-Rastra Bhasa Rajat Jayantigrantha, Cuttack.

 

38.

A Burmese Palmleaf Manuscript in Orissa, OHRJ. Vol-XXIl, No.2.

 

39.

The Ganjam plate of Maharaja Udayakhedi. A Linguistic study of some words.

 

40.

Editing of Inscriptions-Eastern Regional. Language Centre, Bhubaneswar-December 1981.

 

41.

Dravidian Inscriptions of Orissa.

 

42.

Study of the drama 'Shakuntalam, For social uplift. National Seminar-Sambalpur University 17-4 82.

 

43.

An unpublished Copperplate grant of Maharaja Ranaka, Udayakhedi -A Linguistic study.

 

44.

Oriya Lexicography Encyclopaedia of Indian Literature.

 

45.

Inscriptions of Orissa-The Bhasa Samiti Journal 1981 edited by Bhasa Samiti, Professorpada, Cuttack.

Image

 

ଚିଠିପତ୍ର : ହସ୍ତଲିପିର ନମୁନା

(୧)

Image

 

ଚିଠିପତ୍ର : ହସ୍ତଲିପିର ନମୁନା

(୨)

Image

 

ଓଡ଼ିଆ ଓ ଇଂରାଜୀ ରଚନାର କେତୋଟି ଦୃଷ୍ଟାନ୍ତ
‘ଶ୍ରୀ ଭାଗବତ-ସୂକ୍ତି-ମୁକ୍ତାବଳୀ’ର

 

ମୁଖବନ୍ଧ

 

ଜଗନ୍ନାଥ ଦାସ (ପ୍ରାୟ ଖ୍ରୀ: ୧୪୮୦-୧୫୪୦)ଙ୍କ ଭାଗବତ ଓଡ଼ିଆ ସାହିତ୍ୟର ସବୁଠାରୁ ବଳି ଜନପ୍ରିୟ ଗ୍ରନ୍ଥ । ଧର୍ମଗ୍ରନ୍ଥ ଭାବରେ ଭଗବଦ୍‌ ଗୀତା ଓଡ଼ିଶାରେ ପୂଜ୍ୟ ହେଲେ ହେଁ, ଦାସଙ୍କ ଭାଗବତ ପରି ଏହାର ଲୋକପ୍ରିୟତା ସମାଜର ସବୁ ସ୍ତରରେ ବ୍ୟାପ୍ତ ହୋଇନାହିଁ । ଦାସଙ୍କ ଭାଗବତରେ କେବଳ ଯେ ଋଗ୍‌ବେଦ, ଉପନିଷଦ୍‌, ଗୀତା, ମନୁସଂହିତା ପ୍ରଭୃତି ହିନ୍ଦୁ ଧର୍ମଶାସ୍ତ୍ରର ସାରାଂଶ ଦେଖିବାକୁ ମିଳେ, ତାହା ନୁହେଁ, ବୌଦ୍ଧ ଓ ଜୈନମାନଙ୍କ ଧର୍ମଶାସ୍ତ୍ରର, ତଥା ବାଇବେଲ ଏବଂ କୋରାନରେ ଲିଖିତ ବହୁ ନୀତିବାକ୍ୟ ଓ ଆଧ୍ୟାତ୍ମିକ ତତ୍ତ୍ୱ ମଧ୍ୟ ଦେଖିବାକୁ ମିଳେ-

 

ବୁଦ୍ଧଦେବଙ୍କ ଉପଦେଶାବଳୀରେ ବୈଜ୍ଞାନିକ ବା ଗାଣିତିକ ପରିବେଷଣ ଦୃଷ୍ଟ ହୁଏ । ତାଙ୍କ ପଞ୍ଚଶୀଳ ହେଉଛି (୧) ଜୀବହିଂସା କର ନାହିଁ ।, (୨) ଅପହରଣ (ଚୋରି) କର ନାହିଁ, (୩) ମିଥ୍ୟା କହ ନାହିଁ, (୪) ମାଦକଦ୍ରବ୍ୟ ସେବନ କର ନାହିଁ, (୫) ଅ-ବ୍ରହ୍ମଚର୍ଯ୍ୟ ଆଚରଣ କରନାହିଁ ।

 

ଯୀଶୁଖ୍ରୀଷ୍ଟଙ୍କ ଉପଦେଶାବଳୀରେ ମଧ୍ୟ ଏହି ନୀତି ବାକ୍ୟଗୁଡ଼ିକ ସହିତ ଘନିଷ୍ଠ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଯୀଶୁଙ୍କ ପ୍ରଧାନ ଉପଦେଶ ହେଉଛି (୧) Don't kill (ଜୀବହତ୍ୟା କର ନାହିଁ), (୨) Don't commit adultery (ପରଦାରାଭିମର୍ଷଣ କରନାହିଁ), (୩) Don't steal (ଚୋରିକର ନାହିଁ), (୪) Don't lie (ମିଥ୍ୟା କହ ନାହିଁ), (୫) Honour your father and mother (ପିତାମାତାଙ୍କୁ ସମ୍ମାନ କର), (୬) Love your neighbour as yourself (ପ୍ରତିବେଶୀଙ୍କୁ ନିଜପରି ଭଲ ପାଅ), Matthew 18, 19

ବୁଦ୍ଧଦେବଙ୍କ ୧ମ ଶୀଳ ଭାଗବତରେ ଅନେକତ୍ର ଦେଖିବାକୁ ମିଳେ । ଯଥା–

ଏକ ଆରକେ ହିଂସା ବହି ।

ନରକେ ପଡ଼ୁଥାନ୍ତି ଯାଇ ॥

ମାଂସ ଭକ୍ଷଣେ ପଶୁମାରେ ।

ଯେ ଦୟାଧର୍ମ ନ ବିଚାରେ ॥

ଅଜ୍ଞାନ ମୋହେ ହୋନ୍ତି ମତ୍ତ ।

ନରକେ ପଡ଼ନ୍ତି ତୁରିତ ।।୧୦, ୧୧, ୯।।

ଯେ ପ୍ରାଣୀ ପରେ ହିଂସା କରେ ।

ଦେବତା ପୂଜି ସେ ନ ତରେ ।।୭,୧୪।।

ବୁଦ୍ଧଦେବଙ୍କ ୨ୟ, ୪ର୍ଥ ଏବଂ ୫ମ ଶୀଳ ଭାଗବତରେ ଏହିପରି ଦେଖିବାକୁ ମିଳେ–

ଚୋରି କରନ୍ତି ଲୋଭ ବହି ।

ଜୁଆ ଖେଳନ୍ତି ଭୋଳ ହୋଇ ॥

ଯେ ପ୍ରାଣୀ ମଦ୍ୟ ପାନ କରେ ।

ପର ରମଣୀ ଯେହୁ ହରେ ॥

ଅଜ୍ଞାନ ମୋହେ ହୋନ୍ତି ମତ୍ତ ।

ନରକେ ପଡ଼ନ୍ତି ତୁରିତ ।୧୦, ୧୧,୮॥

ଶାକ୍ୟମୁନିଙ୍କ ୩ୟ ଶୀଳ ଭାଗବତରେ ଏହିପରି ଉକ୍ତ ହୋଇଅଛି–

ସତ୍ୟ କହିବ, ନିତ୍ୟ ତୁଣ୍ଡେ ।

କେବେ ହେଁ ନଥିବ ପାଷଣ୍ତେ ॥୧୧,୪,୨୭॥

ସତ୍ୟ ଉପରେ ଧର୍ମ ନାହିଁ ।

ଏ କଥା ଭୂମି ଅଛି କହି ॥

ସର୍ବ ଅପ୍ରାଧ ସହି ପାରେ ।

ମିଥ୍ୟାର ଭାରେ ମୁହିଁ ଡରେ ॥୮, ୨୦॥

କଳି (ସଇତାନ)କୁ ପାଞ୍ଚୋଟି ସ୍ଥାନରେ ରହିବା ପାଇଁ ଅନୁମତି ଦେବା ଛଳରେ ମଧ୍ୟ ଭାଗବତରେ ଶାକ୍ୟମୁନିଙ୍କ ପଞ୍ଚଶୀଳର ଉପଦେଶ ଦିଆହୋଇଅଛି, ଯଥା-

ଚାରି ପ୍ରକାରେ ସ୍ଥାନ ଦେଲା ।

ନିତ୍ୟେ ଅଧର୍ମ ଯହିଁ ମେଳା ॥

ଦ୍ୟୂତ ଯୁବତୀ ମଦ୍ୟ ପାନ ।

ପ୍ରାଣୀ ମାରଣ ଯେବା ସ୍ଥାନ ॥

ମିଥ୍ୟା ବସଇ ଦ୍ୟୂତ ମଧ୍ୟେ ।

କାମକାମିନୀ, ମଦମଦ୍ୟେ ॥

ପ୍ରାଣୀ ମାରଣେ ରଜୋଗୁଣ ।

ସୁବର୍ଣ୍ଣ ମଧ୍ୟେ ରିପୁଗଣ ॥

ଏ ପଞ୍ଚ ସ୍ଥାନ ତାକୁ ଦେଲା ।

ଯହିଁ ଅଧର୍ମ ସଙ୍ଗ ମେଳା ॥୧,୧୭,୩୮,୩୯॥

ବୁଦ୍ଧଦେବଙ୍କ ୫ମ ଶୀଳର ଅର୍ଥ ହେଉଛି ବ୍ରହ୍ମଚର୍ଯ୍ୟ ଧାରଣ କରିବା । ଏହାର ଅର୍ଥ ନୁହେଁ ଯେ ସମସ୍ତେ ଅବିବାହିତ ରହିବା । ଏହାର ଅର୍ଥ ଏହି ଯେ, ସନ୍ନ୍ୟାସୀମାନେ ବ୍ରହ୍ମଚର୍ଯ୍ୟବ୍ରତ ଧାରଣ କରିବେ ଏବଂ ଗୃହସ୍ଥ ଏବଂ ଗୃହପତ୍ନୀ ପରସ୍ପର ଧର୍ମା ବିରୁଦ୍ଧ କାମ ସେବନ କରି ଅନ୍ୟପ୍ରତି କାମାସକ୍ତ ହେବେ ନାହିଁ । ଚାଣକ୍ୟଙ୍କ ଭାଷାରେ କହିବାକୁ ଗଲେ ଏହା ହେଉଛି ‘ପରଦାରାଷୁ ମାତୃବତ୍‌ ଦର୍ଶନମ୍‌ ।’’

ଅଗମ୍ୟା ଗମନରେ ଲୋକ ହୀନତେଜା, ନିନ୍ଦ୍ୟ ଓ ଅଳ୍ପାୟୁ ହୁଏ । ଏହା ଭାଗବତରେ ମଧ୍ୟ ସୂଚିତ ହୋଇଅଛି ।

 

ହେ ଭ୍ରାତ ଶୁଣ ମହାଭୁଜ ।

କିପାଇଁ ହେଲୁ ହୀନ ତେଜ ॥

ଅଗମ୍ୟା କଲୁ ବା ଗମନ ।

କିବା ହରିଲୁ ସ୍ତିରୀ ଧନ ? ୧,୧୪,୪୨॥

ପିତୃମାତୃସେବା ସମ୍ପର୍କରେ ଭାଗବତରେ ଅଛି–

ପୁତ୍ରର ଧର୍ମଟି ଏମନ୍ତ ।

ଯେ ବାକ୍ୟ ବୋଲେ ପିତାମାତ ॥

ଆଦରେ ସର୍ବଥା କରିବ ।

ତେଣେ ସନ୍ତୋଷ ସର୍ବଦେବ ॥୩,୨୪॥

ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ-ଏ ସମସ୍ତଙ୍କ ଧର୍ମଶାସ୍ତ୍ରରେ ଅଦ୍ୱିତୀୟ ପରମେଶ୍ୱରଙ୍କଠାରେ ଶରଣାଗତି ଉପଦିଷ୍ଟ ହୋଇଅଛି । ଇସଲାମର ଅର୍ଥ ଶରଣାଗତି । ବୌଦ୍ଧ ଧର୍ମରେ ମଧ୍ୟ ବୁଦ୍ଧ, ଧର୍ମ ଏବଂ ସଙ୍ଘଠାରେ ଶରଣାଗତିର ବିଧାନ ଅଛି । ଭାଗବତରେ ପରମେଶ୍ୱର ଅଦ୍ୱିତୀୟ ଓ ତାହାଙ୍କଠାରେ ଶରଣାଗତି ବହୁ ସ୍ଥଳରେ ଉପବିଷ୍ଟ–

ସୃଷ୍ଟିର ଅଗ୍ରେ ମୁହିଁ ଏକ ।

ମୋ ତହୁଁ ପ୍ରକାଶେ ଅନେକ ॥

ସତ ଅସତ ପର ମୁହିଁ ।

ଯେ ଅବଶେଷ ଶେଷ ରହି ॥

ଏଣୁ ଏ ଆଦ୍ୟ ମଧ୍ୟ ଅନ୍ତେ ॥

ମୋ ତହୁଁ ଅନ୍ୟ କେ ଜଗତେ ॥୨,୯,୩୨।।

ଅଖିଳ ବ୍ରହ୍ମାଣ୍ଡ ଠାକୁର ।

ଅନାଦି ଅବ୍ୟକ୍ତ ଈଶ୍ୱର ।।

ସେ ପ୍ରଭୁ ଚରଣେ ମୋ ମତି ।

ଅନବରତେ ହେଉସ୍ଥିତି ॥

(୫, ୨୫ର ଅନ୍ତିମ ପଦ)

ଭାଗବତର ଅନେକଗୁଡ଼ିଏ ସଂସ୍କରଣ ହୋଇ ଯାଇଅଛି, ଯଥା: ଗର୍ଗବଟୁ ସଂସ୍କରଣ, ପରୀକ୍ଷିତ ଦାଶଶର୍ମା ସଂସ୍କରଣ, ରାଜକିଶୋର ସଂସ୍କରଣ, ବଙ୍ଗଳା ଲିପିରେ ପ୍ରକାଶିତ ସଂସ୍କରଣ ଇତ୍ୟାଦି । ସ୍ଵର୍ଗତ ଚିନ୍ତାମଣି ଆଚାର୍ଯ୍ୟଙ୍କ ସଂସ୍କରଣ ରାଜକିଶୋର ସଂସ୍କରଣ ଉପରେ ପ୍ରତିଷ୍ଠିତ । ଏ ସମସ୍ତ ସଂସ୍କରଣ ମଧ୍ୟରେ ରାଜକିଶୋରଙ୍କ ସଂସ୍କରଣ ଅତ୍ୟନ୍ତ ଉପାଦେୟ । ଏଣୁ ଏହି ସଂସ୍କରଣରୁ କେତେକ ସୂକ୍ତି ଗୃହୀତ ହୋଇଅଛି । ଜଗନ୍ନାଥ ଦାସଙ୍କ ଭାଗବତର ପଦାବଳୀ ମୌଳିକ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ । ଶ୍ରୀଧରଙ୍କ ଟୀକାର ଭାବାର୍ଥ ଗ୍ରହଣ କରି ମୂଳଶ୍ଳୋକର ଭାବକୁ ପଲ୍ଲବିତ କରି ଜନସାଧାରଣଙ୍କର ହୃଦୟସ୍ପର୍ଶୀ କରିବାକୁ ସେ ଚେଷ୍ଟା କରିଛନ୍ତି । ବେଳେ ବେଳେ ସେ ଅନ୍ୟାନ୍ୟ ଧର୍ମଶାସ୍ତ୍ରରୁ ସାର ମଧ୍ୟ ପ୍ରସଙ୍ଗକ୍ରମେ ଉପସ୍ଥାପନ କରିଅଛନ୍ତି ବୋଲି ବୋଧହୁଏ । କେତେକ ପ୍ରସଙ୍ଗକୁ ଉତ୍କଳର ସାମାଜିକ ଅବସ୍ଥାର ଅନୁକୂଳ କରାଇବାକୁ ମଧ୍ୟ ସେ ପଶ୍ଚାତ୍‌ପଦ ହୋଇ ନାହାନ୍ତି ।

ଜଗନ୍ନାଥ ଆଜନ୍ମ ବ୍ରହ୍ମଚାରୀ ଥିଲେ, ତାଙ୍କୁ ଭକ୍ତିବାଦର ଅବତାର କହିଲେ ଚଳେ । ପରମ୍ପରା ଅନୁସାରେ ସେ ରାଧାଭାବର ଅବତାର ଥିଲେ । ତାଙ୍କର ପଦାବଳୀ ପରି ପବିତ୍ର ଓ ହୃଦୟସ୍ପର୍ଶ କବିତା ସମଗ୍ର ଓଡ଼ିଆ ସାହିତ୍ୟରେ ବିରଳ । ସେ ବାରମ୍ୱାର ପ୍ରକାଶ କରି ଯାଇଛନ୍ତି ଯେ ପରମେଶ୍ଵର ଯେଉଁ ଭାବ ତାଙ୍କ ହୃଦୟରେ ପ୍ରକାଶ କଲେ, ସେ ତାକୁ ହିଁ ଅନ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି । ତାଙ୍କ ଭାଗବତ ‘ଭାଗବତ ଗୋସାଇଁ’ ରୂପରେ ଓଡ଼ିଶାର ଗ୍ରାମେ ଗ୍ରାମେ ପୂଜିତ ହୋଇ ଆସୁଅଛନ୍ତି । ତେଣୁ ଶ୍ରୁତିବାକ୍ୟ ପରି ଭାଗବତର ପ୍ରତ୍ୟେକ ପଦ ପବିତ୍ର ଓ ଅପରିବର୍ତ୍ତନୀୟ । ଏଣୁ ଏଗୁଡ଼ିକୁ ମହାତ୍ମା ଜଗନ୍ନାଥଙ୍କ ହୃଦୟରେ ଈଶ୍ଵରଙ୍କ ପ୍ରତ୍ୟାଦେଶ ବୋଲି ଗ୍ରହଣ କରୁଅଛୁ । ଭାଗବତ ଗ୍ରନ୍ଥରେ ପ୍ରଦତ୍ତ ଐତିହାସିକ ପ୍ରସଙ୍ଗ, ଜ୍ୟୋତିଶ୍ଚକ୍ର ବିବରଣୀ ପ୍ରଭୃତିରେ ବିଜ୍ଞାନର ଅଗ୍ରଗତିରେ ସନ୍ଦେହର ଅବକାଶ ସୃଷ୍ଟି ହୋଇପାରେ କିନ୍ତୁ ଆଧ୍ୟାତ୍ମିକ ତତ୍ତ୍ଵାବଳୀଗୁଡ଼ିକ ଯେ ଚିରନ୍ତନ ସତ୍ୟ ଏଥିରେ ଦ୍ୱିମତ ନାହିଁ । ଭାଗବତରେ ଗୂଢ଼ତତ୍ତ୍ୱରାଶି ବା ଗୋପଲୀଳାତତ୍ତ୍ୱ ସମ୍ପର୍କରେ ଆଲୋଚନା କରିବା ସ୍ଥଳ ଏ ନୁହଁ । ଏ ସମ୍ପର୍କରେ ଡ.ଏସ୍‌.ବି. ଭଟ୍ଟଚାର୍ଯ୍ୟଙ୍କର ଲଣ୍ଡନ ବିଶ୍ଵବିଦ୍ୟାଳୟର ଡି:ଲିଟ୍‌ : ଥିସିସ୍‌ ରୂପେ ଗୃହୀତ ଗ୍ରନ୍ଥ The Philosophy of Srimad Bhagbata (Vol.I & II) ଦ୍ରଷ୍ଟବ୍ୟ ।

ଆଜକୁ ପ୍ରାୟ ୩୦ ବର୍ଷ ହେଲା ଭାଗବତ ପାଠ ସମୟରେ ଯେଉଁ ସୂକ୍ତିଗୁଡ଼ିକ ମୋର ହୃଦୟକୁ ସ୍ପର୍ଶ କରିଛି ସେଥିରୁ କେତେକ ଏଠାରେ ପ୍ରଦତ୍ତ ହୋଇଅଛି ମାତ୍ର । ଅନ୍ୟ ଦୃଷ୍ଟିରୁ ପ୍ରୟୋଜନୀୟ ବିବେଚିତ କେତେକ ପଦ ମଧ୍ୟ ମଧ୍ୟେ ମଧ୍ୟେ ସନ୍ନିବେଶିତ ହୋଇଅଛି । ଏଗୁଡ଼ିକକୁ ସଜାଇ ମୁଦ୍ରଣ ଉପଯୋଗୀ କରିବାରେ ମୋର ସହକର୍ମୀ ଅଧ୍ୟାପକ ଶ୍ରୀ ସୁଦର୍ଶନ ଆଚାର୍ଯ୍ୟ ମୋତେ ହାର୍ଦ୍ଦିକ ସାହାଯ୍ୟ କରିଅଛନ୍ତି । ଏଥି ସକାଶେ ମୁଁ କୃତଜ୍ଞତା ପ୍ରକାଶ କରୁଅଛି । ସେ ସାହାଯ୍ୟ ନ କରିଥିଲେ ଏଗୁଡ଼ିକ ପ୍ରକାଶିତ ହୋଇପାରିନଥାନ୍ତା । ସଙ୍କଳନଗତ ତ୍ରୁଟି ସକାଶେ କ୍ଷମାପ୍ରାର୍ଥନା କରେ ।

ଜଗନ୍ନାଥ ଦାସଙ୍କ ଜୀବନୀ ଓ ରଚନୀ ସମ୍ପର୍କରେ ଏହି ଲେଖକଙ୍କର ସମ୍ବଲପୁର ୟୁନିଭରସିଟି ଜର୍ନଲର ପ୍ରଥମ ଭାଗ ପ୍ରଥମ ସଂଖ୍ୟା (୧୯୬୭-୬୮)ରେ ପ୍ରକାଶିତ ପ୍ରବନ୍ଧ ଏବଂ ଜଗନ୍ନାଥ ଦାସଙ୍କ ଭାଷା ସମ୍ବନ୍ଧରେ ଝଙ୍କାର ୧୯୬୭-୬୮ରେ ପ୍ରକାଶିତ ପ୍ରବନ୍ଧ ଅନୁସନ୍ଧେୟ । ଇତି ।

ସ୍ନାତକୋତ୍ତର ଓଡ଼ିଆ ବିଭାଗ

ବିନୀତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ

କୁଞ୍ଜବିହାରୀ ତ୍ରିପାଠୀ

ବ୍ରହ୍ମପୁର

ତା୮-୭-୭୧

 

ଅନୁଷ୍ଠାନର ଉପନୟନ

 

ଆଜିର ଏହି ସାୟଂତନ ଉତ୍ସବକୁ ମୁଁ ‘ଓଡ଼ିଆ ଗବେଷଣା ପରିଷଦ’ ରୂପକ ଶିଶୁ ଅନୁଷ୍ଠାନର ଉପନୟନ ଉତ୍ସବ ବୋଲି ମନେ କରେ । ଏହି ଉତ୍ସବରେ ପୌରୋହିତ୍ୟ କରୁଛନ୍ତି ଓଡ଼ିଶାର ମାନ୍ୟବର ଶିକ୍ଷାମନ୍ତ୍ରୀ ଓ କୃଷି ବିଭାଗର ମନ୍ତ୍ରୀ । ଏହି ଉତ୍ସବର ମୁଖ୍ୟବକ୍ତା ହେବା ପାଇଁ ମୋତେ ଅନୁରୋଧ କରାଯାଇଛି । ଏହି ଅନୁଷ୍ଠାନଟି ଜନ୍ମଲାଭ କରିଛି ୧୯୮୦ରେ ବହୁ ସୁଧୀ ଅଧ୍ୟାପକଙ୍କ ସମବେତ ଚେଷ୍ଟାରେ । ଉପନୟନ ଉତ୍ସବ ସମୟରେ ଶିଶୁଟିର ଜନ୍ମକାଳରୁ ଉପନୟନ ପର୍ଯ୍ୟନ୍ତ କେତେକ ବିଧାନ ପୂର୍ବରେ କରା ନ ହୋଇ ସେହି ସମୟରେ କରାଯାଇଥାଏ । ସେହି ପରମ୍ପରାର ଅନୁକ୍ରମରେ ଆଜି ଏହି ଶିଶୁ ଅନୁଷ୍ଠାନଟିର ବାର୍ଷିକ ଉତ୍ସବ ।

 

ଅନୁଷ୍ଠାନଟିର ନାମ ‘ଓଡ଼ିଆ ଗବେଷଣା ପରିଷଦ’ ହେଲେ ହେଁ ଏହାର ମୁଖପତ୍ରର ନାମ ‘ଏଷଣା’ । ‘ଏଷଣା’ର ପଞ୍ଚମ ଖଣ୍ଡ ପ୍ରକାଶିତ ହୋଇ ସାରିଲାଣି । ଏହି ପଞ୍ଚମ ଖଣ୍ଡରେ ବହୁ ଉପାଦେୟ ଗବେଷଣାମୂଳକ ଆଲୋଚନା ପ୍ରକାଶିତ ହୋଇ ଆମ ଜ୍ଞାନର ପରିସର ବୃଦ୍ଧି କରିଛି ଓ ଗବେଷଣାର ଚକ୍ରବାଳକୁ ଉଜ୍ଜ୍ଵଳ କରିଅଛି । ତେଣୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମୁଁ ଆନ୍ତରିକ ସାଧୁବାଦ ପ୍ରଦାନ କରୁଅଛି ।

 

‘ଏଷଣା’ର ଅର୍ଥ ଅପ୍ରାପ୍ତ ବସ୍ତୁକୁ ଇଚ୍ଛା କରିବା । ଲାକ୍ଷଣିକ ଅର୍ଥ ଅନ୍ୱେ‌ଷଣ କରିବା । ‘ଗବେଷଣା’ର ସାଧାରଣ ଅର୍ଥ ତନ୍ନ ତନ୍ନ କରି ଅନ୍ୱେ‌ଷଣ କରିବା । ‘ଗବେଷଣା’-ଏହି ଶବ୍ଦଟି ବୈଦିକ ଯୁଗର ଶବ୍ଦ । ଏହାର ଅର୍ଥ ହଜିଯାଇଥିବା ଗୋଧନର ଅନୁସଂଧାନ କରିବା । ବୈଦିକ ଯୁଗରେ ଗୋପାଳନ ଆର୍ଯ୍ୟମାନଙ୍କର ପ୍ରଧାନ ବୃତ୍ତିଥିଲା ଓ ଆର୍ଯ୍ୟମାନେ ବହୁତ ଗୋଧନର ଅଧିକାରୀ ଥିଲେ । ଅଦ୍ୟାପି ପ୍ରଚଳିତ କେବଳ ଆମ ଭାଷାରେ ନୁହେଁ, ଇଣ୍ତୋୟୁରୋପୀୟ ଅନ୍ୟ ଭାଷାରେ ମଧ୍ୟ କେତେକ ଶବ୍ଦ ପ୍ରାଚୀନ ଆର୍ଯ୍ୟ ସମାଜର ଗୋପାଳନ ସହିତ ସଂପୃକ୍ତ । ଇଂରାଜୀର ‘Fees’ ଶବ୍ଦ ଓ ଲାଟିନ୍‌ର ‘‘Pecus, ସଂସ୍କୃତର ‘ପଶୁ’ ଶବ୍ଦ ସହିତ ସମ୍ବନ୍ଧାନ୍ୱିତ । ବୈଦିକ ସମାଜରେ ପଶୁ ବିନିମୟର ମାଧ୍ୟମ ଥିଲା । ସଂସ୍କୃତରେ ଦ୍ଵିଗୁ, ପଞ୍ଚଗୁ, ଦଶଗୁ ଶବ୍ଦର ଅର୍ଥ–ଯାହା ଦୁଇଟି ଗୋରୁ ବିନିମୟରେ, ୫ଟି ଗୋରୁ ବିନିମୟରେ, ୧୦ଟି ଗୋରୁ ବିନିମୟରେ କିଣା ଯାଇଥାଏ । ଗୋ ଦୁଗ୍‌ଧ ଓ ଘୃତ ଇତ୍ୟାଦି ଆର୍ଯ୍ୟମାନଙ୍କର ଏବଂ ସେମାନଙ୍କ ଦେବତାମାନଙ୍କର ପ୍ରିୟ ପାନୀୟ ରୂପେ ବ୍ୟବହୃତ ଓ ଉତ୍ସର୍ଗୀକୃତ ହେଉଥିଲା । ପ୍ରତ୍ୟେକ ଗୃହରେ ଝିଅମାନେ ଗୋଦୋହନ କରୁଥିବାରୁ ସେମାନଙ୍କୁ ‘ଦୁହିତା’ ଓ ‘ଦୋଗ୍‌ଧ୍ରୀ’ କୁହାଯାଉଥିଲା । ‘ଦୋଗ୍‌ଧ୍ରୀ’ ଶବ୍ଦ ଦୋଗ୍‌ଧାର ସ୍ତ୍ରୀଲିଙ୍ଗ ରୂପେ ବ୍ୟବହୃତ । ଇଂରାଜୀରେ ଏହି ଶବ୍ଦ 'daughter' (ଦ୍ରୌପତର) ବୋଲି ଉଚ୍ଚାରିତ ହେଉଥିଲା । ବର୍ତ୍ତମାନ ତାହା 'daughter' (ଡଟର) ବୋଲି ଉଚ୍ଚାରିତ ହେଉଅଛି । ହଜିଥିବା ଗୋଧନକୁ ଖୋଜି ଖୋଜି ନପାଇବା ପର୍ଯ୍ୟନ୍ତ ଗୃହସ୍ଥ ମନରେ ଶାନ୍ତି ନଥାଏ । ସେହିପରି ଆଧୁନିକ ଗବେଷକ ତାହାର ଅଭିଳଷ୍ୟ ତଥ୍ୟରେ ନ ପହଞ୍ଚିବା ପର୍ଯ୍ୟନ୍ତ ତାହାକୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ ।

 

ପୃଥିବୀର ଆଧୁନିକ ବହୁ ସଭ୍ୟଦେଶରେ ପ୍ରତିଷ୍ଠିତ ଗବେଷଣା ପରିଷଦମାନ ରହିଅଛି-। ଏଥିରୁ କେତେକ ବିଜ୍ଞାନ ସମ୍ପର୍କରେ ଓ ଅନ୍ୟ କେତେକ କଳା ସମ୍ପର୍କରେ । ବିଲାତରେ ୧୮୨୩ ଖ୍ରୀ.ଅ.ରେ 'Royal Asiatic Society of Great Britain and Ireland' ସ୍ଥାପିତ ହୋଇଥିଲା । ଏଥିରେ ପ୍ରାଚ୍ୟ ଭୂଭାଗ ବିଶେଷତଃ ଭାରତବର୍ଷର ବହୁ ସାହିତ୍ୟିକ ଓ ଭାଷାତତ୍ତ୍ୱଗତ ତଥ୍ୟ ଅଦ୍ୟାବଧି ପ୍ରକାଶିତ ହୋଇ ଆସୁଅଛି । ଏହାର ତୈମାସିକ ମୁଖପତ୍ରରେ Religions of Kandha's in Orissa (1852), The Oriya and Khadha Population of Orissa (1858), Dhauli inscription (1858)' Dhauli and Jaugarh inscription (1880), Jagannath and the Rathayatra Hatigumpha inscription (1910), Kharabela (1919) ଇତ୍ୟାଦି ଓଡ଼ିଶା ସମ୍ପର୍କିତ ବିଷୟବସ୍ତୁ ପ୍ରକାଶିତ ହୋଇଅଛି । ଓଡ଼ିଶାର ମାର୍କଣ୍ଡେୟଙ୍କ ମତରେ ଅପଭ୍ରଶଂ (୧୯୧୩), ଓଡ଼ିଆର ‘ଶ୍ରାହୀ’ ଶବ୍ଦ (୧୯୧୭)ର ଜର୍ଣ୍ଣାଲରେ ପ୍ରକାଶିତ ।

 

ମୁଁ ବିଲାତରେ ଥିବାବେଳେ ଏହାର ସଭ୍ୟ ହେବାର ସୁଯୋଗ ପାଇଥିଲି ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଥିବା ପର୍ଯ୍ୟନ୍ତ ଏହାର ସଭ୍ୟ ଥିଲି । ସେହି ଆଲୋଚନା ପରିଷଦରେ ଯୋଗଦାନ କରିଛି । ସେଥିରେ ମୁଷ୍ଟିମେୟ ଗବେଷକ କେବଳ ଯୋଗ ଦିଅନ୍ତି । ଆମ ଦେଶରେ ଶ୍ରୋତା ଅଧିକ ହେଲେ ସଭା ସଫଳ ହେଲା ବୋଲି ଧରାଯାଇଥାଏ । କିନ୍ତୁ ଉକ୍ତ ଗବେଷଣା ଅନୁଷ୍ଠାନରେ ଶ୍ରୋତାଙ୍କର ବହୁଳ ଉପସ୍ଥିତ ଉପରେ ସଭାର ଗୁରୁତ୍ୱ ନିର୍ଭର କରେନାହିଁ ।

 

ଲଣ୍ଡନରେ ଥିଲାବେଳେ ଭାଷାତତ୍ତ୍ୱ ଗବେଷଣା ପରିଷଦର ମଧ୍ୟ ମୁଁ ସଭ୍ୟ ଶ୍ରେଣୀଭୁକ୍ତ ହୋଇ ଗତ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ସଭ୍ୟ ଥିଲି । ଏହି ସମିତିଟି ୧୮୩୦ରେ ସ୍ଥାପିତ ହୋଇଥିଲା । ଏହା ୧୫୩ ବର୍ଷ ହେଲା କାର୍ଯ୍ୟ କରି ଆସୁଅଛି । ଏହାର ମୁଖପତ୍ର 'TRANS ACTION OF THE PHILOLOGICAL SOCIETY' ନିୟମିତ ପ୍ରକାଶିତ ହୋଇ ଆସୁଅଛି । ଏହି ସମିତି ପକ୍ଷରୁ ୧୯୨୮ରେ ପ୍ରକାଶିତ ହୋଇଥିବା New English Dictionary on Historical Principles ବହୁ ବର୍ଷ ବ୍ୟାପୀ ବହୁ ପଣ୍ଡିତଙ୍କ ଅଧ୍ୟବସାୟର ଫଳ ।

 

ବିଲାତରେ ‘ଲଣ୍ଡନ ଟାଇମସ୍‌’ ଦୈନିକ ପତ୍ରିକାର ‘ଲିଟେରାରୀ ସପ୍ଲିମେଣ୍ଟ’ ରେ ଇଂରାଜୀ ସାହିତ୍ୟର ଉଚ୍ଚମାନର ସମାଲୋଚନା ପ୍ରକାଶିତ ହୋଇଥାଏ । ବିଲାତର ଦୈନିକ ପତ୍ରିକା ସମୂହରେ ‘ଲଣ୍ଡନ ଟାଇମସ୍‌’ ସର୍ବୋତ୍କୃଷ୍ଟ ବୋଲି ବିବେଚିତ । ଲଣ୍ଡନ ବିଶ୍ଵବିଦ୍ୟାଳୟ ଅଙ୍ଗୀଭୂତ School of Oriental and African Studiesର ବାର୍ଷିକ ଗବେଷଣା ମୂଳକ ପତ୍ରିକା ପ୍ରକାଶିତ ହୋଇ ଆସୁଅଛି । S.O.A.S ର ଏହି ବାର୍ଷିକ ଗବେଷଣା ପତ୍ରିକାର ନାମ ହେଉଛି Bulletin of the School of Oriental and African Studies ଏହି ପତ୍ରିକାରେ ବୈଦିକ ଧ୍ଵନି ‘କ୍ଷ’ର ବିଭିନ୍ନ ଭାରତୀୟ ଆର୍ଯ୍ୟ ଭାଷାରେ ବିବର୍ତ୍ତନ ଓ ଓଡ଼ିଆ ‘ଅଛି’, ବଙ୍ଗଳା ‘ଆଛେ’ କ୍ରିୟା ସମ୍ପର୍କରେ ଆଲୋଚନା କରି ପ୍ରଫେସର ଟର୍ନରଙ୍କ ଦେଢ଼ଶହ ପୃଷ୍ଠାର ପ୍ରବନ୍ଧ ପ୍ରକାଶ ପାଇଅଛି ।

 

ଫ୍ରାନ୍‌ସରେ Journal Asiatique ହେଉଛି ଏସୀୟା ସମ୍ୱନ୍ଧୀୟ ପ୍ରସିଦ୍ଧ ଗବେଷଣା ପତ୍ରିକା ।

 

ସେହିପରି ଜର୍ମାନୀ, ଇଟାଲୀ ପ୍ରଭୃତି ସଭ୍ୟ ଦେଶମାନଙ୍କରେ ପ୍ରାଚ୍ୟ ବିଦ୍ୟା ସମ୍ବନ୍ଧୀୟ ZDMG ପ୍ରଭୃତି ଗବେଷଣା ପତ୍ରିକା ପ୍ରକାଶିତ ହେଉଅଛି ।

 

ଆମେରିକାର Oriental Society ପକ୍ଷରୁ ପ୍ରକାଶିତ Journal of American Oriental Society ରେ ଭାରତର ଭାଷା ସାହିତ୍ୟ ସମ୍ବନ୍ଧରେ ବହୁ ଉପାଦେୟ ପ୍ରବନ୍ଧ ପ୍ରକାଶିତ ହୋଇଥାଏ ।

 

ଖ୍ରୀ:ଅ: ୧୭୮୮ରେ କଲିକତାଠାରେ Asiatic Researches ପ୍ରତିଷ୍ଠିତ ହୋଇ Journal of Asiatic Society ରେ ରୂପାନ୍ତରିତ ହୋଇ ଅଦ୍ୟାବଧି ପ୍ରକାଶିତ ହେଉଅଛି । ଏହାର ପରମାୟୁ ଦୁଇ’ଶ ବର୍ଷ ପୂରଣ ହେବାକୁ ଯାଉଛି । ଏଥିରେ ଓଡ଼ିଶାର ବହୁ ସାହିତ୍ୟ ଇତିହାସ ସମ୍ବନ୍ଧୀୟ ପ୍ରବନ୍ଧ ପ୍ରକାଶିତ ହୋଇଛି । ପ୍ରାୟ ୨୫ ବର୍ଷ ଧରି ମୁଁ ଏହାର ଗ୍ରାହକ ହୋଇଛି-

 

ଭାରତରେ ଖ୍ରୀ:ଅ: ୧୯୧୯ରେ ନିଖିଳ ଭାରତ ପ୍ରାଚ୍ୟ ସମ୍ମିଳନୀ All India Oriental Conference ସ୍ଥାପିତ ହୋଇ ପ୍ରତି ଦୁଇ ବର୍ଷରେ ଏହାର ଅଧିବେଶନ ହେବା ଫଳରେ ଭାରତୀୟ କୃଷି ସମ୍ବନ୍ଧରେ ବହୁପ୍ରବନ୍ଧ ପ୍ରକାଶିତ ହୋଇଅଛି ।

 

ଓଡ଼ିଶାରେ ସାହିତ୍ୟ ଓ ଭାଷା ସମ୍ବନ୍ଧୀୟ ଗବେଷଣା କାର୍ଯ୍ୟରେ ପ୍ରଥମ ସୂତ୍ରପାତ ହୋଇଛି ‘ଉତ୍କଳ ସାହିତ୍ୟ ସମାଜ’ ମାଧ୍ୟମରେ । ଏହା ପୂର୍ବରୁ ବାଲେଶ୍ଵରରୁ ପ୍ରକାଶିତ ‘ବାଲେଶ୍ଵର ସମ୍ବାଦ ବାହିକା’ ଓ ବାମଣ୍ଡାରୁ ପ୍ରକାଶିତ ‘ସମ୍ବଲପୁର ହିତୈଷିଣୀ’–ଏହି ଦୁଇ ପତ୍ରିକା ମଧ୍ୟରେ ଶେଷୋକ୍ତ ପତ୍ରିକାରେ ସାହିତ୍ୟିକ ଆଭିମୁଖ୍ୟ ବେଶି ପରିମାଣରେ ଦେଖାଯାଏ । ସ୍ଵର୍ଗତ ବିଶ୍ଵନାଥ କରଙ୍କ ଦ୍ୱାରା ସଂପାଦିତ ’ଉତ୍କଳ ସାହିତ୍ୟ’ ଉତ୍କଳ ସାହିତ୍ୟ ସମାଜର ମୁଖପତ୍ର ରୂପେ ଧରାଯାଇପାରେ । ଏହା ୧୮୯୭ ଖ୍ରୀ.ଅ. ଠାରୁ ପ୍ରତିଷ୍ଠିତ ହୋଇ ୧୯୪୦ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ଓ ଭାଷା ସମ୍ବନ୍ଧରେ ଉଲ୍ଲେଖଯୋଗ୍ୟ ଆଲୋକ ପ୍ରଦାନ କରିଅଛି । ଏହା ପୂର୍ବରୁ ‘ଉତ୍କଳ ଦୀପିକା’ ଗୌରୀଶଙ୍କରଙ୍କ ସଂପାଦକତ୍ୱରେ ୧୮୬୬ ଖ୍ରୀ:ଅ:ରେ ଆରମ୍ଭ ହୋଇ ପାୟ ୪୦ ବର୍ଷ କାଳ ପ୍ରକାଶିତ ହୋଇଥିଲା । ଏଥିରେ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ବନ୍ଧରେ ଆଭାସ ମାତ୍ର ଦେଖବାକୁ ମିଳିଥାଏ । ସ୍ଵର୍ଗତ ବ୍ରଜସୁନ୍ଦର ଦାସଙ୍କ ସଂପାଦିତ ମାସିକ ପତ୍ରିକା ‘ମୁକୁର’ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଅଛି । ପଣ୍ଡିତ ନୀଳକଣ୍ଠ ଦାସଙ୍କ ଦ୍ଵାରା ସଂପାଦିତ ‘ନବଭାରତ’ ଓ ବ୍ରଜେନ୍ଦ୍ର ନାରାୟଣ ସିଂହଦେଓ ପ୍ରଭୃତିଙ୍କ ଦ୍ଵାରା ସଂପାଦିତ ‘ଚତୁରଙ୍ଗ’, ଡକ୍ଟର ମାନସିଂହଙ୍କ ଦ୍ଵାରା ସଂପାଦିତ ‘ଶଙ୍ଖ’ ସମସାମୟିକ ସାହିତ୍ୟର ସ୍ଵାକ୍ଷର ବହନ କଲେ ମଧ୍ୟ ଅଳ୍ପକାଳ ସ୍ଥାୟୀ ।

 

ବର୍ତ୍ତମାନ ପ୍ରକାଶିତ ହେଉଥିବା ‘ଝଙ୍କାର’, ‘ଡଗର’ ଓ ‘ସହକାର’ ମଧ୍ୟରେ ମଧ୍ୟେ ମଧ୍ୟେ କେତେକ ପ୍ରବନ୍ଧ ଗବେଷଣାର ସ୍ଵାକ୍ଷର ବହନ କରିଥାଏ । କେବଳ ଗବେଷଣାତ୍ମକ ପତ୍ରିକା ଭାବରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ର ମୁଖପତ୍ର ‘କୋଣାର୍କ’ର ଆଭିମୁଖ୍ୟ ପ୍ରଶଂସନୀୟ । ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପ୍ରକାଶିତ ହେଉଥିବା 'Orissa Historical Research Journal' କେତେକ ଗବେଷଣାମୂଳକ ପ୍ରବନ୍ଧର ଆଧାର ହୋଇଥିଲେ ମଧ୍ୟ ତାହା ଆଶାନୁରୂପ ଉନ୍ନତି କରିପାରୁନାହିଁ ।

 

ଉଲ୍ଲିଖିତ ପରିସ୍ଥିତି ଦୃଷ୍ଟିରେ ‘ଓଡ଼ିଆ ଗବେଷଣା ପରିଷଦ’ର ଷାଣ୍ମାସିକ ମୁଖପତ୍ର ‘ଏଷଣା’ ଓଡ଼ିଆ ସାହିତ୍ୟ ଓ ଭାଷା କ୍ଷେତ୍ରରେ ଅଳ୍ପକାଳ ମଧ୍ୟରେ ପ୍ରଶଂସନୀୟ କୃତିତ୍ୱ ଅର୍ଜନ କରିଅଛି । ଏଥିରେ କବିତା, ଗଳ୍ପ ପ୍ରଭୃତିକୁ ସ୍ଥାନ ନଦେଇ କେବଳ ଗବେଷଣାମୂଳକ ପ୍ରବନ୍ଧ ଓ ପ୍ରାଚୀନ ପାଣ୍ଡୁଲିପି ପ୍ରକାଶନ କରାଯାଇଥାଏ । ଏଥିରେ ଯେଉଁ ପୁସ୍ତକସମୀକ୍ଷା ପ୍ରଦାନ କରାଯାଇଥାଏ, ତାହା ବ୍ୟକ୍ତିତ୍ୱ-ନିରପେକ୍ଷ ଓ ବିଷୟଭିତ୍ତିକ ହୋଇଥାଏ । ଅଧୁନାତନ କେତେକ ସାହିତ୍ୟିକ ପତ୍ରିକାରେ ବେଳେ ବେଳେ ଏପରି ସମାଲୋଚନା କରାଯାଏ ଯେ, ତାହା ଗ୍ରନ୍ଥକାରକୁ ଉତ୍ସାହିତ ନକରି ବରଂ ଅନେକ ପରିମାଣରେ ହତୋତ୍ସାହ କରିଥାଏ । କିନ୍ତୁ ‘ଏଷଣା’ ଏତାଦୃଶ ସମାଲୋଚନାଠାରୁ ନିବୃତ୍ତ ଥିଲା ପରି ମନେହୁଏ ।

 

ଉଚ୍ଚକୋଟୀର ପୁସ୍ତକାଳୟ (Library) ଅଭାବରେ ଗବେଷଣାର ଅଗ୍ରଗତି ବ୍ୟାହତ ହୁଏ । ଓଡ଼ିଶାରେ ଏକମାତ୍ର ଶୃଙ୍ଖଳିତ ପୁସ୍ତକାଳୟ ହେଉଛି ରାଜ୍ୟ ସଂଗ୍ରହାଳୟର (museum) ପୁସ୍ତକାଳୟ । କିନ୍ତୁ ପ୍ରତ୍ୟେକ ବର୍ଷ ଏଥିପାଇଁ ଉତ୍କୃଷ୍ଟ ବହି ପର୍ଯ୍ୟାପ୍ତ ପରିମାଣରେ କିଣାଯିବାର ଦେଖାଯାଉନାହିଁ । ତେଣୁ ଆମର ଏହି ପରିଷଦ କ୍ଷୁଦ୍ର ହେଲେ ହେଁ ପ୍ରଥମରୁ ଏକ ପୁସ୍ତକାଳୟର ବ୍ୟବସ୍ଥାକୁ ଆଖି ଆଗରେ ରଖିବା ଦରକାର । ଏହା ସଙ୍ଗେ ସଙ୍ଗେ ଅନୁଷ୍ଠାନର ଗୋଟିଏ ସ୍ଵତନ୍ତ୍ର ଆଶ୍ରୟ ସ୍ଥାନ ରହିବା ଉଚିତ୍‌ । ଏ ଦିଗରେ ସରକାରଙ୍କର ଶୁଭଦୃଷ୍ଟି ସ୍ୱାଗତଯୋଗ୍ୟ ହେବ । ପ୍ରତ୍ୟେକ ଗବେଷଣା ଅନୁଷ୍ଠାନ ଓ ସଂଘରେ ବ୍ୟକ୍ତିତ୍ୱ ଜାହିର କରିବାର ଇଚ୍ଛା ଯେପରି ପ୍ରକାଶିତ ନହୁଏ, ତାହା ଏଠାରେ ମନେ ରଖିବାକୁ ହେବ । ବୁଦ୍ଧଦେବଙ୍କ ଭାଷାରେ-

 

‘ସୁଖା ସଂଘସ୍ୟ ସାମଗ୍ରୀ

ସମଗ୍ରଣାଂ ତପଃ ସୁଖମ୍‌ ।’

 

ଅର୍ଥାତ୍‌ ସଂଘର ଏକତା ସୁଖାବହ ଏବଂ ଏକତାଯୁକ୍ତ ସଂଘର ତପସ୍ୟା ଅଧିକ ସୁଖକର-। ଶେଷରେ ଓଡ଼ିଆ ଗବେଷଣା ପରିଷଦ’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ବିଦାୟ ନେଉଛି । ଇତି (ତା୨୮।୧୨।୧୯୮୨ରେ କଟକ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ପରିଷଦର ୨ୟ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ରୂପେ ପ୍ରଦତ୍ତ ଲିଖିତ ଅଭିଭାଷଣ ।)

Image

 

From the Journal of the Asiatic Society.
Vol. VIll No. 4, 1966.

 

BANPUR COPPERPLATE INSCRIPTION OF SOMAVAMSIINDRARATHA

By Kunjabehari Tripathy

(Received June 9, 1967)

 

The inscription is recorded in three copperplates, the length and breadth of each plate being 10 8/.0" and 77/10" respectively. The first side of the first plate and the second side of the third are not inscribed. So the second side of the first plate, both the Sides of the second plate and the first side of the third plate bear the inscription under discussion. The second side of the first plate and the first side of the second plate each contains 18 lines. The second side of the second plate and the first side of the third plate contain 19 and 16 lines respectively. So altogether the inscription consists of 71 lines. Each letter has approximately a length of 3/10" and a breadth of 2/10".

 

The three plates are held together by a ring which passes through holes made at the left side of the plates at the centre. The ends of the ring are welded by a mass of copper which bears on it a seal with what appears to be a 'Gaja-Laksmi' figure.

 

The charter was unearthed while digging for the foundation of the Banpur College premises in the district of Puri. The place of discovery is about five miles from the Chilka Lake in Orissa on the east coast of India. When my attention was drawn to the discovery of the charter by Sri Syama Sundar Misra, Principal of the college. I inspected the site on 15.9.1963 and found that the charter was partly illegible because of rust. From 22.9.1963 up to 12.6.1966, the charter remained in the custody of the the late Godavaris Mahapatra, a member of the Governing Body of the Banpur College, and his son-in law, Sri Kishore Chandra Misra. The Latter made over the plates to me on 12.9.1966. The Charter was cleaned in the Chemistry Laboratory of the Ravenshaw College by Sri Rabindra Nath Nanda, M. Sc. with the approval of Dr. M.C. Rout, the head of the said department. Kumari Ketaki Nayak of the Sailabala Women's College, Cuttack devoted some time with me in deciphering the charter and Sri Rajendra Prasad Mohanti, lecturer, Ravenshaw College, Cuttack, helped me in preparing the copies suitable for the press. । am indebted to Kumari Nayak and all the above-mentioned gentlemen for their co-operation.

 

The Language of the inscription is Sanskrit, though a few typical Oriya words are embedded in the protion. The script of the record is what is ordinarily called Kutila but which may be called proto-Oriya (or proto-Bengali after Buhler), the letters having horizontal stop strokes. The script may also be called Gaudi after Dr. D.C. Sircar. The charter is dated in the sixth regnal year of Maharajadhiraja Indradeva and belongs to the first half of the eleventh century A.D.

 

The charter begins with a verse invoking Lord Siva. This is followed by four other stanzas describing the city of Yajati-nagara which is ordinarily identified with modern Jajpur on the river Vaitarani in the district of Cuttack. The next five verses describe the ancestry of Indraratha, the donor of the grant under discussion. The dynasty is traced to the moon and is stated to have produced in due course King Bhima who had a queen named Durga. The next four verses recount the birth of Indraratha as the son of Bhima with his two younger brothers, viz. Bankaratha (Vakraratha) and Sankararatha. Indraratha is said to have got the royal fortune of Kalinga, because he was favourite of Dharmaratha. We know from other records of the dynasty that Dharmaratha was also the gon of Bhimaratha. It is obvious, therefore, that the mother of Dharmaratha was the eldest queen of Bhimaratha and that Dharmaratha and Indraratha were brothers though born of differant queens. It is also said that he defeated in battle by an Udra king and got possession of his kingdom by strength of his arms. In the next sloka, there is reference to a king called Vatsaraja and to another named Abhimanyu. In the following verse. We are told that Abhimanyu was destroyed by him along with his high officers in the battlefield and was thus deprived of his illegal possessions. It appears that this Abhimanyu was the father of Candihara Yajati who succeeded Indraratha as is know from other records. Though Indraratha was a powerful king and bore the title of Maharajadhiraja and patronized art and architecture, yet, while offering valiant resistance to Rajendra-cola, the famous Cola monarch of South India, he is said to have been defeated and killed. Rajendra-cola refers to his victory over Indraratha in his inscriptions. The battle between Indraratha and Rajendra-cola took place between about A.D. 1023 and A.D.1030. We know that Rajendra-cola reigned from AD.1012 to AD. 1044.

 

The defeat of the Somavamsi monarch Indraratha by Rajendra-cola had no permanent effect on the history of Orissa because, after the reign of Indraratha, Orissa was ruled by Yajati mentioned adove as we know from his copperplates. So far we had no inscription of Indraratha . The present charter thus offers valuable help in régard to the identity of Indraratha and his place among the Somavamsi kings of Orissa.

 

The charter registers the gift of a village called Lapukumbha to the Brahmanas. The village was situated in the subdivision of Khallakhands in the district of Thorana which belonged of Kongoda-mandala. The word Lapu may perhaps be derived from alavu (gourd). Literally, the name refers to a village where gourds are used as pitchers. The expression Khallakhanda indicates an area which is rather shallow or marshy. In modern Oriya, the word khalla appears as khala. The lake Chilka and its surrounding region is definitely a shallow and marshy region. The district of Thorana is also mentioned in the Khurda copperplate grant of Madhava, which belong to a date not later than the seventh century A.D. That registers the gift of the village Kumbharache In the district of Thorana. I have not been able to identify the village as yet. The writer of the charter was Amrta Candra and it was engraved by a smith called Heruka. Sri Kedaranatha Mahapatra of the State Museum, Bhubaneswar, draws my attention to a Village called Sorana which might be a corruption of Thorana.

 

The prose portion of the charter enumerates a number of interesting taxes from which the gift land is made immune, the names of some of the officers, such as Samahartr, Sannidhatr, etc., occur in the Arthasastra. Some of the taxes enumerated, such as andharua, pratyandharua, chittola, etc. still defy interpretation.

 

The prose portion of the charter is immediately followed by 12 imprecatory verses quoted from religious texts. The charter altogether consists of 31 verses and two prose passages.

 

REFERENCES

 

1.

Chronology of the Bhaumakaras and the Somavamsis of Orissa, by Dr. K.C. Panigrahi, 1961.

2.

Bharatiya Vidya Bhavan's History of Culture of the Indian People, Vol.-V, Bombay, 1957(Section by Dr.D.C. Sircar).

3.

Dynasties of Mediaeval Orissa, by B.Mishra, 1933, Calcutta, pages 66-73.

4.

Archaeological Remains at Bhubaneswar, by Dr.K.C. Panigrahi, pages 89 and 249.

5.

Balijhari (Narasingpur) copperplate of Somabamsi Udyatokesari Mahabhavagupta.

6.

Indian Historical Quarterly, Vol. XXXV, No.2 (June 1959).

7.

History of Orissa, Vol.I-Dr.H.K.Mahatab.

8.

'The Kesari Dynasty of the Madalapanji'-P. Acharya.J.A.S.,Vol.IV, No.1, 1962.

 

A BRIEF SUMMARY OF THE ARTICLE ENTITLED BANPUR COPPERPLATE INSCRIPTION OF SOMAVAMSI INDRARATHA

 

The newly-discovered charter engraved on three copperplates and deciphered for the first time by the author glorifies the Somavamsi monarch named Indraratha who granted a village to the Brahmanas in the district of Puri near the Chilka Lake. The document is written in Sanskrit verses in various metres. In the grant portion written in Sanskrit prose, the categories of officers enumerated and the list of taxes from which the gift-village is made immnue are interesting. Some of these have not yet been properly interpreted. The charter offers valuable addition to our knowledge of Somavamsi history. It belongs to the first-half of the eleventh century.

 

ସହାୟକ ରଚନାବଳୀ

 

୧.

ପ୍ରଫେସର କୁଞ୍ଜବିହାରୀ ତ୍ରିପାଠୀ ଅଭିନନ୍ଦନ ଗ୍ରନ୍ଥ-ସଂପାଦନା: ଡକ୍ଟର ଖଗେଶ୍ୱର ମହାପାତ୍ର ପ୍ରମୁଖ, ଭଞ୍ଜବିହାର, ବ୍ରହ୍ମପୁର ( ୧୯୯୩)

୨.

କୋଣାର୍କ-୧୧୪, ଓଡ଼ିଶା ସାହିତ୍ୟ ଏକାଡ଼େମୀର ମୁଖପତ୍ର, ସଂସ୍କୃତି ଭବନ, ଭୁବନେଶ୍ଵର (୧୯୯୯)

୩.

ଆଖିର ଦେଖା ପ୍ରାଣର କଥା-ଅଧ୍ୟାପକ ଡକ୍ଟର କୃଷ୍ଣଚରଣ ବେହେରା, ନବଦିଗନ୍ତ, ବିନୋଦବିହାରୀ, କଟକ-୨ (୨୦୦୯)

୪.

ଗଙ୍ଗାଧର ସ୍ମରଣିକା-ସଂପାଦନା ଭୋଳାନାଥ ରାଉତ, ଓଡ଼ିଆ ସାହିତ୍ୟ ସମାଜ, ରେଭେନ୍‍ସା କଲେଜ, କଟକ-୩ (୧୯୬୨)

୫.

ବୀକ୍ଷାବିଚିତ୍ରା-ଅଧ୍ୟାପକ ଡକ୍ଟ‌ର କୃଷ୍ଣଚରଣ ବେହେରା, କାହାଣୀ, କଲ୍ୟାଣୀନଗର, କଟକ-୧୩ (ଦ୍ୱିତୀୟ ସଂସ୍କରଣ, ୨୦୧୦)

୬.

History of Orissa in the 19th Century by Prabhat Mukherjee, Utkal University, Bhubaneswar (1964)

Image